ଶାଶ୍ୱତ ପ୍ରେମ
ସମଗ୍ର ବିଶ୍ୱ ଏବେ ହିଂସା, ସ୍ୱାର୍ଥପରତା, ପରଶ୍ରୀକାତରତା ଓ ଅଶାନ୍ତିର ବାତାବରଣ ମଧ୍ୟରେ କୁହୁଳିଛି । ସୁଖର ପିଛା କରୁଥିବା ମଣିଷ ପ୍ରତି କ୍ଷଣରେ ପଡ଼ୁଛି ହରଡ଼ ଘଟଣାରେ । ପ୍ରେମ ବଦଳରେ ପାଉଛି ପ୍ରତାରଣା । ନିଲାମ ହେଉଛି ପ୍ରେମ । ବଳିପଡ଼ୁଛି ସକଳ ଇଚ୍ଛା ଓ ଅଭିଳାଷା । ଏବେକାର ଯୁବକଯୁବତୀ ବାରମ୍ବାର ପ୍ରେମରେ ପଡ଼ୁଛନ୍ତି ଏବଂ ବାରମ୍ବାର ପ୍ରତାରଣାଣ ଶିକାର ହେଉଛନ୍ତି । ଗୋଟିଏ ପଟେ ପ୍ରେମରେ ସଫଳ ହୋଇଥିବା ମଣିଷମାନେ ତ୍ରାହି ତ୍ରାହି ଡାକୁଥିବାବେଳେ ଅନ୍ୟ ପଟେ ପ୍ରତାରଣାରେ ଶିକାର ହୋଇଥିବା ମଣିଷମାନେ ପ୍ରେମ ପାଇଁ ଆତୁର କଣ୍ଠରେ ଅପେକ୍ଷା କରି ରହୁଛନ୍ତି ଜନ୍ମ ଜନ୍ମକୁ ।
ଏଠାରେ ପ୍ରଶ୍ନ ଉଠେ, କାହିଁକି ଏସବୁ ହେଉଛି? କାହିଁକି ପ୍ରେମ ବଦଳାଉଛି ରୂପ? ସତରେ ଏହା କ’ଣ ପ୍ରେମ? ବାସ୍ତବରେ କହିବାକୁ ଗଲେ, ପ୍ରେମ ଶାନ୍ତି ଦିଏ । ପ୍ରେମ ମୁକ୍ତିର ମାର୍ଗକୁ ପ୍ରଶସ୍ତ କରେ । ପ୍ରେମ ସମଗ୍ର ଜୀବନକୁ ଆନନ୍ଦମୟରେ ଭରିଦିଏ । ବସ୍ତୁବାଦୀ ପ୍ରେମ ପ୍ରକୃତରେ ପ୍ରେମ ନୁହେଁ । ଏହା ହେଉଛି କ୍ଷଣିକ ଆକର୍ଷଣ, ମୋହ ଓ କାମନା । କାମନା ବାସନାରେ ଅନ୍ଧ ହୋଇ ଯୁବକଯୁବତୀ ପରସ୍ପରକୁ ପାଇବା ଲାଗି ଇଚ୍ଛା କରନ୍ତି । ଯେପରି ଜଣେ ବେପାରୀ ନିଜ ଜିନିଷ ବିକ୍ରି କରିବା ଲାଗି ନାନା ଉପାୟ ଅବଲମ୍ବନ କରିଥାଏ, ସେହିପରି ଯୁବକଯୁବତୀ ପରସ୍ପରକୁ ପାଇବା ନିମନ୍ତେ ନାନା ପନ୍ଥା ଅବଲମ୍ବନ କରିଥାନ୍ତି । ଯେତେବେଳେ ଉଦ୍ଦେଶ୍ୟ ପୂର୍ଣ୍ଣ ହୁଏ ଏବଂ ଉପଭୋଗ ସରିଯାଏ, ସେତେବେଳେ ନୂତନ କାମନା ଜନ୍ମ ନିଏ । ତେଣୁ ଉଭୟ ପୁଣି ଦୁଃଖୀ ହୋଇପଡ଼ନ୍ତି । ନୂଆ କାମନାର ଚରିତାର୍ଥ ନିମନ୍ତେ ଉଦ୍ୟମ ଚଳାନ୍ତି । ବାସ୍ତବତା ନ ଜାଣିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜନ୍ମ ଜନ୍ମାନ୍ତର ଧରି ଚାଲିଥାଏ । ସମ୍ପ୍ରତି ବୈବାହିକ ଜୀବନ ଅଶାନ୍ତି ହେବାର ମୂଳ କାରଣ ହେଉଛି ନିଜକୁ ଚିହ୍ନିବାରେ ମଣିଷ ଭୁଲ କରୁଛି । କର୍ତ୍ତବ୍ୟ ଓ ଦାୟିତ୍ୱବୋଧକୁ ଭୁଲି ଶାରୀରିକ ସୁଖକୁ ପ୍ରାଧାନ୍ୟ ଦେଉଛି । ସେହି ସୁଖର ତୃଷ୍ଣା ମେଣ୍ଟିଯିବା ପରେ ମଣିଷ ଭାବୁଛି ଅମୁକ ବ୍ୟକ୍ତିଠାରୁ ଯେଉଁ ସୁଖ ମିଳିବାର ଥିଲା, ତାହା ଏଇଠି ସରିଗଲା । ତା’ ମନରେ ହତାଶବୋଧ ମାଡ଼ିବସୁଛି । ପୁଣି ନୂତନ ସୁଖର ଅନ୍ୱେଷଣରେ ଘୂରିବୁଲୁଛି । ତେବେ ପ୍ରେମ ଅର୍ଥ କ’ଣ ଏଇୟା’? କେବେ ବି ନୁହେଁ । ଏସବୁକୁ କେବେ ପ୍ରେମ ବୋଲି କୁହାଯାଇପାରିବନାହିଁ ।
ଆତ୍ମା ଓ ପରମାତ୍ମାଙ୍କ ଅନାବିଳ ସମ୍ପର୍କ ହିଁ ବାସ୍ତବ ପ୍ରେମ । ଯିଏ ନିଜକୁ ଚିହ୍ନିପାରେ, ନିଜ ଦାୟିତ୍ୱକୁ ସଠିକ୍ ରୂପେ ବୁଝିପାରେ, ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ଅନୁଶୀଳନ କରିପାରେ, ସେ ହିଁ ବାସ୍ତବ ପ୍ରେମ କରିପାରେ । ସେହି ପ୍ରେମରେ ଲେଶମାତ୍ର ସ୍ୱାର୍ଥପରତା ନ ଥାଏ । ମନୁଷ୍ୟ ପରମାନନ୍ଦ ମଧ୍ୟରେ ଡୁବିଯାଏ । ଏହି ପ୍ରେମ କେବେ ହେଲେ କ୍ଷୀଣ ହୁଏ ନାହିଁ । ତ୍ରେତାଯୁଗରେ ଭଗବାନ ଶ୍ରୀରାମ ଏବଂ ହନୁମାନ, ଦ୍ୱାପରରେ ଭଗବାନ ଶ୍ରୀକୃଷ୍ଣ ଏବଂ ଶ୍ରୀରାଧା ଓ ଷୋଳ ସହସ୍ର ନାରୀଙ୍କ ପ୍ରେମ ଅନାବିଳ ତଥା ଶାଶ୍ୱତ ଥିଲା । ଈଶ୍ୱରଙ୍କ ପ୍ରତି ନିଃସ୍ୱାର୍ଥପର ପ୍ରେମ ଭାବ ଦ୍ୱାରା ମନୁଷ୍ୟ ମୋକ୍ଷ ପଥର ଯାତ୍ରୀ ପାଲଟିଯାଏ । ଅନ୍ୟ ଅର୍ଥରେ କହିବାକୁ ଗଲେ ଭକ୍ତିର ଉଚ୍ଚତମ ସୋପାନ ହେଲା ପ୍ରେମ । କେତେକଙ୍କ ମତରେ ପ୍ରେମ ବିନା ଭକ୍ତିର କୌଣସି ମୂଲ୍ୟ ନ ଥାଏ ।