‘ଶାଲା ରିଂ ଲିଡ଼ର’ ଡକ୍ଟର ସିଦ୍ଧାର୍ଥ କାନୁନଗୋ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଡକ୍ଟର ସିଦ୍ଧାର୍ଥ କାନୁନଗୋ-ଊନବିଂଶ ଶତାବ୍ଦୀର ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଫକୀର ମୋହନ ସେନାପତି । ଏଥିପାଇଁ ପ୍ରତିପକ୍ଷ ବଙ୍ଗାଳୀମାନେ ତାଙ୍କୁ ଘୃଣା କରି ତାଙ୍କ ନାମ ଧରିବାକୁ ମଧ୍ୟ କୁଣ୍ଠା ପ୍ରକାଶ କରୁଥିଲେ । ସେମାନଙ୍କ ଭାଷାରେ ଫକୀର ମୋହନ ଥିଲେ ‘ଶାଲା ରିଂ ଲିଡ଼ର’ ଉତ୍କଳ ଦୀପିକା ନେତୃତ୍ୱରେ କର୍ମବୀର ଗୌରୀଶଙ୍କର ରାୟ ଏବଂ ବାଲେଶ୍ୱର ସାମ୍ବାଦବାହିକା ଆନୁକୂଲ୍ୟରେ ଫକୀର ମୋହନ ଏହି ମସୀ ଯୁଦ୍ଦରେ ଯେଉଁ ପରାକାଷ୍ଠା ଦେଖାଇଛନ୍ତି ତା’ର ପଟ୍ଟାନ୍ତର ନାହିଁ । ଆମକୁ ମନେ ରଖିବାକୁ ହେବ ଯେ, ସେ କବିଯଶଃପ୍ରାର୍ଥୀ ହୋଇ ଲେଖନୀ ଚାଳନା କରିନଥିଲେ, ସାହିତ୍ୟ ସେବା ତାଙ୍କ ପାଇଁ ଥିଲା ଏକ ମିଶନ । ଏହି ସାହିତ୍ୟ ମାଧ୍ୟମରେ ଏକ ମୃତକଳ୍ପ ଜାତିପ୍ରାଣରେ ସେ ଭରି ଦେଇଥିଲେ ଗଭୀର ଆତ୍ମବିଶ୍ୱାସ ଓ ଅପୂର୍ବ ପ୍ରାଣୋପ୍ରଚୋଦନ । ମାତ୍ର ପରିତାପର ବିଷୟ ଏହି ଯେ, ହୀନମାନ୍ୟତା ଗ୍ଲାନିରେ ସଂକ୍ରମିତ ସେ ସମୟର ତଥାକଥିତ ବାବୁଗୋଷ୍ଠୀଙ୍କ ମାତୃଭାଷା ଓ ସାହିତ୍ୟକୁ ଯଥୋଚିତ ଅନାଦର । ବିଦେଶୀ ଶାସକଙ୍କ ନିକଟରେ ସ୍ପଳ୍ପ ଇଂରାଜୀ ଶିକ୍ଷା ସେମାନଙ୍କ ମର୍ଯ୍ୟାଦା ଓ ସମ୍ମାନ ଆଣିଦେଉଥିଲା ବୋଲି ବିଶ୍ୱାସ କରୁଥିଲେ । ମାତ୍ର ଏହାଦ୍ୱାରା ସେ ଜାତିର ମେରୁଦଣ୍ଡ ଦୁର୍ବଳ ହୋଇଯାଇଥିଲା, ତାହା ସେମାନେ ବୁଝିପାରୁ ନଥିଲେ । ଏପରି ଅବିମୃଶ୍ୟକାରୀଯ ସମାଜକୁ ଚେତାବନୀ ଶୁଣାଇଥିଲେ ଫକୀର ମୋହନ । ଫକୀର ମୋହନଙ୍କ ସୃଷ୍ଟି ସମ୍ଭାର ଉପରେ ଆଲୋଚନା କଲାବେଳେ ସମାଲୋଚକମାନେ କାଳଜୟୀ ଗଳ୍ପ ଓ ଉପନ୍ୟାସ ଉପରେ ଆଲୋକପାତ କରିଥାନ୍ତି । ଏକଥା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ, ଫକୀର ମୋହନ ହେଉଛନ୍ତି ଓଡ଼ିଆ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସର ଜନକ । ଔପନ୍ୟାସିକ ଓ ଗାଳ୍ପିକ ଫକୀର ମୋହନଙ୍କ ସାଧନପୂତ ଜୀବନରେ ଏହି ଦିଗ ପ୍ରତି ସମାଲୋଚକଙ୍କୁ ଦଷ୍ଟି ବିଶେଷ ଭାବେ ପଡ଼ିଥାଏ । କିନ୍ତୁ ଏକଥା ଆମକୁ ସ୍ୱୀକାର କରିବାକୁ ହୁଏ ଯେ, ଆମ ଜାତୀୟ ଜୀବନର ଅବକ୍ଷୟ ଯୁଗରେ ଫକୀରମୋହନ ହିଁ ଏକମାତ୍ର ଓଡ଼ିଆ, ଜନନେତା ଓ ପବ୍ଲିକମ୍ୟାନ ଥିଲେ । ସାମାଜିକ ଜୀବନରେ ଭୀରୁତା, ଅଶିକ୍ଷା ଓ କୁସଂସ୍କାର ବିରୁଦ୍ଧରେ ତାଙ୍କ ଅଙ୍ଗୀକାରବଦ୍ଧ ସଂଗ୍ରାମ ଓଡ଼ିଆ ଜାତିକୁ ଏକ ନୂତନ ଦିଗ ଦେଖାଇଥିଲା । ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଯେଉଁ ଜାତୀୟ ଆନ୍ଦୋଳନ ହୋଇଥିଲା, ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା । ଏହାର ପୁରୋଭାଗରେ ଥିଲେ ଫକୀର ମୋହନ ସେନାପତି । ଆନୁଷ୍ଠାନିକ ଭବେ ଭାରତୀୟ ଜାତୀୟ କଂଗ୍ରେସ ବହୁ କାଳ ପରେ ୧୯୨୦ ମସିହାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନେତୃତ୍ୱରେ ଓଡ଼ିଶାରେ ପ୍ରତିଷ୍ଠିତ ହୋଇଥିଲା । ସାମନ୍ତବାଦୀ ସାମାଜିକ ବ୍ୟବସ୍ଥା ଏବଂ ଔପନ୍ୟାସିକ ପରାଧୀନତାର ମାୟା ଜାଲରେ ଆଚ୍ଛାଦିତ ଏକ ପରିଚୟହୀନ ଜାତି ପାଇଁ ଜନନେତା ଫକୀର ମୋହନ ହିଁ ହେଉଛନ୍ତି ବାର୍ତ୍ତାବହ । ଗୋଟିଏ ଜାତିର, ଆତ୍ମାର ସମ୍ମାନ ଆମେ ପାଇପାରିବା ତା’ର ସମୃଦ୍ଧ ସାହିତ୍ୟରୁ । ଜାତୀୟ ଚିନ୍ତା, ଦର୍ଶନ, ଆକାଂକ୍ଷା, ଆଦର୍ଶ ଓ ସ୍ୱାଭିମାନକୁ ଚିହ୍ନିହୁଏ ସେହି ଜାତିର ସାହିତ୍ୟରୁ । ତେଣୁ ଦେଶର ଉନ୍ନତି କାମନା କରୁଥିବା ପ୍ରତ୍ୟେକ ହୈତେଷୀଙ୍କ ତତ୍କାଳୀନ ସମାଜର ଜାତୀୟ ନେତା ଫକୀର ମୋହନ ଯଥାର୍ଥରେ ଏକଥା କହିଥିଲେ । କବି ଫକୀ ମୋହନ ଜଣେ ପଣ୍ଡିତ ବ୍ୟକ୍ତି ଥିଲେ । ସେ ଓଡ଼ିଆ ଭାଷା ବ୍ୟତୀତ ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ଭାଷା ମଧ୍ୟ ଜାଣିଥିଲେ । ଏପରି ପାର୍ସି ଓ ଇଂରାଜୀ ଭାଷାରେ ତାଙ୍କ କାମଚଳା ଜ୍ଞାନ ଥିଲା । ବହୁ ଦେଶ ଭ୍ରମଣ କରି ବିଭିନ୍ନ ଭାଷାଭାଷୀ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ହେଁ ସର୍ବତ୍ର ତାଙ୍କୁ ନିଜ ମାତୃଭାଷାର ମାଧୁରୀ ଆଲୋକିତ କରିଥିଲା ।


