ଶାଳଣିଆ ଶାଖା କେନାଲ ଅବସ୍ଥା ଶୋଚନୀୟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ଶାଳଣିଆ ଶାଖା କେନାଲ ଅବସ୍ଥା ଦିନକୁ ଦିନ ଦୟନୀୟ ହୋଇପଡିବା କାରଣରୁ ଲୋକମାନେ ଯାତାୟତ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ କେନାଲିଟି ପଡୋଶୀ କେନ୍ଦୁଝର ଜିଲ୍ଲାରୁ ବାହାରି ମଞ୍ଜୁରୀରୋଡ ନିକଟ ଦେଇ ଯଶୋଟିକିରି ଠାରେ ୧୬ନଂ ଜାତୀୟ ରାଜପଥକୁ ଅତିକ୍ରମ କରି ଆଖୁଆପଦା ୩ନଂ ହାଇଲେବୁଲ କେନାଲ ନିକଟରେ ଶେଷ ହୋଇଛି । କେନାଲର ରକ୍ଷଣାବେକ୍ଷଣ ଦାୟିତ୍ୱ ଶାଳପଡା ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ହାତରେ ଥିବାବେଳେ କ୍ଷତ୍ରୀୟ ଅଧିକାରୀ ଭାବେ ଶାଳଣିଆ ଉପସକାରୀ ନିର୍ବାହୀ ଯନ୍ତ୍ରୀ ଓ ମଞ୍ଜୁରୀରୋଡ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି । କେନାଲଟିର ଦୈର୍ଘ୍ୟ ପ୍ରାୟ ୧୫କି.ମି. ଥିବାବେଳେ ଏହା ଉପରେ ମଞ୍ଜୁରୀରୋଡ ଅଞ୍ଚଳର ଅର୍ଦ୍ଧାଧିକ ଲୋକ ଯାତାୟତ ପାଇଁ ନିର୍ଭର କରିଥାଆନ୍ତି । ଏହାଛଡା ବନ୍ଦାଳୋ-ମଢିଆଳୀ, ଝୁଟୁଣା ପଞ୍ଚାୟତର ଲୋକେ ଓ ବନସ୍ତା ନେରଡା ଓ ଯଶୋଟିକିରି ଭଳି ବୃହତ୍ତ ଗ୍ରାମର ଜନସାଧାରଣ ମାନେ ରାତିପାହିଲେ ସାଇକେଲ କିମ୍ବା ମୋଟର ସାଇକେଲରେ କେନାଲ ରାସ୍ତା ଦେଇ ବ୍ଲକ କାର୍ଯ୍ୟାଳୟ ଓ ଜାତୀୟ ରାଜପଥକୁ ଯାଇଥାଆନ୍ତି । ଗୁରୁତ୍ୱ ଦୃଷ୍ଟିରୁ କେନାଲ ବନ୍ଧର ବିରିଡି ଠାରୁ ଶେଷ ଯାଏଁ କଂକ୍ରିଟ କିମ୍ବା ପିଚ ନିର୍ମାଣ ପାଇଁ ଅନେକ ଦିନ ହେବ ସ୍ଥାନୀୟ ଅଞ୍ଚଳର ଲୋକେ ବିଭାଗ ନିକଟରେ ଦାବି ଜଣାଇଆସୁଥିଲେ ସୁଦ୍ଧା କେହି ଏହାକୁ ଶୁଣୁନାହାଁନ୍ତି । ଯେଉଁଥି ପାଇଁ ସାମାନ୍ୟ ବର୍ଷା ହେଲେ ମୋରମ ମାଟି ମିଶା କେନାଲ ବନ୍ଧ ଖାଲ ଖମାରେ ଭର୍ତ୍ତି ହୋଇଯାଉଛି । ଯାହା ଫଳରେ ସାଇକେଲ କିମ୍ବା ମୋଟରସାଇକେଲ ଆରୋହୀ ଯାତାୟତ କରିବା ପାଇଁ ସୁରକ୍ଷିତ ମଣୁନାହାଁନ୍ତି । ଗମନାଗମନକୁ ସୁଗମ କରିବା ପାଇଁ ସରକାର କୋଟିକୋଟି ଟଙ୍କା ବ୍ୟୟ କରୁଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ ତାହା ସଠିକ ଜାଗାରେ ବିନିଯୋଗ ହୋଇପାରୁନଥିବା ଏଥିରୁ ସ୍ପଷ୍ଟ ଅନୁମେୟ । ଏହାଛଡା କେନାଲ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ମୁଖ୍ୟ କାର୍ଯ୍ୟାଳୟଟି କେନ୍ଦୁଝର ଜିଲ୍ଲାରେ ହୋଇଥିବାରୁ ଅଧିକାରୀମାନେ ପାତରଅନ୍ତର ନୀତି ଅବଲମ୍ବନ କରୁଥିବା ସ୍ଥାନୀୟ ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି । ତେଣୁ ବ୍ଲକର ଶେଷ ସୀମାରେ ଥିବା ଉକ୍ତ କେନାଲ ବନ୍ଧ ରାସ୍ତାକୁ ସ୍ଥାୟୀ ମରାମତି ପାଇଁ ସାଂସଦ, ବିଧାୟକ ଓ ଜିଲ୍ଲାପଳ ଦୃଷ୍ଟି ଦେବା ନିହାତୀ ଜରୁରୀ ବୋଲି ବଦ୍ଧିଜୀବି ମାନେ ମତଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ