ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କର : ଶିକ୍ଷକ ସଂଗଠନ

ବୁଗୁଡା, (ଅନିଲ ମହାରଣା): ସରକାର ଓ ପ୍ରଶାସନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କୋଭିଡ-୧୯ କାର୍ଯ୍ୟକ୍ରମରେ ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିବା ବେଳେ ସେମାନେ ନିଜ କର୍ତ୍ତବ୍ୟ ସୁଚାରୁଭାବେ ପରିଚାଳନା କରିଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଗ୍ରହଣ କରି ନାହାଁନ୍ତି। ବିଭିନ୍ନ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ଦାବୀ ହୋଇଥିଲେବି ସରକାର କର୍ଣ୍ଣପାତ କରିନାହାନ୍ତି। ଯାହା ଫଳରେ କବିସୂର୍ଯ୍ୟନଗର ବ୍ଲକରେ ଜଣେ ଶିକ୍ଷକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରବା ପରେ କରୋନା ଲକ୍ଷଣ ଦେଖା ଦେବା ଯୋଗୁଁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସା ହେଉଥିବା ବେଳେ କରୋନା ସଂକ୍ରମଣରେ ମୃତ୍ୟୁ ମୁଖରେ ପଡିଥିବା ଶୁଣିବା ପରେ ସେହି ଶିକ୍ଷକଙ୍କ ବାପା ଓ ମାଆ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଛନ୍ତି। ଆସିକା ବ୍ଲକରେ ମୃତ୍ୟୁ ବରଣ କରିଥିବା ଶିକ୍ଷକ ଜଣଙ୍କ ମଧ୍ୟ ଠିକ ସେହିକାମ କରି କରୋନା ଲକ୍ଷଣ ଥାଇ ମୃତ୍ୟୁ ବରଣ କରିଛନ୍ତି। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଗଙ୍ଗାଧର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଡ଼ି.ରାମେଶ୍ୱର ଆଚାରୀ କୋଭିଡ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଜୁଲାଇ ୮ ତାରିଖରେ ମୃତ୍ୟୁ ବରଣ କରିଛନ୍ତି। ବୁଗୁଡା ବ୍ଲକ ମୋଟାବାଡ଼ି ପଞ୍ଚାୟତର ଜଣେ ଶିକ୍ଷୟିତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି। ଜୁଲାଇ ୯ ତାରିଖରେ ଏ.କରଡ଼ାବାଡ଼ି ପଞ୍ଚାୟତର କୋଭିଡ କାର୍ଯ୍ୟରେ ନିଯୁକ୍ତ ଜଣେ ଶିକ୍ଷକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ୩ ଶିକ୍ଷକଙ୍କ ମୃତ୍ୟୁ ଓ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ପଜିଟିଭ ଚିହ୍ନଟ ପରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମନରେ ଭୟର ବାତାବରଣ ଖେଳି ଗଲାଣି। ଏହି ପ୍ରରିପେକ୍ଷିରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ଦବିକାରୀ ବୁଗୁଡା ବ୍ଲକ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଜୁନ ୨୨ ତାରିଖରେ ବିଡ଼ିଓଙ୍କ ଜରୀଆରେ ଗଂଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ହରେକୃଷ୍ଣ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ସୁଜନ କୁମାର ସ୍ଵାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିପୂର୍ବରୁ ବୁଗୁଡା ବ୍ଲକ ମୋଟାବାଡ଼ି ସ୍କୁଲ ଶିକ୍ଷୟିତ୍ରୀଙ୍କ କରୋନା ପଜିଟିଭ ଚିହ୍ନଟ ହେବାପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ଜୁନ ୧୮ ତାରିଖରେ ଖବର ପ୍ରକାଶ ପାଇଥିବା ବେଳେ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ଜଗବନ୍ଧୁ ଜେନା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ଦାବିକରି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟକୁ ପତ୍ର ପ୍ରଦାନ କରିଥିଲେ। ଉତ୍ତରରେ ମନ୍ତ୍ରୀ ମହୋଦୟ ଏହି ବିଷୟ ତୁରନ୍ତ ବିଚାର କରାଯିବ ବୋଲି ପତ୍ର ଲେଖି ଶ୍ରୀ ଜେନାଙ୍କୁ ଜଣାଇଥିଲେ। ଏହିପରି ବିଭିନ୍ନ ଜିଲ୍ଲାରେ ବିଭିନ୍ନ ଶିକ୍ଷକ ସଂଗଠନ ମଧ୍ୟ ଦାବି ଜଣାଇଥିବା ଜଣାପଡିଛି। ଏହିସବୁ ଦାବି ପରେ ଗଞ୍ଜାମ ଜିଲ୍ଲାରେ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ଶିକ୍ଷକ ଦ୍ୱୟଙ୍କୁ ଗଞ୍ଜାମ ଜିଲ୍ଲାପାଳ କରୋନା ଯୋଦ୍ଧା ପ୍ରକାଶ କରି ସମବେଦନା ଜଣାଇ ଥିଲେ ମଧ୍ୟ ସରକାର ବିଧିବଦ୍ଧ ଭାବେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିନଥିବା ଯୋଗୁଁ ଶିକ୍ଷକ ସମାଜ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ