ଶରତ କରଙ୍କ ଏକାଦଶାହରେ ବୁଦ୍ଧମନ୍ଦିରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଓଡ଼ିଶାର ଯଶସ୍ୱୀ ଜନନେତା, ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ ଓ ପୂର୍ବତନ ବାଚସ୍ପତି ତଥା ଶ୍ରୀଜଗନ୍ନାଥଙ୍କର ଜଣେ ଅନନ୍ୟ ଉପାସକ, ଆର୍ଯ୍ୟସମାଜ ବିଚାରଧାରାର ଜଣେ ଉତ୍ତୁଙ୍ଗ ପ୍ରଶଂସକ ଡଃ ଶରତ କୁମାର କରଙ୍କ ଏକାଦଶାହ ଉପଲକ୍ଷେ ଆଜି ଅପରାହ୍ନରେ ଭୁବନେଶ୍ୱର ବୁଦ୍ଧମନ୍ଦିରରେ ଏକ ଦୀପଦାନ ଓ ପୁଷ୍ପାର୍ଘ୍ୟ ପ୍ରଦାନ ଉତ୍ସବ ସ୍ୱର୍ଗତ କରଙ୍କ ପରିବାର ପକ୍ଷରୁ କୋଭିଡ୍ ନିୟମକୁ ଧ୍ୟାନରେ ରଖି କରାଯାଇଥିଲା ।କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ରାଜ୍ୟ ପୂଜ୍ୟପ୍ରଣାମ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଜନନେତା ଶରତ କର ଜଣେ ମାନବବାଦୀ ଜନନେତା ଥିଲେ । ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତିର ସେ ଥିଲେ ଅନନ୍ୟ ଉପାସକ । ନୂତନ ଯୁବପିଢୀଙ୍କ ପାଇଁ ଉଦାହରଣପୂର୍ଣ୍ଣ ବ୍ୟକ୍ତିତ୍ୱ ଥିଲେ ସେ ।ଏହି ଅବସରରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି କହିଲେ ଯେ, ସ୍ୱର୍ଗତ କର ବହୁମୁଖୀ ବ୍ୟକ୍ତିତ୍ୱ, ଆଗାମୀ ୧୦୦ ବର୍ଷ ଭିତରେ ଓଡିଶାରେ ଜନ୍ମ ହେବେ କି ନାହିଁ ସନ୍ଦେହ । ବିଜେପିନେତା ଭୃଗୁ ବକ୍ସିପାତ୍ର ପୁଷ୍ପାର୍ଘ୍ୟ ଦେଇ କହିଲେ ଯେ, ବନ୍ଦେ ଉତ୍କଳ ଜନନୀ ଯେତେଦିନ ପର୍ଯ୍ୟନ୍ତ ଓଡ଼ିଶା ମାଟିରେ ବଂଚିବ, ଓଡ଼ିଆ ଜାତି ସେତେଦିନ ପର୍ଯ୍ୟନ୍ତ ସ୍ୱର୍ଗତ କରଙ୍କୁ ମନେ ରଖିଥିବେ । ରାଜ୍ୟ ସୂଚନା କମିଶନର ଦିଲ୍ଲୀପ ବିଶୋଇ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ୧୯୯୦ରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ହେବାରେ ସ୍ୱର୍ଗତ କରଙ୍କର ପ୍ରଚ୍ଛନ୍ନ ହାତ ଥିଲା ।
ଆଜିର କାର୍ଯ୍ୟକ୍ରମର ଆୟୋଜକ ଶୋଭନ କର, କର ପରିବାର ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱର୍ଗତ କରଙ୍କ ବଡ଼ପୁଅ ପ୍ରଭାତ କର, ବିଶିଷ୍ଟ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ, ଭାରତ ସରକାରଙ୍କ ଫିସ୍ଫେଡ଼୍ ଅଧ୍ୟକ୍ଷ ପ୍ରସାଦ ଦୋରା, ବୁଦ୍ଧମନ୍ଦିର ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ଅଂଶୁମାନ କର, ରୁଦ୍ର ସିଂହ, ଶରତ ରାଉତ, ସୌରୀରଞ୍ଜନ ସେନାପତି, ହିନ୍ଦୁ ମହାପାତ୍ର ପ୍ରମୁଖ ଶ୍ରଦ୍ଧାଜ୍ଞଳି ଜଣାଇ ସ୍ୱର୍ଗତ କରଙ୍କ ରାଜନୀତି, ଧର୍ମ ଓ ସଂସ୍କୃତିକୁ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆର୍ଶୀବାଦ ଶତପଥୀ, ଅମୂଲ୍ୟ କୁମାର ସ୍ୱାଇଁ, ଅଜିତ କୁମାର ସାହୁ, ଅବଦୁଲ ସଲାମ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ସମସ୍ତ ଅତିଥିଙ୍କୁ ସାନିଟାଇଜର ବଣ୍ଟନ କରାଯାଇଥିଲା ।


