ଶସ୍ତା, ସୁନ୍ଦର, ସ୍ୱାସ୍ଥ୍ୟ ରକ୍ଷକ ମାଠିଆ ପାଣି
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଚାଲିଛି ଗ୍ରୀଷ୍ମଋତୁ । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହର କରାଳ ରୂପ ପ୍ରଭାବରେ ମଣିଷ ଆଉଟୁ ପାଉଟୁ ହୋଇପଡୁଛି । ତାପମାତ୍ରା ବୃଦ୍ଧି ଯୋଗୁଁ ଶରୀର ନିସ୍ତେଜ ହୋଇପଡୁଛି । ଏହି ସମୟରେ ଶରୀରର ତାପମାତ୍ରାକୁ ସନ୍ତୁଳିତ କରି ରଖିବା ନିତାନ୍ତ ଜରୁରୀ । ଖରାରୁ ବାହାରୁ ଘରକୁ ଫେରିବା ମାତ୍ରେ ଥଣ୍ଡା ପାଣି ଗ୍ଲାସେ ସମସ୍ତେ ଖୋଜନ୍ତି । ସଂପ୍ରତି ମାଟି ମାଠିଆ ବା ସୁରେଇ ପାଣି ବଦଳରେ ଆଜିକାଲି ଫ୍ରିଜ୍ ପାଣିକୁ ଅନେକ ପସନ୍ଦ କରୁଛନ୍ତି । କ୍ଷଣିକ ସମୟ ଲାଗି ଫ୍ରିଜ୍ ପାଣି ପାଟିକୁ ଥଣ୍ଡା ଲାଗେ ସତ କିନ୍ତୁ ଶରୀର ପାଇଁ ଏହା ମାରାତ୍ମକ ସାବ୍ୟସ୍ତ ହୋଇଥାଏ । ଏହି କଥାକୁ ହୃଦ୍ବୋଧ କରି ୮ବର୍ଷ ବୟସର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ଜନସଚେତନତା ଉଦ୍ଦେଶ୍ୟରେ ରଙ୍ଗ, ତୂଳୀରେ ଆଙ୍କିଛନ୍ତି ଏକ ସୁନ୍ଦର ମାଟି ମାଠିଆ ପାଣି ଓ ଏକ ଫ୍ରିଜ୍ ର ଚିତ୍ର । ମାଠିଆ ହେଉଛି ଏକ ଶସ୍ତା, ସୁନ୍ଦର ଓ ସ୍ୱାସ୍ଥ୍ୟ ରକ୍ଷକ ଘରକରଣା ଜିନିଷଟିଏ । ପରିବେଶବିତ୍ ସୁଶାନ୍ତ ସାହୁ ଏ ସମ୍ପର୍କରେ କୁହନ୍ତି ଦିନଥିଲା ମାଟିରେ ତିଆରି ମାଠିଆ ଏବଂ ସୁରେଇର ବେଶ୍ ଚାହିଦା ଥିଲା । ଏଥିରେ ପାଣି ରଖି ପିଇବା ଦ୍ୱାରା ଶାରୀରିକ ଓ ମାନସିକସ୍ତରରେ ବେଶ୍ ଆରାମ୍ ମିଳେ । ରୋଗ ପ୍ରତିରୋଧକ ଶକ୍ତି ବଢ଼େ । କୌଣସି ପ୍ରକାର ରୋଗ ହେବାର ଭୟ ରହେ ନାହିଁ । ଅପରପକ୍ଷେ ରେଫ୍ରିଜରେଟର ପାଣି ପିଇବା ଦ୍ୱାରା ଶରୀର ବିଗିଡ଼ି ଯାଇଥାଏ ଏବଂ ବିଭିନ୍ନ ମାରାତ୍ମକ ରୋଗକୁ ନିମନ୍ତ୍ରଣ କରିଥାଏ । ଯେପରି ଆଖି ଲାଲ୍ ଦେଖାଯିବା, ଖାଦ୍ୟ ହଜମ ଭଲରେ ହୁଏନି, ମୁଣ୍ଡ ବିନ୍ଧା ବଢ଼େ, ଅରୁଚି ଲାଗିବା, ଚିଡ଼ିଚିଡ଼ା ବି ଲାଗିଥାଏ । କିନ୍ତୁ ମାଠିଆ ପାଣିରେ ଏହି ଭୟ ନଥାଏ । ମାଠିଆ ପାଣି ସମ୍ପୂର୍ଣ୍ଣ ଶୁଦ୍ଧ । ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଥାଏ । ଏହାକୁ ଯେତେ ବାସି କରି ପିଇବେ ପେଟ ଜନିତ ବିଭିନ୍ନ ସୁରକ୍ଷା ପାଇପାରିବେ । ଏଣୁ ଫ୍ରିଜ୍ ପାଣିକୁ ଆଦୌ ନ ପିଇବା ପାଇଁ ଚିତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଶାନ୍ତନୁ ନିବେଦନ କରିଛନ୍ତି ।