ଶହ ଶହ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବାବା ରାମେଶ୍ୱରଙ୍କ ବାର୍ଷିକ ଉତ୍ସବ
ଯୋଡା, (ସମୀର ଦାସ) କେନ୍ଦୁଝର ଜିଲା ଯୋଡା ବ୍ଲକ ଭୂୟାଁରୋଇଡା ଗ୍ରାମ ପଂଚାୟତର କେଥହଟିଂଠାରେ ଥିବା ବାବା ରାମେଶ୍ୱର ମନ୍ଦିରର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରତି ବର୍ଷ ପରି ଚଳିତ ବର୍ଷ ୩ଦିନ ଧରି ଏହି ଉତ୍ସବ ପାଳନ କରାଯାଇଥିଲା । ପାହାଡ ଓ ଜଙ୍ଗଲ ଘେରା ଏହି କେଥହଟିଂର ଲୋକଙ୍କ ପାଇଁ ସ୍ୱର୍ଗତଃ ବିଶ୍ୱନାଥ ପାତ୍ର ସ୍ଥାନୀୟ ଲୋକଙ୍କ ଅଧ୍ୟାତ୍ମିକ ଉନ୍ନତି ନିମନ୍ତେ ୧୨ ବର୍ଷ ପୂର୍ବେ ଏହି ମନ୍ଦିର ପ୍ରତିଷ୍ଠା କରି ବାର୍ଷିକ ଉତ୍ସବ ପାଳନ କରି ଆସୁଥିଲେ । ତାଙ୍କ ଦେହାନ୍ତ ପରେ ତାଙ୍କ ବୋହୁ ତୁଳସୀ ବବଙ୍ଗା, ପୁତ୍ର ସଂଜୟ ପାତ୍ର, ଗୀତା ପାତ୍ର, ସନାତନ ପାତ୍ର ପ୍ରମୁଖ ଏହି ମନ୍ଦିରର ରକ୍ଷଣା ବେକ୍ଷଣା ଦାୟିତ୍ୱ ତୁଲାଇ ଆସୁଛନ୍ତି । ଗ୍ରାମର ଶତାଧିକ ମହିଳା ସୁନା ନଦୀରୁ ୧୦୮ କଳସ ଆଣି ପରେ ମନ୍ଦିର ପ୍ରାଙ୍ଗଣରେ ବିଧିବଦ୍ଧ ଭାବେ ସ୍ଥାପନ କରି ଯଜ୍ଞର ଆୟୋଜନ କରିଥିଲେ । ଏହି ଅବସରରେ ଗ୍ରାମର ପ୍ରାୟ ୧୫୦ଜଣ ମହିଳାଙ୍କୁ ବସ୍ତ୍ର ଦାନ କରାଯାଇଥିବା ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ବିଶ୍ୱାସ ରହିଛି ଏହି ବାର୍ଷିକ ଉତ୍ସବରେ ଯାହା ମାନସିକ କରାଯାଏ ତାହା ନିଶ୍ଚିନ୍ତ ରୂପେ ପୂରଣ ହୋଇଥାଏ । ପ୍ରତି ବର୍ଷ ଏହି ଉତ୍ସବକୁ ଗ୍ରାମବାସୀମାନେ ମହା ଆନନ୍ଦରେ ପାଳନ କରିଥାନ୍ତି ।


