ଶାନ୍ତି ଚାହୁଁ, ଯୁଦ୍ଧ ନୁହେଁ : ହୋଲିରେ କୁନି ଚିତ୍ରଶିଳ୍ପୀ ଦେଲେ ଶାନ୍ତିର ବାର୍ତ୍ତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ପ୍ରେମ ଓ ଭାଇଚାରାର ପର୍ବ ହୋଲିରେ ଶାନ୍ତିର ବାର୍ତ୍ତା । ଏହିଭଳି ଏକ ନିଆରା ପ୍ରୟାସ କରିଛନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସାତ ବର୍ଷ ବୟସର ବାଳକ ଶାନ୍ତନୁ ଶାନ୍ତିସ୍ୱରୂପ । ରୁଷ-ୟୁକ୍ରେନ୍ ବିବାଦ ଓ ଯୁଦ୍ଧର ଭୟାବହତାକୁ ଦେଖି ରଙ୍ଗର ପର୍ବ ହୋଲିରେ ରଙ୍ଗ, ତୂଳିରେ ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ଆଙ୍କିଛନ୍ତି ଶାନ୍ତିର ବିଶ୍ୱ ଓ ଶାନ୍ତିର କପୋତ । ସମଗ୍ର ବିଶ୍ୱକୁ ଦେଇଛନ୍ତି ଶାନ୍ତି, ଭାଇଚାରା ଓ ପ୍ରେମର ବାର୍ତ୍ତା । ସେ କୁହନ୍ତି, ଯୁଦ୍ଧ ସମସ୍ୟାର ସମାଧାନ ନୁହେଁ । ଯୁଦ୍ଧ ଦ୍ୱାରା ଶାନ୍ତି ପ୍ରତିଷ୍ଠା ହୁଏନାହିଁ । ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ଓ ଧନ, ଜୀବନ ହାନୀକୁ ନେଇ ଶାନ୍ତନୁ ଚିନ୍ତାପ୍ରକଟ କରିଛନ୍ତି । ଏ ନେଇ ବିଶ୍ୱ ସମୁଦାୟ ଆଗେଇ ଆସିବା ଦରକାର । ବିଶ୍ୱ ଯୁଦ୍ଧ ଚାହେଁନାହିଁ, ବିଶ୍ୱ ଚାହେଁ ଶାନ୍ତି । ଗୁଳିଗୋଳା, ହିଂସା, ରକ୍ତପାତରେ କେବେ ଶାନ୍ତି ପ୍ରତିଷ୍ଠା ସମ୍ଭବ ନୁହେଁ । ଏହି ମର୍ମରେ ଚିତ୍ରର ନିମ୍ନଭାଗରେ ଶାନ୍ତନୁ ଇଂରାଜୀ ଭାଷାରେ ଦେଇଛନ୍ତି ଏକ ସୁନ୍ଦର ସ୍ଲୋଗାନ୍ – “ଏଣ୍ଡ ଦି ଭାଓଲେନ୍ସ, କିପ୍ ଦି ପିସ୍‌” । ସୂଚନାଯୋଗ୍ୟ ଶାନ୍ତନୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅରିଶଲର ଦ୍ୱିତୀୟ ଶ୍ରେଣୀର ଛାତ୍ର । କମ୍ ବୟସରେ ଶାନ୍ତନୁଙ୍କ ଏହିଭଳି ମହତ୍ ଚିନ୍ତାଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ