ଶଶ୍ମାନରୁ ଯୁବତୀଙ୍କ ଅର୍ଦ୍ଧଲଗ୍ନ ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ଥାନା ମହୁଲପଲ୍ଲୀ ଗ୍ରାମ ଶଶ୍ମାନରୁ ରବିବାର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଅର୍ଦ୍ଧଲଗ୍ନ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ଖବର ଲେଖା ହେବା ସୁଦ୍ଧା ମୃତକାଙ୍କ ପରିଚୟ ମିଳିପାରିନାହିଁ। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ ୧୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ସୂତ୍ରରୁ ପ୍ରକାଶ। ପାରିପାର୍ଶ୍ବିକ ସ୍ଥିତିରୁ ଯୁବତୀଙ୍କୁ ବଳତ୍କାର ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁସାରେ, ରବିବାର ମହୁଲପଲ୍ଲୀ ଗ୍ରାମ ଶଶ୍ମାନର ଏକ ସ୍ଥାନରେ ମାଟି ଖୋଳା ଯାଇ ତରବରିଆ ଭାବେ ମାଟି ପଠାଯାଇଥିବା ଦେଖିବାକୁ ମିଳିଥିଲା । ଏଭଳି ପରିସ୍ଥିତି ଦେଖି ଗ୍ରାମର ଜଣେ ବ୍ୟକ୍ତି ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମରେ ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଛୁଅ ଛୁଟିଥିଲା । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଳିବା ପରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଅର୍ଦ୍ଧଲଗ୍ନ ମୃତଦେହକୁ ଉଦ୍ଧାର କରିଥିଲା । ଘଟଣା ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ବଳତ୍କାର ପରେ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବ୍ୟବଚ୍ଛେଦ ପରେ ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି । ଅନ୍ୟପକ୍ଷରେ ମୃତ ଯୁବତୀଙ୍କ ପରିଚୟ ଜାଣିବା ପାଇଁ ପୁଲିସ ବିଭିନ୍ନ ଥାନା ସହିତ ଯୋଗାଯୋଗ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ