ଶବ ରଖି ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଜନତା

କଳାହାଣ୍ଡି,(ରଜନୀକାନ୍ତ ମିଶ୍ର): କଳାହାଣ୍ଡି ଲାଞ୍ଜିଗଡ଼ ଥାନା ନଙ୍ଗଲବେଡା ଗ୍ରାମର ସ୍ବର୍ଗତ ବିଜୟ ହରିଜନଙ୍କ ପୁଅ ରିମାନ୍ତ ହରିଜନ ଙ୍କୁ ବୁଧବାର ଏକ ବାଇକ ଧକ୍କା ଦେବା ଫଳରେ ଗୁରୁତର ଆହତ ହୋଇଥିଲେ। ତେବେ ସେ ରିମାନ୍ତ ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ଶନିବାର ବୁର୍ଲା ଠାରୁ ବିଶାଖାପାଟଣା ମେଡ଼ିକାଲକୁ ସ୍ଥାନାନ୍ତରିତ କରିବା ସମୟରେ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ରିମାନ୍ତଙ୍କ ମୃତ୍ୟୁ ପରେ ପରିବାର ଲୋକେ ରାସ୍ତାରେ ଶବ ରଖି ଲାଞ୍ଜିଗଡ଼-ବିଶ୍ୱନାଥପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ପ୍ରକାଶ ଯେ ବୁଧବାର ସନ୍ଧ୍ୟା ସମୟରେ ରିମାନ୍ତ ହରିଜନ ନିଜ ଗାଁ ନଙ୍ଗଲବେଡା ପାଖ ରାସ୍ତା କଡରେ ଚାଲି ଚାଲି ଯାଉଥିବାବେଳେ ଲାଞ୍ଜିଗଡ଼ ଠାରୁ ବିଶ୍ୱନାଥପୁର ରାସ୍ତାରେ ଯାଉଥିବା ଏକ ବାଇକ ରିମାନ୍ତକୁ ପଛପଟୁ ଧକ୍କା ଦେଇଥିଲା । ରିମାନ୍ତ ରକ୍ତାକ୍ତ ହୋଇ ତଳେ ପଡିଯିବା ଦେଖି ଘଟଣା ସ୍ଥଳରେ ବାଇକ ଛାଡି ଚାଳକ ଫେରାର ହୋଇ ଯାଇଥିଲା । ଗାଁ ଲୋକ ଗୁରୁତର ଅବସ୍ଥାରେ ଲାଞ୍ଜିଗଡ଼ ମେଡ଼ିକାଲ ଆଣି ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ଯୋଗୁଁ ୧୦୮ ଆମ୍ବୁଲାନ୍ସ ଦ୍ୱାରା ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ପରେ ସେଠାରୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇ ଥିଲା । ଏପଟେ ଫେରାର ହୋଇଥିବା ବାଇକ ଚାଳକ ବିଶ୍ୱନାଥପୁର ନିକଟସ୍ଥ ଭିର୍କାପଡାର ମୋହନ ମାଝୀଙ୍କୁ ପୋଲିସ ଠାବ କରି ପଚରା ଉଚରା କରିଥିଲା । ରିମାନ୍ତଙ୍କ ମେଡ଼ିକାଲ ଖର୍ଚ୍ଚ ବାବଦକୁ କିଛି ପଇସା ଦେବି କହି ମୋହନା ପୋଲିସ ନିକଟରୁ ଯାଇ ଫେରି ନଥିଲା । ଅନ୍ୟପଟେ ରିମାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ଗାଁ ଲୋକେ କିଛି ପଇସା ଚାନ୍ଦା କରି ବୁର୍ଲାକୁ ପଠାଇ ଥିଲେ । ବୁର୍ଲା ମେଡ଼ିକାଲ ଠାରୁ ବିଶାଖାପାଟଣା ମେଡ଼ିକାଲକୁ ସ୍ଥାନାନ୍ତରିତ ବେଳେ ଅଧା ରାସ୍ତାରେ (କେସିଙ୍ଗା ଠାରେ) ରିମାନ୍ତଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ପରିବାର ଲୋକେ ଦୁର୍ଘଟଣା ସ୍ଥାନରେ ରିମାନ୍ତଙ୍କ ଶବ ରଖି କ୍ଷତି ପୂରଣ ଦାବି କରି ଗତକାଲି ରାତିରୁ ଲାଞ୍ଜିଗଡ଼-ବିଶ୍ୱନାଥପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଯାତାୟତ କରୁଥିବା ଯାନବାହାନ ସବୁ ଅଟକ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ