ଶାଳବଣି ରାଧାଗୋବିନ୍ଦ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ପାଳିତ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଶାଳବଣୀ ଠାରେ ଥିବା ରାଧାଗୋବିନ୍ଦ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିପାଇଁ ସକାଳୁ ମନ୍ଦିର ପୁରୋହିତ ଶଶିକାନ୍ତ ଷଡଙ୍ଗୀଙ୍କ ଦ୍ୱାରା ମଙ୍ଗଳଆଳତୀ, ପହିଲିଧୂପ, ପହିଲିଭୋଗ ଆଦି ଲାଗିକରାଯିବା ପରେ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥିଲା । ରାଧାଗୋବିନ୍ଦ ଫାଉଣ୍ଡେସନର ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତି ଓ ସାଗରୀକା ମହାନ୍ତି କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିବାବେଳେ ଆଗିରିଆ, ଜମ୍ଭରା, ବାଲିପଦା, ଶାଳବଣି, ଡିମିରିଆ, ଧାଇପୋଖରୀ ଆଦି ଗ୍ରାମର ଶ୍ରଦ୍ଧାଳୁମାନେ ଠାକୁରଙ୍କ ପାଖରେ ଭୋଗରାଗ କରିବା ସହିତ ପ୍ରଭୂଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଶାଳବଣି ଗ୍ରାମର ସମସ୍ତ ଗ୍ରାମବାସୀ ପୂଜାକାର୍ଯ୍ୟରେସହଯୋଗ କରିଥିଲେ ।