ଶବ ଉପରେ ଅନ୍ୟାୟ କରିଥିବା ଅପରାଧୀଙ୍କୁ ଗିରଫ ଦାବି

ବାରିପଦା,(ମୁରାରି ମୋହନ ମହାପାତ୍ର): ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟିର ସେଙ୍ଗେଲ ସଭାପତି ସହ ଅଲ୍ ଇଣ୍ଡିଆ ମାଝୀ ପାର୍ଗାନା ମାଡୱା ଓଡିଶା ପ୍ରଦେଶ କମିଟିର ପାର୍ଗାନା ଶ୍ରୀ ନାରାନ ମୁର୍ମୁଙ୍କ ନେତୃତ୍ବରେ ମୟୂରଭଞ୍ଜର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇ କହିଛନ୍ତି ଯେ, ବାଙ୍ଗ୍ରିପୋଷି ଥାନା ଅନ୍ତର୍ଗତ ଦିଘି ଗ୍ରାମ ପଞ୍ଚାୟତର ଦୋରକଣ୍ଟିଆ ଗ୍ରାମର ଶ୍ରୀ ସୁନ୍ଦର ମୋହନ ମାଝୀଙ୍କ ସ୍ତ୍ରୀ ସାକ୍ରମଣି ମାଝୀଙ୍କର ଶବ (ମୃତ ଶରୀର) ଉପରେ ଭାରି ଅମାନବୀୟ ଅନ୍ଯାୟ, ଅତ୍ୟାଚାର କରାଯାଇଛି । ଅର୍ଥାତ୍ ଗ୍ରାମମୁଖ୍ଯ (ମାଝୀବାବା) ଶ୍ରୀ ବୁଢାନ ମୁର୍ମୁ, ପିତା-ସାଗ୍ରାମ ମୁର୍ମୁଙ୍କ ନେତୃତ୍ବରେ ବିଭିନ୍ନ ପ୍ରକାରର ମାରଣାସ୍ତ୍ର, ଠେଙ୍ଗା, ବାଡି ଧରି ୩୦ ଘଣ୍ଟା ଧରି ଶବକୁ ଅଟକ ରଖି ଶବ’ର ଅନ୍ତିମ ସତ୍କାର କାର୍ଯ୍ୟ କରାଇବାକୁ ଦେଇନଥିଲେ । କାରଣ- ୧୮ (ଅଠର) ବର୍ଷ ତଳେ କଙ୍ଗାରୁ କୋର୍ଟ ଦ୍ୱାରା ସୁନ୍ଦର ମୋହନ ମାଝୀଙ୍କୁ ଡାହାଣୀ ସନ୍ଦେହ କରି ଟ.୨୫୦୦୦/- (ପଚିଶ ହଜାର) ଟଙ୍କା ଜରିମାନା କରିଥିଲେ । ଜରିମାନା ଟଙ୍କା ଦେଇନପାରିବାରୁ ସାମାଜିକ ବାସନ୍ଦ କରିଥିଲେ । ଏହି ଦୁଃଖଦ ସାମାଜିକ ବାସନ୍ଦ ପରିସ୍ଥିତିରେ ତା.23.10.2024 ରିଖ ସଂଧ୍ୟା ସମୟରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା ଏବଂ ଏହାର ଶବ ସତ୍କାର କାର୍ଯ୍ୟକୁ ଅଟକ ରଖିଥିଲେ । ଫଳରେ ମଶାଣି ଯିବାର ଅଧା ରାସ୍ତାରେ ଅଟକ ଥିବା ଶବ ବାତ୍ଯା “ଦାନା”ର ପ୍ରବଳ ବର୍ଷାରେ ଭିଜି ରହିଥିଲା, ଯାହାକି ତା.24.10.2024 ରିଖ ରାତି 09.30 ପରେ ଶବ ସତ୍କାର କାର୍ଯ୍ୟ କରାଯାଇଥିଲା ଏବଂ ଆଜି ପର୍ଯ୍ୟନ୍ତ କୌଣସି ସାମାଜିକ କାର୍ଯ୍ୟକ୍ରମ କରାଯାଇପାରି ନାହିଁ । ତେବେ ଶ୍ରୀ ସୁନ୍ଦର ମୋହନ ମାଝୀଙ୍କୁ ଡାହାଣୀ ନାମରେ ପ୍ରତାରଣା କରିବା, କଙ୍ଗାରୁ କୋର୍ଟ ଦ୍ୱାରା ଜରିମାନା କରିବା ଏବଂ ସାମାଜିକ ବାସନ୍ଦ କରିବା ସହ ଶବକୁ ଅଟକ ରଖିବା ଭଳି ଅସାମ୍ବିଧାନିକ ଅନ୍ଯାୟ କାର୍ଯ୍ୟ କରିବାର ଅଧିକାର ଦୋରକଣ୍ଟିଆ ଗ୍ରାମର ଗ୍ରାମମୁଖ୍ଯଙ୍କୁ କିଏ ଦେଲା ବୋଲି ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ଦ୍ୱିତୀୟରେ, ଶବ ସହିତ ଅନ୍ୟାୟ, ଅତ୍ୟାଚାର କରିବା ଭାରତୀୟ ସମ୍ବିଧାନ, ଆଇନ ବିରୋଧୀ କାର୍ଯ୍ୟ ଅଟେ । ଜୀବନ୍ତ ମଣିଷ ଭଳି ଶବକୁ ମଧ୍ୟ ମୌଳିକ ଅଧିକାର ଦିଆଯାଇଅଛି । ତେବେ ଏହିପରି ଦୁଃସାହସ କାର୍ଯ୍ୟ କରିବା ପାଇଁ ଉକ୍ତ ଗ୍ରାମମୁଖ୍ଯଙ୍କୁ ଅଧିକାର କିଏ ଦେଲା ବୋଲି ପ୍ରଶ୍ନ କରାଯାଇଛି । ତେବେ ଏହିପରି ଗୁଣ୍ଡାରାଜ ଶାସନ ଉପରେ ସ୍ଥାନୀୟ ପୋଲିସ ପ୍ରଶାସନକୁ ପୀଡିତ ପରିବାର ତରଫରୁ ଲିଖିତ ଅଭିଯୋଗ ପତ୍ର ଦେବା ସତ୍ତ୍ବେ ଥାନା ଅଧିକାରୀ ଏହା ଉପରେ କୌଣସି କେସ୍ ରେଜିଷ୍ଟ୍ରେସନ ହେବନାହିଁ ବୋଲି ରୋକଠୋକ ମନା କରିଥିଲେ ବୋଲି ଅଭିଯୋଗ କରାଯାଇଛି । ଅର୍ଥାତ୍ ସାମ୍ବିଧାନିକ ପଦରେ ବସିଥିବା ଉକ୍ତ ଥାନା ଅଧିକାରୀ ଶ୍ରୀମତୀ ରୋଜାଲିନ ବେହେରା ଦୁରୁକଣ୍ଟିଆ ଗ୍ରାମର ଗ୍ରାମମୁଖ୍ଯଙ୍କର ଜଙ୍ଗଲ ରୁଲକୁ ସମର୍ଥନ ଦେଉଅଛନ୍ତି ବୋଲି ପ୍ରକାଶ କରିଥିଲେ । ଅତଃ ସମାଜରେ ଏହିପରି ଅମାନବୀୟ କାର୍ଯ୍ୟକୁ ସବୁଦିନ ପାଇଁ ବନ୍ଦ କରାଯିବା ପାଇଁ ପଦକ୍ଷେପ ନିଆଯିବା ସହିତ ଦୋଷୀଙ୍କୁ ଗିରଫ କରାଯାଇ ପୀଡିତ ପରିବାରକୁ ନ୍ଯାୟ ପ୍ରଦାନ କରାଯିବାକୁ ଦାବି କରାଯାଇଛି ଏବଂ ଏହିପରି ସମ୍ବିଧାନ ବିରୋଧୀ, ଦେଶ ବିରୋଧୀ, ସମାଜ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଉକ୍ତ ଗ୍ରାମ ଉପରେ ସାମୁହିକ ଦଣ୍ଡ ବିଧାନ କରାଯାଇ ଉକ୍ତ ଗ୍ରାମକୁ ସମସ୍ତ ସରକାରୀ ସୁବିଧା (ରେସନ, ଭତ୍ତା, ବିଜୁଳି) ଆଦିରୁ ବାଦ୍ ଦିଆଯାଉ ବୋଲି ସଂଗଠନ ପକ୍ଷରୁ ଦୃଢ଼ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଉପଖଣ୍ଡ ସେଙ୍ଗେଲ ସଭାପତି ବିକାଶ ଚନ୍ଦ୍ର ହେମ୍ବ୍ରମ, ବାଙ୍ଗ୍ରିପୋଷି ବ୍ଲକ ସେଙ୍ଗେଲ ସଭାପତି ମଙ୍ଗଲ ମୁର୍ମୁ, ମେଘ୍ରାୟ ସୋରେନ, ମାଝୀଆ ହାଁସଦାଃ, ସୁନ୍ଦର ମୋହନ ମାଝୀ, ବିଜୟ ମାଝୀ, ସୁଦେବୀ ଟୁଡୁ, ବାସନ୍ତୀ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ