ଶିକାରୀଙ୍କ ଜାଲରେ ଫସିଲା ମାଆ ଓ ଛୁଆ ମାଙ୍କଡ଼

ଗାଙ୍ଗପୁର, (ସନ୍ତୋଷ ବିଶୋଇ):ଗଞ୍ଜାମ ବେଲଗୁଣ୍ଠା ବ୍ଳକ୍ ବେଣୀପଲ୍ଲୀ ପଂଚାୟତର ଓରିଗଡ଼ ଗ୍ରାମ ନିକଟରେ ଏକ ମାଙ୍କଡ଼ ଶିକାରୀଙ୍କ ଜାଲରେ ଫସି ଯାଇ ଜାଲ ଘେରା ଅବସ୍ଥାରେ ସେଠାରେ ଥିବା ଆଶ୍ରମର ଏକ ନଡ଼ିଆ ଗଛରେ ଚଢିଯାଇ ଯନ୍ତ୍ରଣାରେ ଛଟପଟ ହେଉଥିବା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି I ମାଙ୍କଡ଼କୁ ଏହି ଅବସ୍ଥାରୁ ଉଦ୍ଧାର କରିବା ପାଇଁ ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ ଏବଂ ପୂର୍ବତନ ସରପଞ୍ଚ ଗୁରୁନାଥ ମହାନ୍ତି ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥୀଙ୍କୁ ଖବର ଦେଇଥିଲେ I ଏନେଇ ଶ୍ରୀ ଶତପଥୀ ବନଖଣ୍ଡ ଅଧିକାରୀ ସୁଦର୍ଶନ ବାଦୀ ଏବଂ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ଙ୍କୁ ଜଣାଇଥିଲେ I ବନବିଭାଗର ନିର୍ଦ୍ଦେଶକ୍ରମେ ଏକ ଟିମ୍ ମାଙ୍କଡ଼ର ଉଦ୍ଧାର ପାଇଁ ଓରିଗଡ଼ ଗ୍ରାମରେ ପହଞ୍ଚିଥିଲେ ମଧ୍ୟ ସନ୍ଧ୍ୟା ହୋଇଯିବାରୁ ମାଙ୍କଡ଼ଟିକୁ ଉଦ୍ଧାର କରିପାରି ନଥିଲେ I ଆଜି ଦିନ ୧୦ ଘଣ୍ଟା ସମୟରେ ଗାଙ୍ଗପୁର ବନପାଳ ଯିବାନନ୍ଦ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ ଓରିଗଡ ଗ୍ରାମକୁ ଯାଇ ଏକ ଅଖା ଦ୍ଵାରା ରସି ବାନ୍ଧିକି ମାଙ୍କଡ଼ ଓ ତା ଛୁଆକୁ ଉଦ୍ଧାର କରି ଯାଲକୁ କାଟିବା ପରେ ତାକୁ କଦଳୀ ଖାଇବାକୁ ଦେଇ ଛାଡ଼ିଦେଇଥିଲେ I ସୂଚନା ପ୍ରକାରେ ବନ ବିଭାଗର ଉଦାସୀନତା ଯୋଗୁଁ ବେଣୀପଲ୍ଲୀ ଅଞ୍ଚଳରେ ପ୍ରତିଦିନ ଶିକାରୀ ମାନେ ଜାଲ,ଫାଶ ଏବଂ ଇଲେକ୍ଟ୍ରିକ୍ ତାର ବିଛାଇ କୁଟୁରା,ହରିଣ, ବାରହା ଭଳି ବନ୍ୟଜନ୍ତୁ ଶିକାର କରୁ୍ଥିବା ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି I ନିୟମିତ ଏହି ଅବାଧ ଶିକାର ଦ୍ୱାରା ଅଞ୍ଚଳରୁ କୁଟୁରା,ହରିଣ, ବାରହା ଭଳି ବନ୍ୟଜନ୍ତୁ ଲୋପ ପାଇବା ସହିତ ଶିକାର ପାଇଁ ବିଛା ଯାଇଥିବା ଜାଲରେ ମାଙ୍କଡ, ଗାଈଗୋରୁ ଏବଂ ଛେଳି ଭଳି ଜୀବ ମଧ୍ୟ ବେଳେ ବେଳେ ଫସି ଯାଉଛନ୍ତି I ତେଣୁ ଏହି ଅଞ୍ଚଳରେ ବନବିଭାଗ ତରଫରୁ କଡ଼ାକଡ଼ି ପାଟ୍ରୋଲିଂ କରି ବନ୍ୟଜନ୍ତୁ ଶିକାର ରୋକିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ