ଶହୀଦ ପ୍ରସନ୍ନ ସାହୁଙ୍କ ଶ୍ରଦ୍ଧାଞଳି ସଭା

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଶିଖର ପଂଚାୟତ ପାରିଶଖର ଗ୍ରାମରେ ରବିବାର ଶହୀଦ ପ୍ରସନ୍ନ ସାହୁଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ତଥା ଶ୍ରଦ୍ଧାଞଳି ସଭା ଶହୀଦ ପ୍ରସନ୍ନ ସାହୁ ସ୍ମୃତି ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶହୀଦଙ୍କ ଗ୍ରାମରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜଗତସିଂହପୁର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ବିଜେଡି ସଭାପତି ସୁଜିତ ମଲ୍ଲିକ, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ମଧୁ ସାହୁ, ସମାଜସେବୀ ଦିଲ୍ଲିପ ଲେଙ୍କା, ସମାଜସେବୀ ତରୁଣକାନ୍ତ ବାରିକ, ଶିଖର ପଂଚାୟତ ସରପଂଚ ଅକ୍ଷୟ ଜେନା ଆଦି ଯୋଗ ଦେଇ ଶହୀଦଙ୍କ ପ୍ରତିମୂର୍ତରେ ମାଲ୍ୟାର୍ପଣ କରିଥିଲେ । ପରେ ଆୟୋଜିତ ରକ୍ତଦାନ ଶିବିରରେ ସ୍ୱେଚ୍ଚାସେବୀମାନେ ରକ୍ତ ପ୍ରଦାନ କରିଥିଲେ । ଏହି ରକ୍ତଦାନ ଶିବିରରେ ସମୁଦାୟ ୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସେହିପରି ଅପରାହ୍ନରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଉକ୍ତ ସ୍ମୃତିସଭାରେ ଜଗତସିଂହପୁର ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟର ଅଭୟ କୁମାର ମଲ୍ଲିକ, ସରପଂଚ ଅକ୍ଷୟ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଏହି ମାଟି ହେଉଛି ବୀର ମାଟି, ଯେଉଁ ମାଟି ପ୍ରସନ୍ନ ସାହୁ ପରି ବୀର ଯବାନଙ୍କୁ ଜନ୍ମ ଦେଇଛି । ପ୍ରସନ୍ନ ସାହୁଙ୍କ ତ୍ୟାଗ,ବଳିଦାନକୁ ଏହି ମାଟି ସବୁଦିନ ମନେ ରଖିବ ବୋଲି ସଭାରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ସେହିପରି ଶହୀଦଙ୍କ ପରିବାରକୁ ଜମି ଯୋଗାଇ ଦେବା ପାଇଁ ବନ୍ଦୋବସ୍ତ କରାଯାଇଛି ବୋଲି ଉପଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଶହୀଦଙ୍କ ଗ୍ରାମକୁ ଆଦର୍ଶ ଗ୍ରାମ ଓ ଗାଁ ବିଦ୍ୟାଳୟକୁ ଶହୀଦଙ୍କ ନାମରେ ନାମିତ କରିବା ପାଇଁ ସରପଂଚ ଅକ୍ଷୟ ଜେନା ଦାବି କରିଥିଲେ । ସୂଚନାଯୋଗ୍ୟ ଯେ ୨୦୧୯ ମସିହା ୧୪ ଫେବୃଆରୀରେ ପୁଲୱାମା ଆକ୍ରମଣରେ ପ୍ରସନ୍ନ ସାହୁ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ । ଏବେବି ପାରିଶିଖର ଗାଁ ଓ ଶହୀଦ ପ୍ରସନ୍ନଙ୍କ ପରିବାର ପ୍ରସନ୍ନଙ୍କୁ ଝୁରୁଛନ୍ତି । ପ୍ରସନ୍ନ ଶହୀଦ ହେବା ୨ ବର୍ଷ ପୁରିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତି ଏବେବି ପାଳନ କରାଯାଇ ନଥିବା ଶହୀଦଙ୍କ ପତ୍ନୀ ମିନାରାଣୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ