ଶାନ୍ତିଲତାଙ୍କୁ ଏ ଯାଏ ଘରଭଙ୍ଗା ସହାୟତା ରାଶୀ ମିଳିନି
ଆରଡି, (ଆଲୋକ ଚନ୍ଦ୍ର ନାୟକ):ବାତ୍ୟା ହେବାକୁ ମାସେ ପୁରିବାକୁ ବସିଲାଣି । ଝାଟି ମାଟି କାନ୍ଥ ଗଳି ପଡିଛି । ଘର ଚାଳ ମାଟିକୁ ଲାଗିଛି । ଜୀବନ ବଞ୍ଚାଇବାକୁ ପଡୋଶୀ ଘରକୁ ଚାଲି ଯାଇଥିଲେ । ସେହିଠାରେ ଆଜି ଯାଏ ରହିଛନ୍ତି । ଭଙ୍ଗାଘର ଦେଖାଇ ଘରଭଙ୍ଗା ପାଇବାକୁ ଅାଶା ରଖି ଘର ସଜଡା ଯାଉନି । ହେଲେ ରାଜସ୍ବ ବିଭାଗର କୌଣସି ଅଧିକାରୀ ଏପରିକି ରାଜସ୍ବ ନିରୀକ୍ଷକ ମଧ୍ୟ ତାଙ୍କୁ ସାହାଯ୍ୟର ହାତ ବଢାଇବାତ ଦୂରର କଥା ତଦନ୍ତ କରି ଘରଭଙ୍ଗାରେ ଏହି ମହିଳାଙ୍କୁ ଘରଭଙ୍ଗା ଅର୍ଥରାଶୀ ମଧ୍ୟ ପ୍ରଦାନ କରି ନାହାଁନ୍ତି । ଏହି ଅସହାୟ ମହିଳାଙ୍କ ଘର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ସାହାସପୁର ପଞ୍ଚାୟତ ଅଧୀନ ଲୋହସାହି ଗାଁ ର । ନାମ ଶାନ୍ତିଲତା ବେହୁରିଆ । ପୁଅ ବେଙ୍ଗାଲୁରରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଦୁଃଖ କଷ୍ଟରେ ଦିନ କାଟୁଥିବା ଏହି ମହିଳା ବାସହରା ହୋଇଯାଇ ଥିବାରୁ ତାଙ୍କ ମୁଣ୍ଡରେ ସତେ ଯେମିତି ଅକାଳ ଚଡକ ପଡି ଯାଇଛି । ପରିଣତ ବୟସରେ ନିଜେ ସରପଞ୍ଚ, ରାଜସ୍ବ ନିରୀକ୍ଷକଙ୍କୁ ୩ ଥର ଭେଟି ଦୁଃଖ ଜଣାଇଥିଲେ ବି କିଛି ସୁଫଳ ମିଳି ପାରିନି । ତୁରନ୍ତ ଏହି ବାସହରା ମହିଳାଙ୍କୁ ଘରଭଙ୍ଗା ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଧାମନଗର ତହସିଲଦାର ଦୀପକ କୁମାର ଦାସଙ୍କୁ ପଚାରିବାରୁ ସେ ଏହି ଅସହାୟ ମହିଳାଙ୍କୁ ଘରଭଙ୍ଗା ସହାୟତା ରାଶୀ ତଦନ୍ତ କରି ଯୋଗାଇଦେବେ ବୋଲି କହିଛନ୍ତି ।