ଶିକ୍ଷକ ବଦଳିକୁ ନେଇ ଉତ୍ତେଜନା, ବିଇଓ କାର୍ଯ୍ୟାଳୟ ଘେରିଲେ ଅଭିଭାବକ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକରେ ଏବେ ୮୨ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇ ନିଯୁକ୍ତି ଦିଆଯାଉଥିବାବେଳେ ଏହାକୁନେଇ ବିଭିନ୍ନ ସ୍କୁଲରେ ଅସନ୍ତୋଷ ଦେଖା ଦେଇଛି । ଏହି ଶିକ୍ଷକ ନିଯୁକ୍ତିକୁ ନେଇ ଆଜି ଗୋପାଳପୁର ସ୍କୁଲରେ ଅଭିଭାବକ ମାନେ ଚାବି ପକାଇବା ସହ ବିଇଓଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିବା ଜଣାଯାଇଛି । ସେମାନଙ୍କ ଅଭିଯୋଗ ଅନୁଯାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋପାଳପୁରରେ ୧୨ଟି ଗ୍ରାମର ୧୭୩ଜଣ ଛାତ୍ରଛାତ୍ରୀ ୮ଟି ଶ୍ରେଣୀରେ ଅଧ୍ୟୟନ କରନ୍ତି । ସେମାନଙ୍କ ମଧ୍ୟରୁ ପ୍ରାଥମିକ ବିଭାଗରେ ୩୩ଜଣ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୪୦ଜଣ ଅଛନ୍ତି । ଏମାନଙ୍କ ଶିକ୍ଷାଦାନ ପାଇଁ ବିଦ୍ୟାଳୟରେ ତିନିଜଣ ବିଏ ବିଇଡି (କଳା) ଶିକ୍ଷକ ଥିବାବେଳେ ଜଣେକି ହେଲେ ବି.ଏସ.ସି ବିଇଡି ଶିକ୍ଷକ ନଥିଲେ । ଏଥିପାଇଁ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ତିନିବର୍ଷ ହେଲା ବି.ଏସ.ସି ବିଇଡି ଶିକ୍ଷକ ନିଯୁକ୍ତି ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୁପକ୍ଷ ଏହାକୁ ଗୁରୁତ୍ୱ ନଦେଇ ଏବେ ପୁଣି ଜଣେ ବିଏ ବିଇଡି କଳା ଶିକ୍ଷକଙ୍କୁ ନିଯୁକ୍ତି ଦେବାପାଇଁ ସୁପାରିଶ କରିବାପରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୁର୍ବରୁ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟ ସମ୍ପାଦାନ କରୁଥିବା ବେଳେ ଅନ୍ୟ ଜଣେ ବିଇଡି କଳା ଶିକ୍ଷକଙ୍କୁ ନିଯୁକ୍ତି ଦେବା ପଛରେ କଣ ଉଦ୍ଦେଶ୍ୟ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ଏହାକୁନେଇ ଆଜି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶିଶିର କୁମାର ମହାନ୍ତିଙ୍କ ନେତୃତ୍ୱରେ ଅଜୟ କୁମାର ପାତ୍ର, ଅମି ଯେନା, ଗଣେଶ୍ୱର ପାତ୍ର, ପିଣ୍ଟୁଆ ନାୟକ, ପ୍ରହଲାଦ ମହାନ୍ତ, ଶ୍ୟାମ ସୁନ୍ଦର ଜେନା, ମଣିନାଥ ଯେନା, ନିରାକାର ଯେନା, ଅକାଲୁ ପାତ୍ର, ପରିକ୍ଷିତ ବେହେରା, ଖୁଜୁନୁ ଯେନା, ଚଗୁଲୁ ଯେନା, ଅରୁପାନନ୍ଦ ଯେନା, ବିଦ୍ୟାଧର ଯେନା, ସୁଦାମ ଚରଣ ଯେନାଙ୍କ ସମେତ ଅନେକ ଅଭିଭାବକ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହିତ ବିଇଓ ଅଫିସକୁ ଯାଇ କାର୍ଯ୍ୟାଳୟ ଘେରାଉକରି ବିଇଓଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଏହି ଆଦେଶ ପ୍ରତ୍ୟାହାର କରାଯାଇ ଜଣେ ବି.ଇ.ଡି ବିଜ୍ଞାନ ଶିକ୍ଷକ ନିଯୁକ୍ତି କରିବାକୁ ଅଭିଭାବକମାନେ ଦାବି କରିଛନ୍ତି । ନଚେତ ବିଦ୍ୟାଳୟରେ ତାଲା ପକାଇ ଅନସନରେ ବସିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ