ଶିକ୍ଷକ ମାତିଛନ୍ତି କୋଚିଂ ସେଂଟରରେ,ସରକାରୀ ନିୟମକୁ ଫୁ
ହିଂଜିଳିକାଟୁ, (ଶେଷଦେବ ସାହୁ): ସରକାରଙ୍କ ବିଭିନ୍ନ ଯୋଜନା ଓ ଆଇନ ସତେଯେମିତି କାଗଜ କଲମରେ ଚାଲିଥିବା ଭଳି ଲାଗୁଛି । ବାସ୍ତବରେ ତାହାରି ସଫଳ ରୂପାୟନ ହୋଇପାରୁନାହିଁ । ଯାହାଦ୍ୱାରା କି ନିୟମକୁ ପାଳନ କରିବା ପରିବର୍ତେ ସରକାରୀ ନିୟମକ ଫୁ କରିଦେଉଥିବା ଦେଖିବାକୁ ମିଳୁଛି । ସମସ୍ତଙ୍କୁ ସନ୍ତୁଷ୍ଟି କରିବା ନ୍ୟାୟରେ ବର୍ତମାନ ସବୁକିଛି ଚାଲିଲା ଭଳି ମନେହେଉଛି । ଯଦି କୌଣସି ଆଇନ କିମ୍ବା ନିୟମକୁ ବିଧିବଦ୍ଧ ଭାବେ ପାଳନ କରାଯାଉ ନାହିଁ ତେବେ ତାହାର ନିର୍ଦ୍ଦେଶନାମା କାହା ଉଦ୍ଦ୍ୟେଶରେ କେଉଁ ସ୍ୱାର୍ଥ ନେଇ କରାଯାଉଛି ତାହା କିଛି ବୁଝାପଡ଼ୁନାହିଁ । ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତରପରୁ ଜାରୀ ହୋଇଛି ସରକାରୀ ଦରମାପ୍ରାପ୍ତ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀ ମାନେ କୌଣସି କୋଚିଂ ସେଂଟର କିମ୍ବା ବ୍ୟକ୍ତିଗତ ଭାବେ ଟିୟୁସନ କରିପାରିବେ ନାହିଁ, କାରଣ ହେଲା ସେମାନେ ଅତ୍ୟଧିକ ଅର୍ଥପ୍ରାପ୍ତି ଆଶାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଠିକ୍ ଭାବେ ଶିକ୍ଷାଦାନ ନକରି କୋଚିଂ ସେଂଟରକୁ ଅଧିକ ପ୍ରାଧ୍ୟାନ ଦେଉଛନ୍ତି । ଏହି ନିୟମକୁ ଉଲଙ୍ଘନ କଲେ ଦଣ୍ଡବିଧାନ ସହ ଜୋରିମାନା ବ୍ୟବସ୍ଥା କରାଯାଇଛି । କିନ୍ତୁ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳ ଗୁଡ଼ିକରେ ଏହାର ଖୋଲାଖୋଲି ଉଲଙ୍ଘନ କରାଯାଉଥିବାର ଦେଖିବାକୁ ମିଳୁଛି । ଏଠାରେ ମାଳମାଳ ଛତୁଫୁଟିଲା ଭଳି ଖୋଲା ଯାଇଥିବା କୋଚିଂ ସେଂଟର ଓ ଟିୟୁସନରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟର ସରକାରୀ ଦରମାପ୍ରାପ୍ତ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଖୁଲୁମଖୋଲା ଶିକ୍ଷାଦାନ କରୁଛନ୍ତି । ନା ସେମାନଙ୍କ ପାଇଁ ଲାଗୁଛି ସରକାରୀ ନିୟମ ନା ଅଛି କିଛି ବାଧା ପ୍ରତିବନ୍ଧକ । ଶିକ୍ଷାର୍ଥୀ ମାନେ ଅଧିକ ଅର୍ଥ ଦେଇ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ମାନଙ୍କଠାରୁ ବ୍ୟକ୍ତିଗତ ଅଧିକା ଫାଇଦା ପାଇବା ଆଶାରେ କଲେଜ ଶିକ୍ଷା ଗ୍ରହଣକୁ ଦୂରେଇ ଏଠାରେ ପାଠ ପଢୁଛନ୍ତି । କିଛି ମାସ ପୂର୍ବରୁ ଛତୁଫୁଟିଲା ଭଳି ଖୋଲିଥିବା କୋଚିଂ ସେଂଟର ଓ ଟିୟୁଟରିଆଲ ଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ପାଇଁ ପଂଜିକରଣ କରାଇବାର ବ୍ୟବସ୍ଥା କରାଯିବାର ଏକ ନିର୍ଦ୍ଦେଶନାମା ପ୍ରକାଶ ପାଇଥିବା ବେଳେଏଯାବତ୍ ଏହାର କାର୍ଯ୍ୟକାରୀ ହୋଇ ପାରିନାହିଁ । ଯେଉଁ ମାନେ ଏହି ନୀତି ନିୟମକୁ ତଦାରଖ ଦାୟିତ୍ୱରେ ରହିଛନ୍ତି ସେମାନେ କିଛିଟା ଅର୍ଥ ଲୋଭରେ ଏହି ନିୟମକୁ ଦଳିଚକଟି ଦେଉଥିବା ଅଭିଯୋଗ ହେଉଛି । ଏହିପରି କି କିଛି ବେନାମୀ କୋଚିଂ ସେଂଟର ଗୁୂଡ଼ିକରେ ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ଅଭିଯୋଗ ହୋଇଆସୁଛି । ବିଭିନ୍ନ ଆବାସିକ କୋଚିଂ ସେଂଟରରେ ଶହ ଶହ ଶିକ୍ଷାର୍ଥୀ କେଉଁ ପରିବେଷରେ କିଭଳି ରହି ଅଧ୍ୟୟନ କରୁଛନ୍ତି ତାହାରି ମଧ୍ୟ ତଦାରଖର ଆବଶ୍ୟକତା ରହିଛି । ନଚେତ ଭବିଷ୍ୟତରେ କୌଣସି ପ୍ରକାର ଅଘଟଣ ଘଟିବା ପରେ ପ୍ରଶାସନର ଚେତା ପଶିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।