ଶସ୍ତା ଭେଣ୍ଟିଲେଟର୍ ପ୍ରସ୍ତୁତ କଲା ଭାରତୀୟ ଷ୍ଟାର୍ଟଅପ୍ କମ୍ପାନୀ, ଦାମ୍ ମାତ୍ର ଲକ୍ଷେ

ହାଇଦ୍ରାବାଦ: ବର୍ତ୍ତମାନ ସମଗ୍ର ବିଶ୍ବରେ କୋରୋନା ଭୂତାଣୁ ବ୍ୟାପିଯାଇଥିବା ବେଳେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି ଭେଣ୍ଟିଲେଟରର ଅଭାବ। ସମଗ୍ର ବିଶ୍ବରେ ଯେଉଁ ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି, ସମାନ ହାରରେ ଭେଣ୍ଟିଲେଟର୍ ପ୍ରସ୍ତୁତ କରିବା ସମ୍ଭବପର ହୋଇପାରୁନାହିଁ। ତା’ଛଡ଼ା ଭେଣ୍ଟିଲେଟରର ଦାମ୍ ଅତ୍ୟଧିକ ହୋଇଥିବା ଅଧିକାଂଶ ସମୟରେ ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯିବା ନେଇ ସମସ୍ୟା ଉପୁଜୁଛି। ଏହାକୁ ଲକ୍ଷ୍ୟରେ ରଖି ଏକ ହାଇଦ୍ରାବାଦଭିତ୍ତିକ ଷ୍ଟାର୍ଟଅପ୍ କମପାନୀ ଏରୋବିସିସ୍ ଇନୋଭେସନ୍ସ ପକ୍ଷରୁ ଏକ ଶସ୍ତା ଭେଣ୍ଟିଲେଟର୍ ପ୍ରସ୍ତୁତ କରାଯାଇଛି। ଏହି ଭେଣ୍ଟିଲେଟରର ଦାମ୍ ମାତ୍ର ଏକ ଲକ୍ଷ ଟଙ୍କା ହୋଇଥିବା ବେଳେ ଏହାର ନାମ ‘ଜୀବନ ଲାଇଟ୍’ ରଖାଯାଇଛି। ଏହି ଭେଣ୍ଟିଲେଟରର ବିକାଶ ସେଣ୍ଟର୍ ଫର୍ ହେଲଥକେୟାର ଏଣ୍ଟରପ୍ରିନିଓରଶିପ୍ (ସିଏଚ୍ଇ) ପକ୍ଷରୁ ଏରୋବିସିସ୍ ସହଯୋଗରେ କରାଯାଇଛି। ତେବେ ଏହି ଭେଣ୍ଟିଲେଟରର ଦାମ୍ ଯଥେଷ୍ଟ କମ୍ ରହିବା ସହ ଏହାକୁ ଆପ୍ ମାଧ୍ୟମରେ ବି ପରିଚାଳିତ କରାଯାଇପାରିବ। ଅଧିକନ୍ତୁ ବିଦ୍ୟୁତ୍ ସମସ୍ୟା ସହ ଯୁଝୁଥିବା ଅଞ୍ଚଳରେ ମଧ୍ୟ ଏହାକୁ ପରିଚାଳିତ କରାଯାଇପାରିବ, କାରଣ ଏହା ବ୍ୟାଟେରୀ ମାଧ୍ୟମରେ ମଧ୍ୟ ଚାଲିବାର ଦକ୍ଷତା ରଖେ ବୋଲି ଏରୋବିସିସ୍ ପକ୍ଷରୁ ଶୁକ୍ରବାର କୁହାଯାଇଛି।
ଏ ସଂକ୍ରାନ୍ତରେ ଏରୋବିସିସ୍ ପକ୍ଷରୁ କୁହାଯାଇଛି ଯେ ସରକାରଙ୍କ ପକ୍ଷରୁ ଏହି ଭେଣ୍ଟିଲେଟରକୁ ସ୍ବୀକୃତି ମିଳିଲେ, ସିଏଚ୍ଇ ସହଯୋଗରେ ଦିନକୁ ୫୦ରୁ ୭୦ଟି ଭେଣ୍ଟିଲେଟର୍ ପ୍ରସ୍ତୁତ କରାଯାଇପାରିବ। ଏହାଛଡ଼ା ଏହି ଷ୍ଟାର୍ଟଅପ୍ କମ୍ପାନୀ ପକ୍ଷରୁ ମଧ୍ୟ ଏହି ଭେଣ୍ଟିଲେଟରକୁ ପରିଚାଳନା କରିବା ସକାଶେ ଏକ ମୋବାଇଲ୍ ଆପ ପ୍ରସ୍ତୁତ କରାଯାଇଛି। ଏହି ଭେଣ୍ଟିଲେଟର୍ ସମ୍ପର୍କରେ ହାଇଦ୍ରାବାଦ ଆଇଆଇଟି ନିର୍ଦେଶକ ବିଏସ୍ ମୂର୍ତ୍ତି କହିଛନ୍ତି ଯେ କୋରୋନା ଭୂତାଣୁର ବ୍ୟାପକତା ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକ ଓ ବୟସାଧିକ୍ୟ ରୋଗୀମାନଙ୍କ ସକାଶେ ଭେଣ୍ଟିଲେଟରର ନିହାତି ଆବଶ୍ୟକତା ରହିଛି। ଏ ଦିଗରେ ଏରୋବିସିସ୍ ଗୋଟିଏ ପାଦ ଆଗକୁ ଯାଇ ଦେଶର ସ୍ବାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ଦ୍ବାରା ପରିଚାଳିତ ଭେଣ୍ଟିଲେଟର୍ ପ୍ରସ୍ତୁତ କରିଛି ବୋଲି ମୂର୍ତ୍ତି କହିଛନ୍ତି। ଏହି ଭେଣ୍ଟିଲେଟରର ଉପଯୋଗ ଶିଶୁ ଓ ବୟସ୍କ ଉଭୟଙ୍କ କ୍ଷେତ୍ରରେ କରାଯାଇପାରିବ। ବିନା ବିଦ୍ୟୁତରେ ପାଖାପାଖି ୫ ଘଣ୍ଟା ପର୍ଯ୍ୟନ୍ତ ଏହି ଭେଣ୍ଟିଲେଟରଟି ଲିଥିଅମ୍-ଆୟନ୍ ବ୍ୟାଟେରୀ ମାଧ୍ୟମରେ ଚାଲିପାରିବ ବୋଲି କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ