ଶିକ୍ଷକ ଗୋବିନ୍ଦ ହତ୍ୟା ଘଟଣା ; ନାବାଳକ ପୁଅ ଗିରଫ
ହାଟଡିହି(ଯୁଗାବ୍ଦ ନ୍ୟୁଜ୍): ଗତ ୩ତାରିଖ ଦିନ ହାଟଡିହି ବ୍ଲକ ଝଣଝଣା ସ୍ଥିତ ଢ଼େଙ୍କାଛକରେ ଘଟିଥିବା ଶିକ୍ଷକ ଗୋବିନ୍ଦ ହୋଙ୍କ ହତ୍ୟା ଘଟଣାରେ ସୋସୋ ପୁଲିସ ମୃତ ଶିକ୍ଷକ ଗୋବିନ୍ଦଙ୍କ ପ୍ରଥମ ପତ୍ନୀଙ୍କ ସାନପୁଅ ଜଗନ୍ନାଥକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉକ୍ତ ଦିନ ସନ୍ଧ୍ୟାରେ ପୁଅ ଜଗନ୍ନାଥ ଆସି ଗୋବିନ୍ଦକୁ ପଇସାପତ୍ର ମାଗିବାରୁ ଗୋବିନ୍ଦ ପଇସା ଦେଇନଥିଲା । ସେହିଦିନ ରାତିରେ ପୁଅ ଜଗନ୍ନାଥ ବାପା ଶୋଇଥିବା ସମୟରେ ତାର ମୁଣ୍ଡକୁ ଏକ ଶକ୍ତ ପ୍ରହାର ଦେଇଥିଲା । ଫଳରେ ଗୋବିନ୍ଦର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଗନ୍ନାଥ ପୁଲିସ ନିକଟରେ ସ୍ୱିକାର କରିଥିବା ଏକ ବିଶେଷ ସୁତ୍ରରୁ ଜଣାଯାଇଛି । ପ୍ରଥମପତ୍ନୀର ବଡପୁଅ ଭୁବନେଶ୍ୱରରେ ପଢ଼ୁଥିବାବେଳେ ସାନପୁଅ ଜଣକ ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟର ୮ମଶ୍ରେଣୀର ଛାତ୍ର । ସେ ପରିବାର ଭିତରେ ଜଣେ ଶାନ୍ତ ସ୍ୱଭାବର ପିଲା ତେଣୁ ସେ କେବେ ହତ୍ୟା କରିପାରିବନି ବୋଲି ମା ଆଶା ମଞ୍ଜରୀ ହୋ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ପୁଲିସ ଅନ୍ଧାରରେ ବାଡି ବୁଲାଇ ନିଜ ଉପରୁ ଦୋଷ ଛଡାଇବା ବାହାନାରେ ପ୍ରକୃତ ହତ୍ୟାକାରୀକୁ ଧରି ନପାରି ନିଦ୍ଦୋଶ ପୁଅକୁ ଗିରଫ କରିଛି ମୃତକର ପତ୍ନୀ ଆଶା ମଞ୍ଜରୀ ହୋ ଅଭିଯୋଗ କରିଛନ୍ତି ।ଏଠାରେ ସୁଚନାଯୋଗ୍ୟ ଯେ ପୁରୁଣାପାଣି ଗ୍ରାମର ଗୋବିନ୍ଦ ହୋ ସେହି ପୁରୁଣାପାଣି ସ୍କୁଲର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବାବେଳେ ଗତ କିଛିବର୍ଷ ହେଲା ସେ ସ୍କୁଲ ଯାଉ ନଥିଲେ । ସେ ଜଣେ ଭଲ ଫୁଟବଲ ଖେଳାଳି ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ସେ ତିନୋଟି ବିବାହ କରିଥିବାବେଳେ ପ୍ରଥମପତ୍ନୀ କେଉଁଆଡେ ପଳାଇଛନ୍ତି । ଘରେ ଦୁଇ ପତ୍ନୀ ଓ ସେମରନଙ୍କ ପିଲାମାନଙ୍କୁ ଧରି ଶାନ୍ତିରେ ଘରଟି ଚଳୁଥିଲା । ଗତ ତିନି ତାରିଖ ଅପରାହ୍ନରେ ଝଣଝଣା ନିକଟସ୍ଥ ଢ଼େଙ୍କା ଛକ ନିକଟରେ ଥିବା ଏକ ଘର ଭିତରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବା ସହ ପ୍ରଚୁର ରକ୍ତଶ୍ରାବ ହୋଇଥିବା ଦେଖିବାକୁ ମିଳିଥିଲା । କେହି ତାଙ୍କୁ ସୁଚିତନ୍ତିତ ଭାବେ ହତ୍ୟା କରିଥିବା ନେଇ ପତ୍ନୀ ଆଶା ହୋ ଥାନାରେ ଅଭିଯୋଗ କରିଥିଲେ । ସୋସୋ ପୁଲିସ ପହଞ୍ଚି ଶବକୁ ଜବଦକରି ବ୍ୟବଚ୍ଛେଦ କରିବାପରେ ପ୍ରକୃତ ହତ୍ୟାକରୀକୁ ଧରିବାପାଇଁ ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ । ଆନନ୍ଦପୁର ଏସଡିପିଓ ବିଦ୍ୟୁତ ପଣ୍ଡା, ହାଟଡିହି ତହସିଲଦାର ଗାୟତ୍ରୀ ସୋରେନ ଓ ସୋସୋ ଥାନା ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ୧୦ଦିନ ଭିତରେ ହତ୍ୟାକାରୀକୁ ଗିରଫ କରିବାର ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା । ସୋସୋ ପୁଲିସ ଏହାର ଦୁଇଦିନ ପରେ ଗୋବିନ୍ଦଙ୍କ ୧୪ବର୍ଷର ପୁଅ ଜଗନ୍ନାଥକୁ ଥାନାକୁ ଡାକିନେଇଥିଲା । ସେହିଦିନ ଠାରୁ ତାକୁ ଥାନାରେ ଅଟକ ରଖି ଅନେକ ନିର୍ଯ୍ୟାତନା ଦେଇ ସେ ହତ୍ୟା କରିଥିବା କହିବାକୁ ବାଧ୍ୟ କରିଥିଲା ବୋଲି ମୃତ ଗୋବିନ୍ଦଙ୍କ ପତ୍ନୀ ଆଶା, ସୁମିତ୍ରା ପ୍ରମୁଖ ଅଭିଯୋଗ କରିଛନ୍ତି । ଗତକାଲି ତାଙ୍କର କିଛି ସମ୍ପର୍କୀୟ ଥାନାକୁ ଭେଟିବାକୁ ଯାଇଥିବା ବେଳେ ଜଗନ୍ନାଥ ସେମାନଙ୍କ ନିକଟରେ ଏହା ପ୍ରକାଶ କରିଥିବା କହିଛନ୍ତି । ସେ ସମ୍ପୁର୍ଣ୍ଣ ନିର୍ଦ୍ଦୋଶ ବୋଲି ଆଶା ମଞ୍ଜରୀ ହୋ, ସୁମିତ୍ରା ବିରୁଆ, ଜଗବନ୍ଧୁ ବିରୁଆଙ୍କ ସମେତ ଅନେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ସେମାନେ କେନ୍ଦୁଝର ଏସପିଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇ ଦେଇଛନ୍ତି । ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି । ଜଗନ୍ନାଥ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର ଜଣେ ଛାତ୍ର ହୋଇଥିବାରୁ ତାର ଭବିଷ୍ୟତ ନଷ୍ଟ ହୋଇଯିବ ବୋଲି ଗ୍ରାମବାସୀମାନେ କହିଛନ୍ତି । ପୁଲିସ ପୁନଃ ତଦନ୍ତ କରି ପ୍ରକୃତ ହତ୍ୟାକରୀକୁ ଧରୁ ବୋଲି ସେମାନେ ଦାବି କରିଛନ୍ତି ।


