ଶିକ୍ଷକଙ୍କୁ ହତ୍ୟା ଘଟଣା- କେନାଲରେ ଅଧିକ ପାଣି ଯୋଗୁଁ ସ୍କୁଟି ଉଦ୍ଧାର ହେଲାନି

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କ ହତ୍ୟା ଘଟଣାକୁ ୫ଦିନ ବିତିଯାଇଥିଲେବି ପୁଲିସକୁ କୌଣସି ଠୋସ ସୁରାକ ମିଳିପାରି ନାହିଁ । ବିଶେଷକରି ରବିବାର ରାତିରେ ଶିକ୍ଷକଙ୍କୁ ହତ୍ୟା କରିବାପରେ ତାଙ୍କ ସ୍କୁଟି, ମୋବାଇଲକୁ ନେଇ ଫେରାର ହୋଇଥିବା ଦୁର୍ବୁତକୁ ଠାବ କରିବାରେ ପୁଲିସ ବିଫଳ ହୋଇଥିବାବେଳେ ସ୍କୁଟିକୁ ଖୋଜିବାପାଇଁ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରିବାପରେ ସଢ଼ା ନିକଟସ୍ଥ କେନାଲରେ ସ୍କୁଟିଟି ପଡିଥିବା କିଛି ଲୋକଙ୍କ ଠାରୁ ଶୁଣିବାକୁ ପାଇଥିଲା । ଆଜି ସ୍କୁଟିକୁ ଉଦ୍ଧାର କରିବାପାଇଁ ହାଟଡିହି ଦମକଳ ବାହିନୀର କର୍ମଚାରୀଙ୍କୁ ଡକାଯାଇଥିବାବେଳେ ସେମାନେ କେନାଲ କୁଳରେ ବସି ବସି ଫେରି ଯାଇଥିଲେ । ସେମାନଙ୍କ କହିବାକଥା ଯେ କେନାଲର ସେହି ସ୍ଥାନରେ ପାଣିର ଗଭୀରତା ଅଧିକ ଥିବାବେଳେ ପାଣିର ସୁଅ ଚାଲିଛି । ଯେଉଁ ସ୍ଥାନରେ ସ୍କୁଟି ପଡିଥିବା କୁହାଯାଉଛି କେନାଲର ପାଣି ନକମିଲେ ସେଠାରୁ ସ୍କୁଟି ଉଦ୍ଧାର କରିବା ସମ୍ଭବପର ନୁହଁ । ଦୁଇଦିନ ହେଲା ସ୍କୁଟି ପଡିଥିବା ଜଣାପଡିଥିଲେବି ଜଳସମ୍ପଦ ବିଭାଗକୁ କହି ଦୁଇ ତିନିଘଣ୍ଟା ପାଣି ବନ୍ଦ କରିଦେଲେ ପାଣି କମି ଯାଆନ୍ତା ଓ ସ୍କୁଟି ଯଦି ପଡିଛି ତାହାକୁ ଉଦ୍ଧାର କରାଯାଇ ପାରନ୍ତା । ମାତ୍ର ତାହା କରାନଯାଇ କଣ ପାଇଁ ବିଳମ୍ବ କରାଯାଉଛି ତାହା ବୁଝା ପଡୁନି । ପୁଲିସ ସନେ୍ଦହ ଘେରରେ ଥିବା ୫ଜଣବ୍ୟକ୍ତିଙ୍କୁ ଆଣି ଥାନାରେ ପଚରା ଉଚୁରା ଚଳାଇ ଥିଲେବି କୌଣସି ଠୋସ ପ୍ରମାଣ ପାଇପାରୁନି । ହତ୍ୟାକାରୀ ଜଣକ ଅତ୍ୟନ୍ତ ଚାଲାକ ଥିବାରୁ କୌଣସି ବି ପ୍ରମାଣ ଛାଡି ଯାଇ ନାହିଁ । ଏଠାରେ ସୁଚନାଯୋଗ୍ୟ ଯେ ଇଞ୍ଚୋଳ ଗ୍ରାମର ଅନିରୁଦ୍ଧ ସ୍ୱାଇଁ ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ମରୈଗାଁ ଛକରେ ଏକ ଭଡାଘରେ ରାତ୍ରୀଯାପନ କରନ୍ତି । ସେ ଗତ ୧୩ ତାରିଖ ରବିବାର ରାତିରେ ଭଡାଘରେ ରହିଥିବାବେଳେ କେହି ଦୁର୍ବୁତ ତାଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲା । ଏପରି ହତ୍ୟା କରିବାପରେ ସଂପୃକ୍ତ ଶିକ୍ଷକଙ୍କ ହେଲମେଟ, ସ୍କୁଟି ଓ ତାଙ୍କ ମୋବାଇଲକୁ ନେଇ ପଳାଇବା ସହ ଘରକୁ ବାହାରପଟୁ ତାଲା ପକାଇ ଦେଇଥିଲା । ପୁଲିସ ସେହିଦିନ ଠାରୁ ହତ୍ୟାକାରୀକୁ ଠାବ କରିବାପାଇଁ ଦିନରାତି ଏକ କରି ଦେଇଥିଲେବି ହତ୍ୟାକାରୀ ସମ୍ପର୍କରେ ସାମାନ୍ୟତମ ସୁରାକ ପାଇପାରିନି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ