ଶିକ୍ଷକ ଅଭାବକୁ ନେଇ ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ବାଲିବରେଇ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଦେଖାଦେଇଛି ଅସନ୍ତୋଷ। ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସକାଳ ୧୦ଟା ରୁ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ରେ ବସିଛନ୍ତି। ସୂଚନା ରୁ ଜଣାଯାଇଛି ଯେ ଏହି ସ୍କୁଲରେପ୍ରଥମ ରୁ ପଞ୍ଚମ ପର୍ଯ୍ୟନ୍ତ ଥିବାବେଳେ ୫ଟି ଶ୍ରେଣୀରେ ୭୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି। ପୂର୍ବରୁ ଏଠାରେ ଦୁଇଜଣ ଶିକ୍ଷକ ଥିବାବେଳେ ଗତ କିଛିଦିନ ତଳେ ଜଣେ ଶିକ୍ଷକ ଉଚ୍ଚ ଚାକିରୀ ପାଇବାରୁ ଏଠାରୁ ଛାଡି ପଳାଇଥିଲେ। ଫଳରେ ଅନ୍ୟ ଜଣେ ଶିକ୍ଷୟିତ୍ରୀ ଙ୍କୁ ଏଠାକୁ ଡେପୁଟେସନ ରେ ଦିଆଯାଇଛି। ୫ଟି ଶ୍ରେଣୀକୁ ଦୁଇଜଣ ଶିକ୍ଷକ, ପୁଣି ଯିଏ ପ୍ରଧାନଶିକ୍ଷକ ଦାୟିତ୍ୱରେ ରହିଲେ ସେ ମଧ୍ୟାନ୍ନ ଭୋଜନ ଓ ଅଫିସ କାମରେ ତାଙ୍କର ଅଧା ସମୟ ଗଲା। ତେଣୁ ଶିକ୍ଷାଦାନ ଏକ ପ୍ରକାର ଠପ ହୋଇଯାଇଛି। ଏ ନେଇ ଗତ ଜୁଲାଇ ମାସରେ ୨୫ରୁ ଉର୍ଦ୍ଧ ଅଭିଭାବକ ବିଇଓଙ୍କ କାର୍ଯ୍ୟାଳୟକୁ ଯାଇ ଅଧିକ ଶିକ୍ଷକ ନିଯୁକ୍ତି ଦେବାକୁ ଦାବି କରିଥିଲେ। ୭ଦିନ ଭିତରେ ଶିକ୍ଷକ ନିଯୁକ୍ତି ଦେବାକୁ ବିଇଓ ପ୍ରତିଶୃତି ଦେଇଥିଲେ। ଶିକ୍ଷକ ନିଯୁକ୍ତି ଦେବେ କଣ ଏହି ସ୍କୁଲରେ ଡେପୁଟେସନ ରେ ଆସିଥିବା ଶିକ୍ଷୟିତ୍ରୀ ଜଣକ ପ୍ରଧାନଶିକ୍ଷକଙ୍କ ଅଜାଣତରେ ବିଇଓ ଙ୍କ କାର୍ଯ୍ୟାଳୟର ସୁପାରିଶରେ ୭ଦିନ ପାଇଁ ଛୁଟି ନେଇ ପଳାଇଛନ୍ତି। ଫଳରେ ଆଜକୁ ୪ଦିନ ହେଲା ଶିକ୍ଷାଦାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏକମାତ୍ର ପ୍ରଧାନଶିକ୍ଷକ ବିଦ୍ୟାଳୟକୁ ଯାଇ ମଧ୍ୟାନ୍ନ ଭୋଜନ ବୁଝିବା ସହ ପିଲାମାନଙ୍କୁ ଗୋଟିଏ କୋଠରୀରେ ବସାଇ ଜଗି ବସିବା ସାର ହେଉଛି। ଏହାକୁ ନେଇ ଆଜି ଅଭିଭାବକ ଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇବା ସହ ରାଜୀବ ଜେନା, ସ୍କୁଲ ଚେୟାରମ୍ୟାନ ବିଶ୍ୱବନ୍ଦିତା ସାମଲ, ଶାନ୍ତିଲତା ସାମଲ, ମଂଜୁଲତା ମହାନ୍ତି, ନାରାୟଣ ଜେନା, ଆନନ୍ଦ ବାରିକ, ସୋମନାଥ ନାଇକ, ଭୀମସେନ ନାଇକ, ଛୋଟୁ ମୁର୍ମୁ, ଚକ୍ର ହଁସଦା, ପୂର୍ଣ୍ଣିମା ଆୟଚ, ମିନତୀ ଜେନା, ଆନ ପୁହାଣ, ଘନଶ୍ୟାମ ବେହେରା, ମନୋଜ ବାରିକ, ଜୟନ୍ତୀ ଭୂୟାଁ, ରଥ ଟୁଡୁ, ସୀତା ଟୁଡୁଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ଅଭିବାବକ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ଏପରିକି ଛାତ୍ରଛାତ୍ରୀ ମାନେ ମଧ୍ୟ ଏଥିରେ ସାମିଲ ହୋଇ ନିକଟରେ ଥିବା ଏକ ଗଛମୂଳେ ବସି ଶିକ୍ଷକ ନିଯୁକ୍ତି ଦିଅ ସ୍କୁଲ ବଞ୍ଚାଅ ନାରା ଦେଉଥିଲେ। ଯଦି ଶିକ୍ଷକ ନଦେବ ତେବେ ସ୍କୁଲ ଉଠାଇ ନିଅ, ଶିକ୍ଷକ ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ଗତକାଲି ଠାରୁ ଜଣେ ଶିକ୍ଷକ ଙ୍କୁ ଡେପୁଟେସନ ରେ ପଠାଇଛୁ, ସେମାନେ ନିୟମିତ ଶିକ୍ଷକ ଦାବି କରୁଛନ୍ତି। ବିଇଓ ଆସିଲେ ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି।