ଶାରଳା ବିହନ ବଜାରରେ ଅଭାବ : ଗଜା ହେଉନି ପୂଜା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ବର୍ତ୍ତମାନ ଚାଷୀମାନେ ଚାଷଜମିରେ ଧାନ ବିହନ ବୁଣୁଛନ୍ତି । ଚାଷୀମାନଙ୍କ ପାଇଁ ଶ୍ରେଷ୍ଠ ବିହନ ହେଉଛି ଶାରଳା । କିନ୍ତୁ ଶାରଳା ବିହନ ଏବେ ବଜାରରେ ମିଳୁନାହିଁ । ବଜାରରେ ଏବେ ପୂଜା ବିହନ ମିଳୁଛି । କିନ୍ତୁ ପୂଜା ବିହନ ଗଜା ହେଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଚାଷୀଙ୍କ ମଧ୍ୟରେ ଭାଳେଣି ପଡିଯାଇଛି । କାରଣ ସେମାନେ ଯେଉଁ ପରିମାଣର ବିହନ ସରକାରୀ ହୋଲସେଲିଂରୁ କିଣୁଛନ୍ତି ସେଥିରୁ ମାତ୍ର ୩୦ ପ୍ରତିଶତ ଗଜା ହେଉଛି । ବାକି ବିହନ ଗଜା ହେଉନାହିଁ । ତେଣୁ ବିହନ କିଣି ଚାଷୀମାନେ ଠକାମୀର ଶିକର ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏପଟେ କୃଷି ବିଭାଗ ସଫେଇ ଦେଉଛି ଯେ ଶାରଳା ବିହନ ଅଭାବ ଥିଲେ ମଧ୍ୟ ପୂଜା ବିହନ ତାର ବିକଳ୍ପ ଭାବେ ବ୍ୟବହାର ହୋଇ ପାରିବ । ଏହାକୁ ନେଇ ଚାଷୀମାନେ ଆଶଙ୍କିତ ହୁଅନ୍ତୁ ନାହିଁ । କିନ୍ତୁ ଚାଷୀମାନେ କହୁଛନ୍ତି ବଜାରକୁ ଯେଉଁ ପୂଜା ବିହନ ପଠାଯାଇଛି ତାହାର ପ୍ରକ୍ରିୟାକରଣ ସଠିକ ଢଙ୍ଗରେ କରାଯାଇନାହିଁ । ତେଣୁ ଏହି ଅବସ୍ଥା ଚାଷୀମାନଙ୍କୁ ଭୋଗିବାକୁ ପଡୁଛି । ଜଝାଙ୍ଗ ଅଞ୍ଚଳର ଚାଷୀ ହରେକୃଷ୍ଣ ବେହେରା କହିଛନ୍ତି ସେ ୭ ବ୍ୟାଗ ବିହନ କପାଳେଶ୍ୱରରେ ଥିବା ଏକ ଡିଲରଙ୍କ ଠାରୁ କିଣିଥିଲେ । ପରେ ଏହି ବିହନକୁ ବୁଣିବା ପାଇଁ ପ୍ରକ୍ରିୟାକରଣ କରିଥିଲେ । ହେଲେ ଏହି ବିହନରୁ ମାତ୍ର ୩୦ ପ୍ରତିଶତ ଗଜା ହେଲା । ବାକି ବିହନ ଗଜା ହେଉନାହିଁ । ତେଣୁ ଆମେ ଯେତିକି ପରିମାଣର ତଳି ଅମଳ କରିବା ପାଇଁ ଯୋଜନା କରିଛୁ ତାହା ହୋଇ ପାରିବ ନାହିଁ । ଆମର ଶାରଳା ବିହନ ଉପରେ ଭରଷା ଅଛି । କିନ୍ତୁ ଶାରଳା ବିହନ ଏବେ ବଜାରରେ ମିଳୁନାହିଁ । କଳାବଜାରୀ କରିବା ପାଇଁ ଶାରଳା ବିହନକୁ ଜାଣିଶୁଣି ବଜାରରେ ଉପଲବ୍ଧ କରାଯାଉନାହିଁ । ନିମ୍ନମାନର ବିହନ ବଜାରକୁ ଛାଡିଲେ ଚାଷୀମାନେ ହତାଶ ହେବେ । ଫଳରେ ବାଧ୍ୟହୋଇ କଳାବଜାରରେ ଶାରଳା ବିହନ କିଣିବେ । ଏହିପରି ଏବେ କରାଯାଉଛି । କୃଷି ବିଭାଗର ଏହା ଉପରେ ଅଙ୍କୁଶ ରହୁନାହିଁ । ଏହା ଉପରେ ଅଙ୍କୁଶ ନ ଲାଗିଲେ ଭବିଷ୍ୟତରେ ଏକ ବିରାଟ ସମସ୍ୟା ମୁଣ୍ଡ ଟେକିବ ବୋଲି ଚାଷୀମାନେ କହୁଛନ୍ତି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହିମାଂଶୁ ମୋହନ ମିଶ୍ର କହିଛନ୍ତି ଶାରଳା ବିହନ ଚଳିତ ବର୍ଷ ଆବଶ୍ୟକତା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାକୁ ଯୋଗାଇ ଦିଆଯାଇନାହିଁ । କିନ୍ତୁ ପୂଜା ବିହନ ଗଜା ହେବା କଥା । ହେଲେ କାହିଁକି ଚାଷୀମାନେ ଯେଉଁ ପୂଜା ବିହନ କିଣୁଛନ୍ତି ତାହା ଗଜା ହେଉନାହିଁ ସେ ସମ୍ପର୍କରେ ଅନୁସନ୍ଧାନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ