ଶାରୀରିକ ଦୂରତ୍ଵ, ହାତଧୁଆ, ମାସ୍କ ପିନ୍ଧିବା ଭଳି ପ୍ରତିଷେଧକକୁ ଭୁଲିବା ଅନୁଚିତ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ୧୯ ସଂକ୍ରାନ୍ତ ୧୬ତମ ମନ୍ତ୍ରୀଗୋଷ୍ଠୀ ସ୍ତରୀୟ ବୈଠକ ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ. ଜୟଶଙ୍କର, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ, ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଜାହାଜ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେଙ୍କ ସମେତ ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସାମାଜିକ ଦୂରତ୍ଵ ରକ୍ଷା କରି ବୈଠକରେ ଯୋଗଦେଇଥିଲେ । ଦେଶରେ କୋଭିଡ-୧୯ର ସବିଶେଷ ସ୍ଥିତି ନେଇ ମନ୍ତ୍ରୀମଣ୍ଡଳୀୟ ଦଳ (ଜିଓଏମ)ଙ୍କୁ ବୈଠକରେ ଅବଗତ କରାଯାଇଥିଲା । ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଏବଂ ଲକଡାଉନ ଯୋଗୁଁ ରୋଗ ପରିଚାଳନାରେ ମିଳିଥିବା ସଫଳତା ସମ୍ପର୍କରେ ଏଥିରେ ଦର୍ଶାଯାଇଥିଲା । ଦେଶରେ ଆର୍ଥିକ କାର୍ଯ୍ୟକଳାପ ଚାଲୁ କରାଯାଇଥିବା ସତ୍ଵେ କୋଭିଡ-୧୯ ପାଇଁ ଥିବା ପ୍ରତିଷେଧକ ବ୍ୟବସ୍ଥାରେ ଯେପରି ସାଲିସ ନକରାଯାଏ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଜିଓଏମ ଅଧ୍ୟକ୍ଷ ଡଃ ହର୍ଷ ବର୍ଦ୍ଧନ କହିଥିଲେ ଯେ, ଦେଶ ବର୍ତ୍ତମାନ ଅନଲକ -୧ ପର୍ଯ୍ୟାୟରେ ପହଞ୍ଚିଛି । ସେଦୃଷ୍ଟିରୁ ଅନେକ କଟକଣା ମଧ୍ୟ ହଟାଯାଇଛି, ତେବେ ଆମକୁ ଅଧିକ ଶୃଙ୍ଖଳିତ ରହି ସାମାଜିକ ଦୁରତ୍ଵ, ସର୍ବସାଧାରଣ ସ୍ଥାନରେ ମାସ୍କର ବ୍ୟବହାର, ବାରମ୍ବାର ହାତ ଧୋଇବା ଭଳି ପ୍ରତିଷେଧକ ନିୟମ ମାନିବାକୁ ହେବ । ଏଥିରେ କୌଣସି କୋହଳତା ଅବଲମ୍ବନ କରିବା ଅନୁଚିତ ବୋଲି ସେ ଦୃଢ ଭାବେ କହିଛନ୍ତି । ବର୍ତ୍ତମାନ ସମସ୍ତ ସରକାରୀ କାର୍ଯ୍ୟାଳୟ କାର୍ଯ୍ୟ ଆରମ୍ଭ କରୁଥିବାରୁ ସମସ୍ତ ବିଭାଗୀୟ ମୁଖ୍ୟ ସାମାଜିକ ପ୍ରତିଷେଧକ ବ୍ୟବସ୍ଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ସେ ନିବେଦନ କରିଛନ୍ତି । ଏହାଛଡା ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ କରି ନିଜ ଆଡୁ ଥିବା କୋଭିଡ-୧୯ ସଂକ୍ରାନ୍ତ ବିପଦରୁ ସୁରକ୍ଷିତ ରହିବା ପାଇଁ ସେ ସ୍ମରଣ କରାଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ୧୨.୫୫ କୋଟିରୁ ଅଧିକ ଲୋକ ଏହି ଆପକୁ ଡାଉନଲୋଡ କରିଛନ୍ତି । ଜିଓଏମକୁ ଦେଶରେ କ୍ରମବର୍ଦ୍ଧିଷ୍ଣୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ମଧ୍ୟ ଅବଗତ କରାଯାଇଥିଲା । ୦୯.୦୬.୨୦୨୦ ସୁଦ୍ଧା କୋଭିଡ ସମ୍ପର୍କିତ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ରମଶଃ ଦୃଢୀଭୂତ ହେବା ସହ ୯୫୮ଟି ଉତ୍ସର୍ଗିକୃତ କୋଭିଡ ହସ୍ପିଟାଲରେ ୧,୬୭,୮୮୩ଟି ଏକାନ୍ତବାସ ଶଯ୍ୟା, ୨୧,୬୧୪ଟି ଆଇସିୟୁ ଶଯ୍ୟା ଏବଂ ୭୩,୪୬୯ ଅମ୍ଳଜାନ ସହାୟକ ଶଯ୍ୟାର ବ୍ୟବସ୍ଥା ରହିଛି । ୨,୩୧୩ଟି ଉତ୍ସର୍ଗିକୃତ କୋଭିଡ-୧୯ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧,୩୩,୦୩୭ଟି ଏକାନ୍ତବାସ ଶଯ୍ୟା, ୧୦,୭୪୮ଟି ଆଇସିୟୁ ଶଯ୍ୟା ଏବଂ ୪୬,୬୩୫ଟି ଅମ୍ଳଜାନ ସହାୟକ ଶଯ୍ୟା କାର୍ଯ୍ୟକ୍ଷମ ରହିଛି । ଅଧିକନ୍ତୁ ୭,୫୨୫ କୋଭିଡ ଯତ୍ନ କେନ୍ଦ୍ରରେ ୭,୧୦,୬୪୨ ଶଯ୍ୟା ବର୍ତ୍ତମାନ ଦେଶରେ ଉପଲବ୍ଧ ରହିଛି । ଏଥିସହ ୨୧,୪୯୪ଟି ଭେଣ୍ଟିଲେଟରଯୁକ୍ତ ଶଯ୍ୟା ମଧ୍ୟ ଉପଲବ୍ଧ ରହିଛି । କେନ୍ଦ୍ର ୧୨୮.୪୮ ଲକ୍ଷ ଏନ-୯୫ ମାସ୍କ, ୧୦୪.୭୪ ଲକ୍ଷ ପିପିଇ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଯୋଗାଇଦେଇଛି । ଏହାଛଡା କେନ୍ଦ୍ର ସରକାର ଆଉ ୬୦,୮୪୮ଟି ଭେଣ୍ଟିଲେଟର ପାଇଁ ମଧ୍ୟ ବହିନା ଦେଇଛନ୍ତି । ୫୫୩ଟି ସରକାରୀ ଓ ୨୩୧ଟି ଘରୋଇ ଏହିପରି ମୋଟ ୭୮୪ ପରୀକ୍ଷାଗାର ସହ ଆଇସିଏମଆରର ପରୀକ୍ଷା ସାମର୍ଥ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୪୯ ଲକ୍ଷ ପରୀକ୍ଷଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୪୧,୬୮୨ ନମୁନା ପରୀକ୍ଷା କରାଯାଇଛି । ଏହି ବୈଶ୍ଵିକ ମହାମାରୀର ମୁକାବିଲା ସତ୍ଵେ ଜରୁରୀକାଳିନ ଜିନିଷ ଦେଶରେ କିଭଳି ଉପଲବ୍ଧ କରାଯାଇପାରିଛି ସେ ସମ୍ପର୍କରେ କ୍ଷମତା ସମ୍ପନ୍ନ ୫ର ଅଧ୍ୟକ୍ଷ ଶ୍ରୀ ପରମେଶ୍ଵର ନାୟାର ସୂଚନା ଦେଇଥିଲେ । ଆଇସିଏମଆରର ସଂକ୍ରାମକ ରୋଗ ତତ୍ଵବିତ ଡଃ ରମଣ ଗଙ୍ଗା ଖେଡକର ଦେଶରେ ନମୁନା ପରିକ୍ଷଣର ବୃଦ୍ଧି, ପରୀକ୍ଷାଗାର ଗୁଡିକର ସ୍ଥିତି ଏବଂ ରେମ୍ଡେସିଭିଆର ଏବଂ ହାଇଡ୍ରୋକ୍ସି କ୍ଲୋରୋକୁଇନ ଭଳି ରୋଗ ପ୍ରତିଷେଧକର ବ୍ୟବହାର ଉପରେ ଆଲୋକପାତ କରିଥିଲେ । ଏପର୍ଯ୍ୟନ୍ତ ଦେଶରେ ୧,୨୯,୨୧୪ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୪,୭୮୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏଥିସହିତ ଆରୋଗ୍ୟ ଲାଭ ୪୮.୪୭%କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୨୯,୯୧୭ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ପ୍ରୀତି ସୁଦନ, ଓଏସଡି ରାଜେଶ ଭୂଷଣ, ଅତିରିକ୍ତ ସଚିବ ଶ୍ରୀମତୀ ଆରତୀ ଆହୁଜା ଏବଂ ଆଇସିଏମଆରରୁ ଡଃ ରମଣ ଗଙ୍ଗା ଖେଡକର ଭିଡିଓ କନଫରେନ୍ସ ଜରିଆରେ ବୈଠକରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ