ଶାମ୍ବ ଦଶମୀରେ ସୂର୍ଯ୍ୟ ପୂଜା ଓ କୋଣାର୍କର ସୂର୍ଯ୍ୟ ରଥଯାତ୍ରା

ଆମ ଓଡ଼ିଆ ସଂସ୍କୃତି ରେ ରହି ଆସିଛି ବାର ମାସରେ ତେର ପର୍ବପର୍ବାଣୀ। ତା ମଧ୍ୟରୁ ଶାମ୍ବ ଦଶମୀ ପର୍ବ ଅନ୍ୟତମ। ପୌଷ ମାସ ଶୁକ୍ଲପକ୍ଷ ଦଶମୀ ତିଥି ରେ ଏହି ପର୍ବ ପାଳନ କରାଯାଏ। ଏହି ଦିନ ଘରେ ଘରେ ସକଳ ଶକ୍ତି ର ଆଧାର ପ୍ରଭୂ ସୂର୍ଯ୍ୟ ନାରାୟଣ ଙ୍କୁ ଭକ୍ତି ଓ ନିଷ୍ଠାର ସହିତ ପୂଜା କରାଯାଏ। ପୁରାଣ ରେ ବର୍ଣ୍ଣିତ ହୋଇଛି ଯେ, ଦ୍ଵାପର ଯୁଗରେ ପ୍ରଭୂ ଶ୍ରୀ କୃଷ୍ଣ ଙ୍କ ପୁତ୍ର ଶାମ୍ବ ନିଜ ରୂପ ଲାବଣ୍ୟ କୁ ନେଇ ଗର୍ବ କରୁଥିଲେ। ଏହି କାରଣ କୁ ନେଇ ସେ ସମସ୍ତ ମୁନି ଋଷି, ବୟୋଜ୍ୟେଷ୍ଠ ମାନଙ୍କୁ ଅଣଦେଖା କରୁଥିଲେ। ପ୍ରଭୁ ଶ୍ରୀ କୃଷ୍ଣ ତ ଗର୍ବ ଗଞ୍ଜନ ନରହରି। ସେ ଦେବର୍ଷି ନାରଦ ମୁନିଙ୍କ ସହିତ ମିଶି ଏକ ମାୟା ରଚନା କରିଥିଲେ। ପ୍ରଭୂ ଶ୍ରୀ କୃଷ୍ଣ ନିଜ ଅଷ୍ଠରାଣୀ ଙ୍କ ସହିତ ଆମୋଦ ପ୍ରମୋଦ ରେ ମାତି ଥିବା ବେଳେ ଦେବର୍ଷି ନାରଦ ଙ୍କ ପରାମର୍ଶ କ୍ରମେ ଶାମ୍ବ ସେହି ସ୍ଥାନ କୁ ଯାଆନ୍ତେ
ପ୍ରଭୂ ଶ୍ରୀ କୃଷ୍ଣ ରାଗିଯାଇ ଶାମ୍ବ ଙ୍କୁ ଅଭିଶାପ ଦେଇ କହିଥିଲେ ଯେଉଁ ରୂପ ଲାବଣ୍ୟ ପାଇଁ ତୁମେ ଗର୍ବ କରୁଛ ତାହା ଲୋପ ପାଇ ତୁମଙ୍କୁ କୁଷ୍ଠ ରୋଗ ହେଉ। ଭଗବାନ ଶ୍ରୀ କୃଷ୍ଣ ଙ୍କ ଅଭିଶାପ ଫଳରେ ଶାମ୍ବ କୁଷ୍ଠ ରୋଗ ରେ ଆକ୍ରାନ୍ତ ହୋଇ ପଡ଼ିଥିଲେ। ନିଜ ର ଭୁଲ ବୁଝି ସେ ନିଜ ପିତା ଶ୍ରୀ କୃଷ୍ଣ ଙ୍କ ନିକଟରେ କ୍ଷମା ପ୍ରାର୍ଥନା ମାଗି ତାଙ୍କୁ କୁଷ୍ଠ ରୋଗ ରୁ ମୁକ୍ତି ପାଇଁ ପ୍ରାର୍ଥନା କରିଥିଲେ। ପ୍ରଭୂ ଶ୍ରୀ କୃଷ୍ଣ ଶାମ୍ବ ଙ୍କୁ ପରାମର୍ଶ ଦେଇ ଥିଲେ ସେ ଦେବର୍ଷି ନାରଦ ଙ୍କ ସାହାଯ୍ୟ ନେବାକୁ। ଶାମ୍ବ ଦେବର୍ଷି ନାରଦ ଙ୍କୁ ସାକ୍ଷାତ କରି ନିଜ ଦୋଷ ସ୍ଵୀକାର କରି ସେ କିପରି ପିତୃ ଅଭିଶାପ ରୁ ମୁକ୍ତି ପାଇବେ ଉପାୟ ବତାଇ ଦେବାକୁ ତାଙ୍କୁ ଅନୁରୋଧ କରି ଥିଲେ। ଦେବର୍ଷି ନାରଦ ଶାମ୍ବ ଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ତୁମେ କଳିଙ୍ଗ ରାଜ୍ୟ ର ସମୁଦ୍ର କୂଳ ରେ ଥିବା ମୈତ୍ରେୟ ମୁନି ଙ୍କ ଆଶ୍ରମ କୁ ଯାଇ ସେଠାରେ ସୂର୍ଯ୍ୟ ନାରାୟଣ ଙ୍କୁ ଆରାଧନା କର। ସୂର୍ଯ୍ୟ ନାରାୟଣ ଦୟା କଲେ ତୁମେ ଏହି କୁଷ୍ଠ ରୋଗ ରୁ ମୁକ୍ତି ପାଇ ତୁମ ପୂର୍ବ ସୋନ୍ଦର୍ୟ୍ଯ ଫେରି ପାଇବ। ଦେବର୍ଷି ନାରଦ ଙ୍କ ପରାମର୍ଶ କ୍ରମେ ଶାମ୍ବ ପୁରାଣ ବର୍ଣ୍ଣିତ ମୈତ୍ରେୟ ଋଷିଙ୍କ ଆଶ୍ରମ ବର୍ତ୍ତମାନ ର କୋଣାର୍କ ର ଅବଧୂତ ମଠ ରେ ପହଞ୍ଚି ଋଷି ମୈତ୍ରେୟ ଙ୍କ ସରଣାପର୍ଣ୍ଣ ହୋଇଥିଲେ। ଋଷି ଙ୍କ କହିବା ଅନୁସାରେ ଶାମ୍ବ ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇ ସବୁ ଦିନ ପ୍ରାତଃ, ମଧ୍ୟାହ୍ନ, ସଂଧ୍ୟା ରେ ସୂର୍ଯ୍ୟ ନାରାୟଣ ଙ୍କୁ ଆରାଧନା କଲେ।ଦୀର୍ଘ ବାର ବର୍ଷ ଧରି ତପସ୍ୟା କରିବା ପରେ ସୂର୍ଯ୍ୟ ନାରାୟଣ ଶାମ୍ବ ଙ୍କ ପୂଜା ଓ ଭକ୍ତି ରେ ସନ୍ତୁଷ୍ଟ ହୋଇ ତାଙ୍କୁ କୁଷ୍ଠ ରୋଗ ରୁ ମୁକ୍ତି ପ୍ରଦାନ କରିବା ସହିତ ତାଙ୍କ ର ପୂର୍ବ ରୂପ ଲାବଣ୍ୟ ପ୍ରଦାନ କରିଥିଲେ। ଶାମ୍ବ ଚନ୍ଦ୍ରଭାଗା ତୀର୍ଥରେ ଏହି ପୌଷ ମାସ ଶୁକ୍ଲପକ୍ଷ ଦଶମୀ ତିଥି ରେ ବୁଡ଼ ପକାଇବାପରେ ତାଙ୍କୁ କୁଷ୍ଠ ରୋଗ ରୁ ମୁକ୍ତି ମିଳିଥିଲା ଓ ଶାମ୍ବ ସେହି ଦିନ ପାଣି ରୁ ଏକ ମିତ୍ରାଦିତ୍ୟ (ସୂର୍ଯ୍ୟ ଦେବତା) ଙ୍କ କମନୀୟ ମୂର୍ତ୍ତି ପାଇଥିଲେ। ଶାମ୍ବ ଏହି ମୂର୍ତ୍ତିକୁ କୋଣାର୍କ ଠାରେ ସ୍ଥାପନା କରି ପୂଜା କରିବା ସହିତ ସୂର୍ଯ୍ୟ ନାରାୟଣ ଙ୍କ
ପାଇଁ ଏକ ରଥଯାତ୍ରା ଆରମ୍ଭ କରିଥିଲେ। ସେଥିପାଇଁ ଏହି ଦଶମୀ ତିଥି କୁ ଶାମ୍ବ ଙ୍କ ନାମାନୁସାରେ ଶାମ୍ବ ଦଶମୀ କୁହାଯାଇ ଆସୁଛି। ଏହି ଦିନ ସୂର୍ଯ୍ୟ ନାରାୟଣ ଙ୍କୁ ଆରାଧନା କଲେ ସର୍ବ ରୋଗ ବ୍ୟାଧି ରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ଶାମ୍ବ ଦଶମୀ ଦିନ ପ୍ରତି ଓଡ଼ିଆ ଙ୍କ ଘରେ ଭକ୍ତି ଓ ନିଷ୍ଠାର ସହିତ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୋଇଥାଏ। ଘର ଅଗଣା କୁ ଲିପା ପୋଛା କରି ପଞ୍ଚ ମୁରୁଜ ପକାଇ ପୁର୍ଣ୍ଣକୁମ୍ଭ ସ୍ଥାପନା କରାଯାଇ ଏକ ପିଢ଼ା ଉପରେ ଏକ ଗୁଆ କୁ ସୂର୍ଯ୍ୟ ନାରାୟଣ ଙ୍କ ପ୍ରତୀକ ଭାବେ ସ୍ଥାପନା କରାଯାଏ। ପ୍ରାତଃ ରେ ଉଦୟ ଭାନୁ ଙ୍କୁ ଫଳ ମୂଳ, ପୋଡ଼ ପିଠା ଓ ମିଷ୍ଟାନ୍ନ, ମଧ୍ୟାହ୍ନ ର ତେଜୋଦୀପ୍ତ ତପନ ଙ୍କୁ ଖେଚୁଡ଼ି,
ଶିମ୍ବ ମିଶ୍ରିତ ବ୍ୟଞ୍ଜନ, ପିଠା, ଖିରି ଓ ଅପରାହ୍ନ ରେ ଅସ୍ତଗାମୀ ଅଂଶୁମାନ ଙ୍କୁ କାକରା, ମାଲପୁଆ ପ୍ରଭୃତି ଭୋଗ ଲାଗି କରାଯାଇଥାଏ।ଧର୍ମୀୟ ଭାବନା ଅନୁସାରେ ଆମ ଓଡ଼ିଶା କୁ ଚାରିଧାମ ରେ ବିଭକ୍ତ କରାଯାଇ ବର୍ଷକ ବାର ମାସ ରୁ ପ୍ରତି ତିନି ମାସରେ ଗୋଟିଏ ରଥଯାତ୍ରା ର
ଆୟୋଜନ କରାଯାଇଆସୁଛି। ବୈଶାଖ, ଜ୍ୟେଷ୍ଠ ଓ ଆଷାଢ଼ ମାସ କୁ ନେଇ ପ୍ରଥମ ରେ ଶଙ୍ଖନାଭି ମଣ୍ଡଳ ଶ୍ରୀକ୍ଷେତ୍ର ପୁରୀ ଠାରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବା ଘୋଷଯାତ୍ରା ଅନୁଷ୍ଠିତ ହେଉଥିବା
ବେଳେ ଶ୍ରାବଣ,ଭାଦ୍ରବ ଓ ଆଶ୍ଵିନ ମାସ କୁ ନେଇ ଦ୍ୱିତୀୟ ଥର ଯାଜପୁର ସ୍ଥିତ ଆଦିମାତା ବିରଜା ଙ୍କ ଗଦା କ୍ଷେତ୍ର ଠାରେ ରଥଯାତ୍ରା, କାର୍ତ୍ତିକ, ମାର୍ଗଶିର ଓ ପୌଷ ମାସ କୁ ନେଇ ତୃତୀୟ ଥର କୋଣାର୍କ
ପଦ୍ମ କ୍ଷେତ୍ର ଠାରେ ସୂର୍ଯ୍ୟ ନାରାୟଣ ଙ୍କ ରଥଯାତ୍ରା, ମାଘ, ଫଗୁଣ ଓ ଚୈତ୍ର ମାସ କୁ ନେଇ ଚତୁର୍ଥ ଥର ଚକ୍ର କ୍ଷେତ୍ର ଏକାମ୍ର (ଭୁବନେଶ୍ୱର) ଠାରେ ଲିଙ୍ଗରାଜ ମହାପ୍ରଭୂ ଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ପୁରାଣ ବର୍ଣ୍ଣିତ ମୈତ୍ରେୟ ବନ ବା ଆଜି ର କୋଣାର୍କ ଠାରେ ଅନୁଷ୍ଠିତ ହୋଇଆସୁଥିବା ସୂର୍ଯ୍ୟ ନାରାୟଣ ଙ୍କ ରଥଯାତ୍ରା ଏକ ଅନନ୍ୟ ମହୋତ୍ସବ ଭାବେ ପରିଚିତ ହୋଇ ଆସୁଛି। ପ୍ରଭୂ ଶ୍ରୀ କୃଷ୍ଣ ଙ୍କ ପୁତ୍ର ଶାମ୍ବ ଙ୍କ ଦ୍ଵାରା କୋଣାର୍କ ଠାରେ ଆରମ୍ଭ ହୋଇଥିବା ସୂର୍ଯ୍ୟ ନାରାୟଣ ଙ୍କ ରଥଯାତ୍ରା ରାଜା ପୁରନ୍ଦର କେଶରୀ ଓ ଲାଙ୍ଗୁଳା ନରସିଂହ ଦେବ ବଜାୟ ରଖିଥିଲେ। ପରବର୍ତ୍ତୀ ସମୟରେ ସୂର୍ଯ୍ୟ ନାରାୟଣ ଙ୍କ ମନ୍ଦିର ଭାଙ୍ଗି ଯିବାରୁ କୋଣାର୍କ ଠାରେ ସୂର୍ଯ୍ୟ ନାରାୟଣ ଙ୍କ ପୁଜାର୍ଚ୍ଚନା ଓ ରଥ ଯାତ୍ରା ବନ୍ଦ ହୋଇ ଯାଇଥିବା ମାଦଳା ପାଞ୍ଜି ରୁ ସୂଚନା ମିଳେ। ଅନନ୍ତ ଅବଧୂତ ମଠ ସ୍ବର୍ଗତ ମହନ୍ତ ଆର୍ତ୍ତତ୍ରାଣ ଦାସ, ଅର୍କକ୍ଷେତ୍ର ର ବିଶିଷ୍ଟ ଗବେଷକ ଡକ୍ଟର ଉପେନ୍ଦ୍ରନାଥ ଭୋଳ ଓ ଅର୍କଶ୍ରୀ ର ସଂପାଦକ ଉମେଶ ସ୍ୱାଇଁ ପ୍ରମୁଖ ଙ୍କ ପ୍ରଚେଷ୍ଟା ରେ ୧୯୯୮ ମସିହା ରୁ କୋଣାର୍କ ଠାରେ ପୁନଃ ସୂର୍ଯ୍ୟ ନାରାୟଣ ଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଏବେ କୋଣାର୍କ ର ଅନନ୍ତ ଅବଧୂତ ମଠ, ଓଡ଼ିଶା ରାଜ୍ୟ ସୌର ବ୍ରାହ୍ମଣ ପରିଷଦ, ଅର୍କକ୍ଷେତ୍ର
ଗାୟତ୍ରୀ ପରିବାର ପକ୍ଷରୁ ଆନନ୍ଦ ଉଲ୍ଲାସର ସହିତ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ପୁରାଣ ବର୍ଣ୍ଣିତ ମୈତ୍ରେୟ ଋଷିଙ୍କ ଆଶ୍ରମ ବା ଶ୍ରୀ କୃଷ୍ଣ ଙ୍କ ପୁତ୍ର ଶାମ୍ବ ଙ୍କ ତପସ୍ୟା ସ୍ଥଳୀ କୋଣାର୍କ ର ସର୍ବ ପୂରାତନ ଅବଧୂତ ମଠ ପରିସର ରୁ ଏହି ସୂର୍ଯ୍ୟ ନାରାୟଣ ଙ୍କ ରଥଯାତ୍ରା ବାହାରି ଚନ୍ଦ୍ରଭାଗା ସ୍ଥିତ ଛୋଟାରାମ ବାବା ଙ୍କ ଆଶ୍ରମ ରେ ପହଞ୍ଚିଥାଏ। ଶାମ୍ବ ଦଶମୀ ପ୍ରତ୍ୟୁଷ ରୁ ପାରମ୍ପରିକ ରୀତିନୀତି ରେ ସୂର୍ଯ୍ୟ ନାରାୟଣ ଙ୍କ ଚଳନ୍ତି ପ୍ରତିମା ମିତ୍ରାଦିତ୍ୟ ଙ୍କୁ ରଥାରୂଢ଼ କରାଯିବାପରେ ଉଦୟ କାଳୀନ ସୂର୍ଯ୍ୟ ଙ୍କୁ କାକରା ପିଠା ଭୋଗ ଲାଗି କରାଯିବା ସହିତ ଅର୍କବଟ ପୂଜା, ସପ୍ତାଶ୍ଵ ଙ୍କ ସହିତ ରଥ ର ପାଶ୍ୱ ଦେବା ଦେବୀ ମାନଙ୍କୁ
୧୦୮ ଟି ବରା ଭୋଗ ଅର୍ପଣ କରାଯାଇ ଥାଏ। ଅନନ୍ତ ଅବଧୂତ ମଠ ର ମହନ୍ତ ରଥ ଉପରେ ଛେରା ପହଁରା କାର୍ଯ୍ୟ କରିଥାନ୍ତି। ସେଠାରେ ଉପସ୍ଥିତ ଶ୍ରଦ୍ଧାଳୁ ମାନେ ହରିବୋଲ ହୁଳହୁଳି ପକାଇ ସୂର୍ଯ୍ୟ ନାରାୟଣ ଙ୍କ ରଥ କୁ ଚନ୍ଦ୍ରଭାଗା ତୀର୍ଥ ଅଭିମୁଖେ ଟାଣି ନେଇଥାନ୍ତି। ଛୋଟାରାମ ବାବା ଙ୍କ ଆଶ୍ରମ ରେ ରଥ ପହଞ୍ଚିବା ପରେ ମିତ୍ରାଦିତ୍ୟ ( ସୂର୍ଯ୍ୟ ନାରାୟଣ) ଙ୍କୁ ଚନ୍ଦ୍ରଭାଗା ତୀର୍ଥ ଓ ମହୋଦଧି ର ଶୁଦ୍ଧ ପବିତ୍ର ଜଳ ରେ ସ୍ନାନ କରାଯାଇଥାଏ। ସେହି ଆଶ୍ରମ ରେ ୨୭ ଦିନ ଧରି ୨୭
ନକ୍ଷତ୍ର ରେ ମିତ୍ରାଦିତ୍ୟ ଙ୍କୁ ପୂଜାର୍ଚ୍ଚନା
କରାଯିବାପରେ ପବିତ୍ର ମାଘ ମାସ ଶୁକ୍ଲ ସପ୍ତମୀ (ମାଘ ସପ୍ତମୀ) ତିଥି ରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥାଏ । କୋଣାର୍କ ଠାରେ ଅନୁଷ୍ଠିତ ହୋଇ ଆସୁଥିବା ସୂର୍ଯ୍ୟ ନାରାୟଣ ଙ୍କ ରଥଯାତ୍ରା ଏକ ଅନନ୍ୟ ପରମ୍ପରା ଭାବେ ପାଳିତ ହୋଇ ଆସୁଛି କାହିଁ କେତେ କାଳରୁ। ଜୟ ଶ୍ରୀ ସୂର୍ଯ୍ୟ ନାରାୟଣ।

ସନ୍ତୋଷ କୁମାର ଦାଶ।
ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ