ଶାହରୁଖ ଓ ପ୍ରିୟଙ୍କାଙ୍କ ସହ ପରଫର୍ମ କରିବେ ଲେଡ଼ି ଗାଗା
କୋରୋନା ଭାଇରସ ସାରା ବିଶ୍ବକୁ କବଳିତ କରି ରଖିଛି। ସମସ୍ତ ଦେଶ ଏହା ବିରୋଧରେ ଏକ ଅଘୋଷିତ ଯୁଦ୍ଧ ଲଢ଼ୁଛନ୍ତି। ଭାରତ ସମେତ ଅନେକ ଦେଶରେ ସାମାଜିକ ଦୂରତା ଉପାୟ ଆପଣାଯାଉଛି। ଯଦିଓ ଔଷଧ ନ ମିଳିବା ଯାଏ ଏହି ଉତ୍ତର ସବୁବେଳେ ରହିବ। ଏବେ ସାରା ବିଶ୍ବର କଳାକାରମାନେ ଏହି ଯୁଦ୍ଧ ପାଇଁ ଆର୍ଥିକ ସହାୟତା ଯୋଗାଇବା ଲାଗି ଆଗେଇ ଆସିଛନ୍ତି। ସେମାନେ ସରକାରଙ୍କୁ ଆର୍ଥିକ ସହାୟତା କରୁଥିବା ଦେଖିବାକୁ ମିଳୁଛି। ଏବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ କୋଭିଡ-୧୯ ଯୁଦ୍ଧରେ ପାଣ୍ଠି ଏକାଠି କରିବା ପାଇଁ ଏକ ଇଭେଣ୍ଟର ଲାଇଭ ଷ୍ଟ୍ରିମିଂ କରିବାକୁ ଯାଉଛି।
ମିଡିଆ ରିପୋର୍ଟ ମୁତାବକ ଏହି ଲାଇଭ ଷ୍ଟ୍ରିମିଂରେ ଅନେକ ଲୋକପ୍ରିୟ ସେଲିବ୍ରିଟି ପରଫରମାନ୍ସ କରିବେ। ଭାରତ ପକ୍ଷରୁ ଶାହରୁଖ ଖାନ, ପ୍ରିୟଙ୍କା ଚୋପ୍ରା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ମିଳିଥିବା ଖବର ଅନୁସାରେ, ଏହି କାର୍ଯ୍ୟକ୍ରମରେ ଶାହରୁଖ ଓ ପ୍ରିୟଙ୍କାଙ୍କ ସହିତ ଲେଡି ଗାଗା, ଡେଭିଡ ବ୍ୟାକରିମ, ଜନ ଲେଜେଣ୍ଡ, ଏଲଟନ ଜନ ମଧ୍ୟ ଏହାର ଅଂଶ ହେବାକୁ ଯାଉଛନ୍ତି। ଏହି ଇଭେଣ୍ଟକୁ ଲୋକପ୍ରିୟ ଟକ ଶୋ’ ହୋଷ୍ଟ ଷ୍ଟିଫେନ କଲବର୍ଟ, ଜିମ୍ମି ଫଲାନ ଓ ଜିମ୍ମି କିମ୍ମେଲ ହୋଷ୍ଟ କରିବେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ଶୋ’ର ନାମ ‘ୱାନ ୱାର୍ଲ୍ଡ: ଟୁଗେଦର ଆଟ ହୋମ’ ରଖାଯାଇଛି।
ଏହି ଶୋ’ର ଉଦ୍ଦେଶ୍ୟ ହେଉଛି କୋଭିଡ-୧୯ ବିରୋଧରେ ଏକଜୁଟ ହୋଇ ଆର୍ଥିକ ସହାୟତା କରିବା ଓ ସାରା ବିଶ୍ବର ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ଉତ୍ସାହ ବଢ଼ାଇବା। ଏଥିରେ ରକବ୍ୟାଣ୍ଡ କୋଲଚୋର କ୍ରିସ, ମାର୍ଟିନ, ପର୍ଲ ଜ୍ୟାମଙ୍କ ଏଡି ଭେଦର, ଏଲ୍ଟନ ଜନ, ଜନ ଲିଜେଣ୍ଡ, ଲିଜୋ, ଜେ ବଲଭିନ, ଷ୍ଟିଭ ୱଣ୍ଡର, ଗ୍ରୀନ ତେ’ର ବିଲ୍ଲି ଜୋ ଆର୍ମଷ୍ଟ୍ରଙ୍ଗ, ଏଲୋନିସ ମୋରିସେଟ, ବଣ୍ଡ ବୟ, ଏଣ୍ଡ୍ରିଆ ବୋସେଲି, କ୍ୟାସି ମୁସଗ୍ରେବସ, କିଥ ଅର୍ବନଙ୍କ ଭଳି ଅନେକ ଲୋକପ୍ରିୟ ସେଲିବ୍ରିଟି ନିଜର ପରଫରମାନ୍ସ ଦେବେ। ଏହାକୁ ୧୮ ଏପ୍ରିଲରେ ଆମେରିକାର ଟେଲିଭିଜନ ନେଟୱର୍କ ଏବିସି, ସିବିଏସ ଓ ଏବିସିର ଅନଲାଇନରେ ପ୍ରସାରଣ କରାଯିବ।