ଶାଳଣିଆଁରେ ଔଷଧ ବ୍ୟବସାୟୀଙ୍କ ଦୋକାନ ଉପରେକୁ ସଂଘବଦ୍ଧ ଆକ୍ରମଣ, ୪ଆହତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ବଜାରରେ ଥିବା ଶିବଶକ୍ତି ଔଷଧ ଦୋକାନ ଉପରେକୁ ୪ଜଣ ଯୁବକ ସଂଘବଦ୍ଧ ଆକ୍ରମଣ କରିବାରୁ ୪ଜଣ ଆହତ ହୋଇଥିବାବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ଔଷଧ ଦୋକାନୀ ଦିପ୍ତୀ ଶଙ୍କର ଖଣ୍ଡେଇ ଥାନାରେ କରିଥିବା ଅଭିଯୋଗ ଅନୁଯାଇ ଗତ ୧୫ତାରିଖ ଦିନ ସେ ଦୋକାନରେ ବସିଥିବାବେଳେ ତାଙ୍କ କକା ଢ଼ାଇପୋଖରୀ ଗ୍ରାମର ପ୍ରକାଶ କୁମାର ସା ଔଷଧ କିଣିବାକୁ ଆସିଥିଲେ । ସେହି ସମୟରେ ଶାଳଣିଆଁ ଗ୍ରାମର କୃଷ୍ଣଚନ୍ଦ୍ର ବେହେରା, ଜଳଧର ସା, ପିଣ୍ଟୁ କବି, ସୋଲପଟା ଗ୍ରାମର କାଳନ୍ଦୀ ଜେନା ପ୍ରମୁଖ ତାଙ୍କ ଦୋକାନ ପାଖରେ ପହଞ୍ଚି ପ୍ରକାଶ କୁମାର ସାଙ୍କୁ ଗାଳିଗୁଲଜ କରି ଧକ୍କା ମାରିଥିଲେ । ଏହାଦେକି ଦିପ୍ତୀଙ୍କ ସାନଭାଇ ଶକ୍ତି ଶଙ୍କର ଦୌଡି ଆସି ପ୍ରକାଶଙ୍କୁ ରକ୍ଷା କରିବାକୁ ଯିବାବାଳେ ସେମାନେ ଶକ୍ତିଙ୍କୁ ଆକ୍ରମଣ କରି ଆହତ କରିଥିଲେ । ଏହାଦେଖି ଅଂଶୁମାନ ଖଣ୍ଡେଇ ନାମକ ଜଣେ ସମ୍ପର୍କୀୟ ଯୁବକ ଶକ୍ତିକୁ ଉଦ୍ଧାର କରିବାକୁ ଆସିଥିବାବେଳେ ସେମାନେ ତାକୁ ମଧ୍ୟ ଆକ୍ର୍ରମଣ କରି ଆହତ କରିଛନ୍ତି । କାହାକୁ ପଥରେ ତ ଆଉ କାହାକୁ ଭଙ୍ଗା ଥଣ୍ଡା ବୋତଲରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ସେହିପରି ଦିପ୍ତୀଙ୍କ ୮୫ବର୍ଷୀୟ ଜେଜେମାଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିବାକୁ ପଛେଇ ନାହାନ୍ତି । ଆହତ ମାନଙ୍କୁ ପ୍ରଥମେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଏନେଇ ଦିପ୍ତୀ ଶଙ୍କର ଖଣ୍ଡେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ଥାନା କେସନଂ ୧୮୪/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଯୁବକମାନେ ବାରମ୍ବାର ଏଭଳି ଗଣ୍ଡଗୋଳ କରି ବଜାରରେ ଅଶାନ୍ତି ସୃଷ୍ଟି କରୁଥିଲେବି ପୁଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।