ଶିକ୍ଷକ ଅଭାବ ଛାତ୍ରଛାତ୍ରୀଙ୍କ ଧାରଣା ଦ୍ୱିତୀୟ ଦିନରେ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟଟି ସର୍ବପୁରାତନ ହୋଇଥିବା ବେଳେ ଏଠାରେ ଦୀର୍ଘ ୮/୧୦ବର୍ଷ ହେବ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ଅଭାବ ଲାଗି ରହିଛି। ବିଦ୍ୟାଳୟଟି ଉପରେ ବାଲିପୋଖରୀ ପଂଚାୟତର ଅର୍ଦ୍ଧାଧିକ ଗ୍ରାମର ଛାତ୍ରଛାତ୍ରୀ ମାନେ ଅଧୟନ ପାଇଁ ନିର୍ଭର କରୁଥିଲେ ସୁଦ୍ଧା ଏହାର ସମସ୍ୟା ପ୍ରତି ଶିକ୍ଷା ବିଭାଗ ଦୃଷ୍ଟି ଦେଉନଥିବା ଅଭିଭାବକ ମହଲରେ ଅଭିଯୋଗ ହୋଇଛି। ଏଥିପାଇଁ ଗତ ବର୍ଷ ବିଦ୍ୟାର୍ଥୀଙ୍କ ସମେତ ଅଭିଭାବକ ମାନେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ପାଇଁ ଧାରଣା ଦେଇଥିଲେ। ହେଲେ ଶିକ୍ଷା ବିଭାଗ ପକ୍ଷରୁ ଚତୁରତାର ସହିତ ଧାରଣାକୁ ପ୍ରତ୍ୟାହୃତ କରାଯାଇଥିଲେ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଉପରେ କେହି ଦୃଷ୍ଟି ଦେଇନଥିଲେ। ବିଦ୍ୟାଳୟଟିରେ ପ୍ରଧାନଶିକ୍ଷକଙ୍କ ସମେତ ବିଜ୍ଞାନ, ସଂସ୍କୃତ ଓ କ୍ରୀଡା ଶିକ୍ଷକ ଙ୍କ ଅଭାବ ରହିଥିବା ବେଳେ କେହି କିରାଣୀ ମଧ୍ୟ ଏଠାରେ ନାହାଁନ୍ତି। ଫଳରେ ପାଠ ପଢାରେ ଘୋର ବ୍ୟାଘାତ ସୃଷ୍ଟି ହେଉଥିବା ବେଳେ କିରାଣୀ ବିହୀନ ବିଦ୍ୟାଳୟର ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ମଧ୍ୟ ହୋଇପାରୁନାହିଁ। ଏ ବାବଦରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଲକ ଶିକ୍ଷାଧିକାଙ୍କ ଯାଏଁ ସମସ୍ତେ ଅବଗତ ଥିଲେ ସୁଦ୍ଧା ସମସ୍ୟା ସମାଧାନ ଦିଗରେ କେହି ଆନ୍ତରିକତା ପ୍ରକାଶ କରୁନାହାନ୍ତି। ତେଣୁ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଗତ ଦୁଇଦିନ ଧରି ପୂର୍ବ ବର୍ଷ ଭଳି ଧାରଣା ଆରମ୍ଭ କରିଛନ୍ତି। ଫାଟକ ସାମ୍ନାରେ କାଲି ଠାରୁ ଆଜି ଯାଏଁ ଛୋଟଛୋଟ ପିଲା ମାନେ ଖରାକାକରରେ ବସି ଧାରଣା ଦେଇଥିଲେ ସୁଦ୍ଧା ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ କେହି ଅଧିକାରୀ ଏଯାଏଁ ବିଦ୍ୟାଳୟରେ ପହଂଚି ନାହାଁନ୍ତି। ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି।