ଶାନ୍ତିଶୃଙ୍ଖଳା ସହ ଉପାଧ୍ୟକ୍ଷ ନିର୍ବାଚନ ସରିଲା : ଅସ୍ତରଙ୍ଗରେ ଦୁର୍ଯ୍ୟୟ ମିଶ୍ର ଉପାଧ୍ୟକ୍ଷ ଭାବେ ନିର୍ବାଚିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଆଜି ଦୁର୍ଯ୍ୟୟ ମିଶ୍ର ଓରଫ ବୁଲୁ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି |ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମିଳିତ ମେଣ୍ଟ ହାତରେ ୮ ସମିତିସଭ୍ୟ ଥିଲା ବେଳେ କେନ୍ଦ୍ରାପାଟି ପଞ୍ଚାୟତରୁ ବିଜୟ ହୋଇଥିବା ଦୁର୍ଯ୍ୟୟ ମିଶ୍ରଙ୍କ ସପକ୍ଷରେ ମତଦାନ କରିବାରୁ ସେ ସମିତି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି | ସମିତି ଅଧ୍ୟକ୍ଷା ନିର୍ବାଚନ ପରି ବିଧିବଦ୍ଧ ଭାବେ ୧୫ଟି ପଞ୍ଚାୟତର ସମିତି ସଭ୍ୟ ଆଜି ପୂର୍ବାହ୍ନ ୧୧ଟା ସୁଧା ବ୍ଲକ ପରିସରରେ ପହଞ୍ଚି ପରୋକ୍ଷ ନିର୍ବାଚନରେ ସାମିଲ୍ ହୋଇଥିଲେ |ପ୍ରଥମେ ମିଳିତ ମେଣ୍ଟର ୮ ଜଣ ଓ ପରେ ଶାସକ ଦଳ ସମର୍ଥିତ ୭ ଜଣ ସମିତିସଭ୍ୟ ପହଞ୍ଚିବାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା| ଉପାଧ୍ୟକ୍ଷ ପଦ ପାଇଁ ମିଳିତମେଣ୍ଟ ପକ୍ଷରୁ ଦୁର୍ଯ୍ୟୟ ମିଶ୍ର ଓ ଶାସକ ଦଳ ପକ୍ଷରୁ ଆରତୀ କାଣ୍ଡିଙ୍କ ନାମ ଦେଇ ପାର୍ଥିପତ୍ର ଦାଖଲ ହୋଇଥିଲା | ଦିନ ସାଢେ ୧୧ଟାରେ ପାର୍ଥିପତ୍ର ଯାଞ୍ଚ ହେବା,ନିର୍ବାଚନ ପାଇଁ ସମସ୍ତ ପ୍ରକ୍ରିୟା ଶେଷ କରି ସାଢେ ୧ଟାରେ ଭୋଟିଂ ଆରମ୍ଭ ହୋଇଥିଲା| ଭୋଟିଂ ପରେ ଗଣତି ଓ ଯାଞ୍ଚ ପ୍ରକ୍ରିୟା ଶେଷ କରି ଅପରାହ୍ନ ୨ଟା ସୁଧା ଫଳାଫଳ ଆସି ଆନୁଷ୍ଠାନିକ ଭାବେ ଦୁର୍ଯ୍ୟୟ ମିଶ୍ର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ଘୋଷଣା କରାଜିଥିଲା | ନିର୍ବାଚନ ସରିବା ପରେ ସମସ୍ତ ସମିତିସଭ୍ୟ ବ୍ଲକ ପରିସରରୁ ବାହାରକୁ ଆସିବା ସମେତ ନବନିର୍ବାଚିତ ଉପାଧ୍ୟକ୍ଷ ଶ୍ରୀ ମିଶ୍ରଙ୍କୁ ବାହାରେ ଅପେକ୍ଷା କରିଥିବା ସାଧାରଣ ଲୋକମାନେ ଶୁଭେଚ୍ଛା ଜଣାଇବା ସମେତ ପାଛୋଟି ନେଇଥିଲେ | ନିର୍ବାଚନ ପ୍ରକ୍ରିୟାରେ ତହସିଲଦାର ରାଜଲକ୍ଷ୍ମୀ ନାୟକ ଓ ଏବିଡିଓ ଯୋଗେନ୍ଦ୍ର ମହାକୁଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ବେଳେ ଜିପିଓ ସିଦ୍ଧାର୍ଥ ସ୍ୱାଇଁ,ସହକାରୀ କର୍ମଚାରୀ ଅଧିରାଜ ଲେଙ୍କା ଓ ଅନ୍ୟମାନେ ଭୋଟିଂ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ| ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଏକ ପ୍ଲାଟୁନ ଫୋର୍ସ ମୁତୟନ ହେବା ସମେତ ଅସ୍ତରଙ୍ଗ ଥାନା ଅଧିକାରୀ ବାମଦେବ ନନ୍ଦ,ସବଇନ୍ସପେକ୍ଟର ଅଶୋକ କୁମାର ଦାସ, ରାମଚଣ୍ଡୀ ଥାନା ଅଧିକାରୀ ଶରତ ଚନ୍ଦ୍ର ନାୟକ, ଚନ୍ଦ୍ରଭାଗା ଥାନା ଅଧିକାରୀ ନୀଳିମା ପଟ୍ଟନାୟକ,ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅଧିକାରୀ ରବୀନ୍ଦ୍ର ସେଠୀ ସମେତ ଅସ୍ତରଙ୍ଗ ଥାନାର କର୍ମଚାରୀ ଉପସ୍ଥିତ ରହିଥିଲେ |ଏହି ଅବସରରେ ଯୁବ ସାମ୍ବାଦିକ ପ୍ରକାଶ କୁମାର ବେହେରା (ହାପି ), ଆର୍ଯ୍ୟ ବିଶ୍ୱାଳ, ବିପିନ ଦାସ, ବିଜୟ ବେହେରା, ନୂତନ ବ୍ଲକ ଉପାଧକ୍ଷ ଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ ।