ଶାସ୍ତ୍ରୀୟ ନୃତ୍ୟ ର ମହାକୁମ୍ଭ ୩୬ ତମ କୋଣାର୍କ ଉତ୍ସବ

ସନ୍ତୋଷ କୁମାର ଦାଶ

ଭାରତୀୟ ଶାସ୍ତ୍ରୀୟ ନୃତ୍ୟକୁ ଲୋକାଭିମୁଖୀ କରିବା, ଅର୍କକ୍ଷେତ୍ର କୋଣାର୍କ କୁ ଆନ୍ତର୍ଜାତୀୟ ସ୍ତର ରେ ପରିଚିତ କରାଇ ବିଦେଶୀ ପର୍ଯ୍ୟଟକ ମାନଙ୍କୁ ଓଡ଼ିଶାକୁ ଆକର୍ଷିତକରିବାକୁ ଲକ୍ଷ୍ୟ ନେ଼ଇ ସୂର୍ଯ୍ୟ ମନ୍ଦିର ର ବାମ ପାର୍ଶ୍ୱରେ ସ୍ଥାପିତ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ୧୯୮୯ ମସିହା ଠାରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା କୋଣାର୍କ ଉତ୍ସବ ୩୬ ବର୍ଷ ଅତିକ୍ରାନ୍ତ କରିଛି। ୧୯୯୯ ମସିହାରେ ଓଡ଼ିଶା ରେ ମହାବାତ୍ୟା ସଂଗଠିତ ହୋଇଥିଲା। କେବଳ ସେହି ବର୍ଷ କୋଣାର୍କ ଉତ୍ସବ କୁ ବନ୍ଦ କରି ଦିଆ ଯାଇଥିଲା। ପ୍ରଥମେ ଏହି ଉତ୍ସବ ୩ ଦିନ ହେଉଥିବାବେଳେ ୧୯୯୧ ମସିହା ଠାରୁ ଡ଼ିସେମ୍ବର ୧ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ହୋଇଆସୁଛି। ଚଳିତ ବର୍ଷ ଅନୁଷ୍ଠିତ ୩୬ ତମ କୋଣାର୍କ ଉତ୍ସବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଓଡ଼ିଶୀ ନୃତ୍ୟ ରୁ ଆରମ୍ଭ ହୋଇଥିଲା । ପ୍ରଥମ ସଂଧ୍ୟା ର ପ୍ରଥମ ପର୍ଯ୍ୟାୟରେ ସୋନାଲି ମହାପାତ୍ର ଙ୍କ ନୃତ୍ୟ ଅନୁଷ୍ଠାନ ନୃତ୍ୟ ଉପାସନା ର ନୃତ୍ୟଶିଳ୍ପୀ ମାନେ ପରିବେଷଣ କରିଥିଲେ ହନୁମାନ ଚାଳିଶା। ଏହାପରେ ନୃତ୍ୟ ଶିଳ୍ପୀ ମାନେ ଓଡ଼ିଶୀ ନୃତ୍ୟ ରେ ପରିବେଷଣ କରିଥିଲେ ସାରଙ୍ଗ ପଲ୍ଲବୀ। ଶେଷରେ ଚାରିଯୁଗ ର ଦେବ ଦେବୀ ପ୍ରଦର୍ଶିତ ହୋଇଥିଲା। ପ୍ରଥମ ଦିବସ ର ଦ୍ବିତୀୟ ପର୍ଯ୍ୟାୟ ରେ ଗୁରୁ ଆନନ୍ଦ ଶଙ୍କର ଜୟନ୍ତ ଓ ତାଙ୍କ ଦଳ ପକ୍ଷରୁ ପରିବେଷଣ ହୋଇଥିଲା ଭାରତ ନାଟ୍ୟମ। ଭକ୍ତ ରାମଦାସ ଙ୍କ ଦ୍ବାରା ତେଲୁଗୁ ଭାଷା ରେ ରଚିତ ଭଗବାନ ବିଷ୍ଣୁ ଙ୍କ ଦଶାବତାରମ କୁ ନୃତ୍ୟ ଶିଳ୍ପୀ ମାନେ ପ୍ରଦର୍ଶିତ କରିଥିଲେ। କୋଣାର୍କ ନୃତ୍ୟ ଉତ୍ସବ ର ଦ୍ବିତୀୟ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟ ରେ ବେଙ୍ଗାଲୁରୁ ର ପ୍ରଖ୍ୟାତ କୁଚୁପୁଡି ନୃତ୍ୟଶିଳ୍ପୀ ବୈଜୟନ୍ତୀ କାଶୀ ଙ୍କ ସମ୍ଭାବୀ ସ୍କୁଲ ଅଫ ଡାନ୍ସ ର ନୃତ୍ୟ ଶିଳ୍ପୀ ମାନେ ପରିବେଷଣ କରିଥିଲେ କୁଚୁପୁଡ଼ି ନୃତ୍ୟ। ୧୨ ଜଣ ନୃତ୍ୟ ଶିଳ୍ପୀ ମଞ୍ଚ ରେ ଦଳଗତ ଉପସ୍ଥାପନା ରେ ସମୁଦ୍ର ମନ୍ଥନ କଥାବସ୍ତୁକୁ ନୃତ୍ୟ ରେ ପ୍ରଦର୍ଶନ କରି ଭଗବାନ ବିଷ୍ଣୁ ଙ୍କୁ କାଳଜୟୀ,ରକ୍ଷାକର୍ତ୍ତା ଓ ଧର୍ମ ସଂସ୍ଥାପକ ରୂପେ ପ୍ରତିପାଦିତ କରିବାକୁ ଚେଷ୍ଠା କରିଥିଲେ। ଦ୍ୱିତୀୟ ଦିନ ର ଦ୍ବିତୀୟ ପର୍ଯ୍ୟାୟରେ କଲିକତା ରୁ ଆସିଥିବା ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶର୍ମିଲା ବିଶ୍ୱାସ ଙ୍କ ଓଡ଼ିଶୀ ଭିଜନ ଓ ମୁଭମେଣ୍ଟ ସେଣ୍ଟର ର ନୃତ୍ୟ ଶିଳ୍ପୀ ମାନେ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ। ନୃତ୍ୟଶିଳ୍ପୀ ମାନେ ମହାଲକ୍ଷ୍ମୀ ଷ୍ଟୋତ୍ରମ୍ ଓ ଆବର୍ତ୍ତନ ବିବର୍ତ୍ତନ ବିଷୟ କୁ ନୃତ୍ୟ ମାଧ୍ୟମ ରେ ପ୍ରଦର୍ଶିତ କରିଥିଲେ। ତୃତୀୟ ଦିବସ ର ପ୍ରଥମ ପର୍ଯ୍ୟାୟ ରେ ଭୁବନେଶ୍ୱର
ର ସୃଜନ ଅନୁଷ୍ଠାନ ପକ୍ଷରୁ ଗୁରୁ ରତିକାନ୍ତ ମହାପାତ୍ର ଓ ତାଙ୍କ ସାଥି ମାନେ ଓଡ଼ିଶୀ ନୃତ୍ୟ ରେ ପ୍ରଦର୍ଶନ କରିଥିଲେ ଅଦ୍ଵିତୀୟମ। ଏହି ନୃତ୍ୟ ପାଇଁ ପଣ୍ତିତ ଭୁବନେଶ୍ଵର ମିଶ୍ର, ପଣ୍ତିତ ରଘୁନାଥ ପାଣିଗ୍ରାହୀ ଓ ଗୁରୁ ଅଗ୍ନୀ ମିତ୍ର ବେହେରା ପ୍ରମୁଖ ସଙ୍ଗୀତ ସଂଯୋଜନା କରିଥିଲେ।
ଦ୍ୱିତୀୟ ପର୍ଯ୍ୟାୟ ରେ କେରଳ କଳା ମଣ୍ଡଳମ ଅନୁଷ୍ଠାନ ର ନୃତ୍ୟ ଶିଳ୍ପୀ ମାନେ କଥକଲି ନୃତ୍ୟ ରେ ଦୁର୍ଯ୍ୟୋଧନ ବଧ ପରିବେଷଣ କରିଥିଲେ। ନୃତ୍ୟ ଉତ୍ସବ ର ଚତୁର୍ଥ ଦିବସ ର ପ୍ରଥମ ପର୍ଯ୍ୟାୟ ରେ କଲିକତା ରୁ ଆସିଥିବା ବିମ୍ବାବତୀ ଦେବୀ ଙ୍କ ମଣିପୁରୀ ନର୍ତ୍ତନାଳୟ ର ନୃତ୍ୟ ଶିଳ୍ପୀ ମାନେ ପରିବେଷଣ କରିଥିଲେ ମଣିପୁରୀ ନୃତ୍ୟ।ସେମାନଙ୍କ ଉପସ୍ଥାପନା ରେ ଥିଲା ଲୀଳା କମଳ। ଦ୍ବିତୀୟ ପର୍ଯ୍ୟାୟରେ
ଓଡ଼ିଶୀ ନୃତ୍ୟ ଶିଳ୍ପୀ ମାନେ ପରିବେଷଣ କରିଥିଲେ ଚାରୁକେଶୀ
ପଲ୍ଲବୀ ଓ ନୃତ୍ୟ ନାଟିକା ଗଜାନନ।
ନୃତ୍ୟ ଉତ୍ସବ ର ଅନ୍ତିମ ଦିବସ ର ପ୍ରଥମ ପର୍ଯ୍ୟାୟ ରେ ଉତ୍କଳ ଡାନ୍ସ ଓ ରିସର୍ଚ୍ଚ ଏକାଡେମୀ ର ଓଡ଼ିଶୀ ନୃତ୍ୟ ଶିଳ୍ପୀ ଆରତୀ କର ଓ ତାଙ୍କ ସାଥି ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ନିୟତୀ ଓ ତ୍ରିପଥଗା ବିଷୟବସ୍ତୁ କୁ ନେଇ ନୃତ୍ୟ ଶିଳ୍ପୀ ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।୩୬ ତମ କୋଣାର୍କ ନୃତ୍ୟ ଉତ୍ସବ ର ଶେଷ କାର୍ଯ୍ୟକ୍ରମ ଥିଲା କଥକ ନୃତ୍ୟ। କଥକ ନୃତ୍ୟ ଶିଳ୍ପୀ ସଂଯୁକ୍ତା ସିହ୍ନା ଓ ତାଙ୍କ ସାଥି ମାନେ
ଆଦି ଅନନ୍ତ ଓ ଲୀଳା ବିଷୟବସ୍ତୁ କୁ ନେଇ କଥକ ନୃତ୍ୟ ପରିବେଷଣ କରିଥିଲେ। ଶେଷ ହୋଇଥିଲା ୩୬ ତମ କୋଣାର୍କ ନୃତ୍ୟ ଉତ୍ସବ। ପାଞ୍ଚ ଦିନ ବ୍ୟାପୀ କୋଣାର୍କ ର ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ କୋଣାର୍କ ନୃତ୍ୟ ଉତ୍ସବ କୁ ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ଓ
ନାଜିୟା ଆଲମ । ଏମାନଙ୍କୁ ସହଯୋଗ କରିଥିଲେ ଡ. ସଙ୍ଗୀତା ଗୋସାଇଁ। ୩୬ ତମ କୋଣାର୍କ ନୃତ୍ୟ ଉତ୍ସବ କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିବା ବେଳେ ରାଜ୍ୟପାଳ ଡ. ହରିବାବୁ
କମ୍ବମପତି ଆନୁଷ୍ଠାନିକ ଭାବେ ଉଦ ଯାପିତ କରିଥିଲେ। ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ଉକ୍ତ ଉତ୍ସବ ରେ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ
ହରିଚନ୍ଦନ,ବିଧାୟକ ଆଶ୍ରିତ ପଟ୍ଟନାୟକ, ଓମ ପ୍ରକାଶ ମିଶ୍ର, ତୁଷାର କାନ୍ତି ବେହେରା, ସୁନିଲ କୁମାର ମହାନ୍ତି, ପଦ୍ମ ଲୋଚନ ପଣ୍ଡା, ଆକାଶ ଦାସ ନାୟକ,ବିଧାୟିକା
ଉପାସନା ମହାପାତ୍ର, ସାଂସଦ ବିଭୁ ପ୍ରସାଦ ତରାଇ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପୋଲିସ ମହା ନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ, ପୁରୀ ଏସ ପି ପ୍ରତୀକ ସିଂ ପ୍ରମୁଖ ଯୋଗ ଦେଇ ନୃତ୍ୟ ଶିଳ୍ପୀ ମାନଙ୍କୁ ସମ୍ୱର୍ଦ୍ଧିତ କରିଥିଲେ। ଏହି ଉତ୍ସବ କୁ ସରସ ସୁନ୍ଦର କରିବା ପାଇଁ ଚନ୍ଦ୍ରଭାଗା ବେଳାଭୂମି ଠାରେ ୧୫ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ପଦ୍ମଶ୍ରୀ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ସ୍ପେନ, ରୁଷିଆ, ଜାପାନ, ପର୍ତ୍ତୁଗାଲ ଓ ଶ୍ରୀଲଙ୍କା ପ୍ରଭୃତି ଦେଶ ରୁ ୫ ଜଣ ଅର୍ନ୍ତଜାତୀୟ ବାଲୁକା କଳା ଶିଳ୍ପୀ ଙ୍କ ସହିତ ସମୁଦାୟ ୧୪୧ ଜଣ ବାଲୁକା କଳା ଶିଳ୍ପୀ ଏହି ଉତ୍ସବ ରେ ଯୋଗ ଦେଇ ୫ ଦିନ ଭିନ୍ନ ଭିନ୍ନ ବିଷୟବସ୍ତୁ
କୁ ନେଇ ବାଲୁକା କଳା ପ୍ରଦର୍ଶନ କରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଞ୍ଚ ଦିନ ବ୍ୟାପି ସାଇକେଲ ରାଲି,ଗଣ ଦୌଡ଼, ସାହିତ୍ୟ ଉତ୍ସବ ମାନ ଆୟୋଜନ ହୋଇଥିଲା। କୋଣାର୍କ ହେଲି ପ୍ୟାଡ ପଡ଼ିଆ ଠାରେ ମୀନା ବଜାର ଓ ଅପେରା ପାର୍ଟି ପକ୍ଷରୁ ନାଟକ ପ୍ରଦର୍ଶନ କରା ଯାଇଥିଲା। ପ୍ରଥମ ଥର ପାଇଁ ରାଜ୍ୟ ସରକାର ଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ବେଳାଭୂମି ଠାରେ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଅଞ୍ଚଳ ର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ୧୫୦ ରୁ ଉର୍ଦ୍ଧ୍ବ ଷ୍ଟଲ ଖୋଲା ଯାଇ ବିଭିନ୍ନ ପ୍ରକାରର ଖାଦ୍ୟ, ହାତ ତିଆରି ସାମଗ୍ରୀ,ଘର ସଜ୍ଜା ସାମଗ୍ରୀ, ପୋଷାକ ପତ୍ର ପ୍ରଭୃତି ବିକ୍ରୀ କରା ଯାଇଥିଲା। ୩୬ ତମ କୋଣାର୍କ ଉତ୍ସବ ପାଇଁ ସମଗ୍ର କୋଣାର୍କ ଅଞ୍ଚଳ ନବ ବଧୂ ପରି ସଜେଇ ହୋଇ ପଡ଼ିଥିଲା। ବିଭିନ୍ନ ଅପେରା ପାର୍ଟି ପକ୍ଷରୁ ୫ ଦିନ ବ୍ୟାପି ନାଟକ ପରିବେଷଣ କରା ଯାଇଥିଲା।୩୬ ତମ କୋଣାର୍କ ନୃତ୍ୟ ଉତ୍ସବ ପାଇଁ ସମଗ୍ର କୋଣାର୍କ ଅଞ୍ଚଳ ଉତ୍ସବ ମୁଖର ହୋଇପଡ଼ିଥିଲା।

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ