ଶିକ୍ଷକ ଅନିରୁଦ୍ଧ ସ୍ୱାଇଁ ହତ୍ୟା ଘଟଣାକୁ ୨୪ଘଣ୍ଟା ବିତିଲା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କ ହତ୍ୟା ଘଟଣାକୁ ୨୪ଘଣ୍ଟା ବିତିଯାଇଥିଲେବି ପୁଲିସକୁ କୌଣସି ଠୋସ ସୁରାକ ମିଳିପାରି ନାହିଁ । ବିଶେଷକରି ରବିବାର ରାତିରେ ଶିକ୍ଷକଙ୍କୁ ହତ୍ୟା କରିବାପରେ ତାଙ୍କ ନାଲିସ୍କୁଟିକୁ ନେଇ ଫେରାର ହୋଇଥିବା ଦୁର୍ବୁତକୁ ଠାବ କରିବାରେ ପୁଲିସ ବିଫଳ ହୋଇଥିବାବେଳେ ନାଲି ସ୍କୁଟିକୁ ଖୋଜିବାପାଇଁ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ ଚଳାଇଛି । ଏଭିତରେ ପୁଲିସ ଗତକାଲି ରାତିରେ ସଢ଼ା ଅଞ୍ଚଳର ଜଣେ ବ୍ୟକ୍ତି ଓ ଯାଜପୁର ଅଞ୍ଚରୁ ଜଣେ ବ୍ୟକ୍ତିଙ୍କୁ ଆଣି ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି । ଆଜି ସକାଳେ କେନ୍ଦୁଝରରୁ ଫୋରେନସିକ ଓ ସାଇଣ୍ଟିଫିକି ଟିମ ପହଞ୍ଚି ତଦନ୍ତ କରିବାପରେ ଭଡାଘରୁ ଶବକୁ ବାହାର କରାଯାଇ ପୋଷ୍ଟମଟମ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା । ପୁଲିସ ମୃତ ଶିକ୍ଷକଙ୍କ ଟେଲିଫୋନଟିକୁ ପାଉ ନଥିବାରୁ ଟେଲିଫୋନର କଲ ଡିଟେଲସ ମଗାଇଛି । ସେଥିରୁ କିଛି ବଡ ସୁରାକ ପାଇବବୋଲି ଆଶା ରଖିଛି । ଏଠାରେ ସୁଚନାଯୋଗ୍ୟ ଯେ ଇଞ୍ଚୋଳ ଗ୍ରାମର ଅନିରୁଦ୍ଧ ସ୍ୱାଇଁ ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ମରୈଗାଁ ଛକରେ ଏକ ଭଡାଘରେ ରାତ୍ରୀଯାପନ କରନ୍ତି । ସେ ଗତ ରବିବାର ରାତିରେ ଭଡାଘରେ ରହିଥିବାବେଳେ କେହି ଦୁର୍ବୁତ ତାଙ୍କୁ ଏକ ଛୁରୀରେ ବିଭିନ୍ନ ସ୍ଥାନରେ ଆଘାତ କରି ହତ୍ୟା କରିଥିଲା । ଏପରି ହତ୍ୟା କରିବାପରେ ସଂପୃକ୍ତ ଶିକ୍ଷକଙ୍କ ହେଲମେଟ, ସ୍କୁଟି ଓ ତାଙ୍କ ମୋବାଇଲକୁ ନେଇ ପଳାଇବା ସହ ଘରକୁ ବାହାରପଟୁ ତାଲା ପକାଇ ଦେଇଥିଲା । ପରଦିନ ସେ ଶିଶୁ ଦିବସ ଥିବାରୁ ଓ ଶିକ୍ଷକ ଜଣକ ସ୍କୁଲକୁ ମିଠା ଓ ଟିଫିନ ନେଇ ଯିବାକୁ ଥିବାବେଳେ ସ୍କୁଲ ନଯିବା ଓ ଫୋନ ନଉଠାଇବାରୁ ଢ଼େଙ୍କା ହାଇସ୍କୁଲର ଶିକ୍ଷକମାନେ ତାଙ୍କ ପରିବାର ଲୋକଙ୍କୁ ସୁଚନା ଦେଇଥିଲେ । ପରିବାର ଲୋକେ ମରୈଗାଁ ଭଡାଘରେ ଚାବି ପଡିଥିବା ଓ କାନ୍ଥ ଓ ଦୁଆର ମୁହଁରେ ରକ୍ତଛିଟା ଦେଖିବାରୁ ତାଙ୍କର ସନେ୍ଦହ ହୋଇଥିଲା । ଅନିରୁଦ୍ଧର ଭାଇ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ ଆନନ୍ଦପୁର ଏସଡିପିଓ ପ୍ରସାନ୍ତ ବେହେରା ଏବଂ ମାଜିଷ୍ଟେଟ ରଶ୍ମୀରଞ୍ଜନ ସ୍ୱାଇଁଙ୍କ ଉପସ୍ଥିତିରେ ଘରର ତାଲା ଭଙ୍ଗାଯାଇ ଘରକୁ ଖୋଲାଯିବା ପରେ ଘର ଭିତର ଖଟ ଉପରେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଲଗ୍ନ ଅବସ୍ଥାରେ ଶିକ୍ଷକଙ୍କ ମୃତଦେହ ପଡି ରହିଥିବା ଦେଖିବାକୁ ମିଳିଥିଲା । ଘରର ଆସବାବପତ୍ର ଛିନଛତ୍ର ହୋଇ ପଡିଥିବାବେଳେ ତାଙ୍କ ବେକ ଓ ମୁଣ୍ଡକୁ କୌଣସି ଏକ ଧାରୁଆ ଅସ୍ତ୍ରରେ ଆଘାତ କରାଯାଇଥିବା ଓ ସେଠାରେ ଏକ ଛୁରୀ ପଡିଥିବା ପୁଲିସ ଦେଖିବାକୁ ପାଇଥିଲା । ଶିକ୍ଷକ ଅନିରୁଦ୍ଧ ବିବାହିତ ହୋଇଥିଲେ ବି ପତ୍ନୀ ଚାକିରୀ କରିଥିବାରୁ ସେ ପାଖରେ ରହୁ ନଥିଲେ । ଶିକ୍ଷକ ଜଣକ ସଢ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ରହିବା ସହିତ ସେ ପରିବାର ସହିତ ନିବିଡ ସମ୍ପର୍କ ରଖିଥିଲେ ଓ ଅଧିକାଶଂ ସମୟ ସେଠାରେ ରହୁଥିଲେ ବୋଲି ମୃତ ଶିକ୍ଷକଙ୍କ ଭାଇ ଅଭିଯୋଗ କରିବା ସହିତ କୌଣସି କାରଣକୁ ନେଇ ସେମାନେ ହତ୍ୟାକାଣ୍ଡ ଭିଆଇ ପାରିଥାନ୍ତି ବୋଲି ସନେ୍ଦହ କରି ଅଭିଯୋଗ ପତ୍ରରେ ଉଲେଖ କରିଛନ୍ତି । ନନ୍ଦିପଦା ପୁଲିସ ଥାନା କେସନଂ-୨୭୭/୨୦୨୨ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ