ଶିଆଳିଆ-ବରହମପୁର ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ନିମ୍ନମାନର
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅଧିନ ଶିଆଳିଆ-ବରହମପୁର ଭାୟା ଦୋଳପଦୀ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ୬ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ ଦ୍ୱାରା କରାଯାଉଛି । ଗତ କିଛି ଦିନ ହେବ ସଂପୃକ୍ତ ଠିକାଦାର ଏହି ରାସ୍ତାର ନିର୍ମାଣ କାର୍ଯ୍ୟ କରୁଛନ୍ତି । ଦୋଳପଦୀ ସ୍କୁଲ ସମ୍ମୁଖ ଓ କଣ୍ଟିଗଢିଆ ଠାରେ ହେଉଥିବା ସିମେଣ୍ଟ କଂକ୍ରିଟ୍ ରାସ୍ତାର ଉଚ୍ଚତା ୮ ଇଞ୍ଚ ପରିବର୍ତ୍ତେ ୫ରୁ ୬ ଇଞ୍ଚ ହେଉଛି । ନିର୍ମାଣ କାର୍ଯ୍ୟ ବେଳେ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ସଠିକ୍ ଭାବେ ତଦାରଖ କରୁନାହାନ୍ତି । ଉକ୍ତ ରାସ୍ତା କାର୍ଯ୍ୟ ଡିମାର୍କେସନ ନହୋଇ ମନ ଇଛା ହେଉଛି । ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଏହି ରାସ୍ତା କାର୍ଯ୍ୟ ଚାଲିଛି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।