ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ପୌର ନିର୍ବାଚନ ବାଲେଶ୍ୱର ପୌରାଞ୍ଚଳରେ
ବାଲେଶ୍ୱର, (ସରୋଜ ପଣ୍ଡା) :ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସମଗ୍ର ଓଡ଼ିଶାରେ ଚଳିତ ପୌର ନିର୍ବାଚନର ମତଦାନ ଗୁରୁବାର ଶେଷ ହୋଇଛି । ମତଦାନ ସକାଳ ୮ଟାରୁ ଆରମ୍ଭ ହୋଇ ୫ଟାରେ ଶେଷ ହୋଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ପୌରପାଳିକାର ୩୧ ଗୋଟି ୱାର୍ଡ଼ର ୯୮ ଗୋଟି ବୁଥରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ହୋଇଯାଇଛି । ବାଲେଶ୍ୱର ପୌରାଞ୍ଚଳର୯୬ ୩୪୬ ମତଦାତାଙ୍କ ମଧ୍ୟରୁ ଏହି ନିର୍ବାଚନରେ ୬୦,୮୧୨ ଜଣ ଭୋଟ ଦେଇଥିବା ବେଳେ ମତଦାନ ହାର ୬୩.୧ ପ୍ରତିଶତ ଛୁଇଁଥିବା ନିର୍ବାଚନ ଅଧିକାରୀ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ ସୂଚନା ଦେଇଛନ୍ତି । ଏହି ନିର୍ବାଚନରେ ୩୦,୯୪୦ ପୁରୁଷ ଓ ୨୯,୮୭୨ ମହିଳା ଭୋଟର ମତଦାନ କରିଥିବା ଜଣାଯାଇଛି । ପ୍ରମୁଖ ରାଜନେଅତିକ ଦଳର ଅଧ୍ୟକ୍ଷ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିର ସବିତା ସାହୁ ୧୩ ନଂ ୱାର୍ଡ଼ର ବଟେଶ୍ୱର ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟ ମତଦାନ କେନ୍ଦ୍ରରେ ଭୋଟ ଦେଇଥିବା ବେଳେ ବିଜେପି ପ୍ରାର୍ଥିନୀ ରଶ୍ମିରେଖା ଦେବ ୨୫ ନଂ ୱାର୍ଡ଼ର ମାଣିଖମ୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଥ ଓ କଂଗ୍ରେସ ପ୍ରାର୍ଥିନୀ ପ୍ରଜ୍ଞାପାରମିତା ବିଶ୍ୱାଳ ୧୭ ନଂ ୱାର୍ଡ଼ର ମିଶନ ଗାର୍ଲସ ହାଇସ୍କୁଲ ବୁଥରେ ଭୋଟ ଦେଇଥିଲେ । ୩ ଦଳର ଅଧ୍ୟକ୍ଷ ପ୍ରାର୍ଥିନୀମାନେ ନିଜ ନିଜର ବିଜୟକୁ ନେଇ ବେଶ ଆଶାବାଦୀ ଥିବା କହିଛନ୍ତି । ସେହିଭଳି ବିଭିନ୍ନ ରାଜନୈତିକ ଦଳର ଜିଲାସ୍ତରୀରୟ ନେତାମାନେ ବି ଉତ୍ସାହର ସହ ଆଜି ଭୋଟ ଦେଇଥିବା ଦେଖିବାକୁ ମିଳିଥିଲା । ବିଜେଡି ଜିଲା ସଭାପତି ରବୀନ୍ଦ୍ର କୁମାର ଜେନା ମତଦାନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ବିକାଶର ଧାରାକୁ ଗୁରୁତ୍ୱ ଦେଇ ସହରବାସୀ ଦଳର ଅଧ୍ୟକ୍ଷ ଓ ସମସ୍ତ କାଉନସିଲର ପ୍ରାର୍ଥୀଙ୍କୁ ପୂର୍ଣ୍ଣ ବହୁମତରେ ବିଜୟୀ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି । ସେହିଭଳି ସଦର ବିଧାୟକ ସ୍ୱରୂପ ଦାସ ମଠସାହି ସ୍ଥିତ ଆଦର୍ଶ ମତଦାନ କେନ୍ଦ୍ରରେ ଭୋଟ ଦେଇଥିଲେ । ସେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ବିଜୟକୁ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଅନୁରୂପ ଭାବେ ବିଭିନ୍ନ ବୁଥରେ କାଉନସିଲର ପ୍ରାର୍ଥୀମାନେ ଭୋଟରମାନଙ୍କୁ ସହାୟତା ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା । ଭୋଟ କେନ୍ଦ୍ର ସମ୍ମୁଖରେ ପ୍ରାର୍ଥୀମାନେ ଛିଡ଼ାହୋଇ ମତଦାତାଙ୍କୁ ଯୋଡ଼ହସ୍ତ ଓ ସ୍ମିତହାସ୍ୟ ମୁଦ୍ରାରେ ପାଛୋଟି ନେଉଥିଲେ । ପ୍ରାୟ ପ୍ରତ୍ୟେକ ବୁଥରେ ଭିନ୍ନକ୍ଷମ ମତଦାତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପ୍ରତି ବୁଥରେ ପୁଲିସ କର୍ମଚାରୀ ନିୟୋଜନ ସାଙ୍ଗକୁ ଏକାଧିକ ପାଟ୍ରୋଲିଂ ପାର୍ଟି ପହରା ଦେବା ସହ ସହରର ବିଭିନ୍ନ ବୁଥ ଉପରେ ନଜର ରଖିଥିଲେ । ମୋଟ ଉପରେ ବାଲେଶ୍ୱର ପୌରାଞ୍ଚଳ ନିର୍ବାଚନରେ ଶାନ୍ତିପୂର୍ଣ୍ଣ ମତଦାନ ହୋଇଥିବା ଜଣାଯାଇଛି । ବାଲେଶ୍ୱର ପୌରାଞ୍ଚଳର ୫ ଅଧ୍ୟକ୍ଷ ପ୍ରାର୍ଥିନୀ ଓ ୧୨୧ କାଉନସିଲର ପ୍ରାର୍ଥୀଙ୍କର ଭାଗ୍ୟ ଇଭିଏମରେ ସିଲ ହୋଇଥିବା ବେଳେ ଆସନ୍ତା ୨୬ ତାରିଖରେ ଭୋଟ ଗଣତିକୁ ସମସ୍ତଙ୍କ ଅପେକ୍ଷା ।