ଶିକ୍ଷା,ସ୍ୱାସ୍ଥ୍ୟ ଓ ପାନୀୟ ଜଳ ସେବା ପ୍ରଦାନ କ୍ଷେତ୍ରରେ ଅବହେଳା ଅଭିଯୋଗ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଗ୍ରାମପଂଚାୟତର ଅଧିବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେହି ପଂଚାୟତରେ ନଳକୂପ ଗୁଡିକ ମଧ୍ୟରୁ କେତେକ ଅକାମୀ ହୋଇଯାଇଥିବା ବେଳେ ଅନ୍ୟ କେତେକ ଅର୍ଦ୍ଧ କ୍ରୀୟାଶୀଳ ଅବସ୍ଥାରେ ରହିଛି । ଫଳରେ ପଂଚାୟତର ମହିଳାମାନେ ପିଇବା ପାଣି ଟୋପାଏ ପାଇଁ ନାହିଁ ନଥିବା ହୀନସ୍ତା ହେଉଛନ୍ତି । ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନଙ୍କୁ ଏସମ୍ପର୍କରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସେମାନେ ବିଭିନ୍ନ ଆଳ ଦେଖାଇ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି । ଅଧିବାସୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛଁନ୍ତି । ଏହାଛଡା ସ୍ୱାସ୍ଥ୍ୟ ସେବା ସମସ୍ୟା ମଧ୍ୟ ଏଠାରେ ଜଟିଳ ହୋଇପଡିଥିବା ଦେଖାଯାଇଛି । ଡାକ୍ତରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନଙ୍କ ନିମନ୍ତେ ବାସଗୃହ ଥାଇ ମଧ୍ୟ ସେମାନେ ଏଠାରେ ରହୁନଥିବାରୁ ବିଭିନ୍ନ ସମୟରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇବାରୁ ବଚିଂତ ହେଉଛନ୍ତି । ତୁଳସୀଡିହା ଓ ଅଣ୍ଢରାରେ ମଧ୍ୟ ସେହି ଏକା ସମସ୍ୟା ଦେଖାଦେଇଛି । ଶିକ୍ଷା କ୍ଷେତ୍ରରେ ଏଠାରେ ସମସ୍ତ ପ୍ରକାର ଭିତିଭୂମୀ ଥାଇ ମଧ୍ୟ ବିଦ୍ୟାଳୟ ଗୁଡିକରେ ଅସ୍ଥାଇ ପ୍ରଧାନଶିକ୍ଷକମାନଙ୍କ ଶିକ୍ଷାଦାନ,ଉନ୍ନୟନ କାର୍ଯ୍ୟ ଓ ଅନୁଶାସନରେ ଅବହେଳା ଯୋଗୁ ତାହା ମଧ୍ୟ ସଫଳ ହୋଇପାରୁନାହିଁ । ଏହି ପଂଚାୟତରେ ଏକମାତ୍ର ଉଚ୍ଚ ବିଦ୍ୟାଳୟ ଓ ସଂପୃକ୍ତ ବିଦ୍ୟାଳୟ ପରିସରରେ ଅଳପୁଆ ନୋଡାଲ ପ୍ରାଥମିକ ବିଦ୍ୟାଳୟ ରହିଛି । ଉଭୟ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଅସ୍ଥାଇ ହୋଇଥିବା ସହ ସେମାନଙ୍କ ମଧ୍ୟରେ ତାଳମେଳ ରହୁନଥିବାରୁ ସ୍କୁଲ ଗୃହ ନିର୍ମାଣ ସହିତ ଅଷ୍ଟମ ଶ୍ରେଣୀରେ ପାଠପଢା ନିୟମିତ ହୋଇପାରୁନାହିଁ । ସରକାରଙ୍କ ନିୟମ ଅନୁଯାଇ ସେହି ଦୁଇଟି ବିଦ୍ୟାଳୟକୁ ମିଶାଇ ଗୋଟିଏ ବିଦ୍ୟାଳୟ କରିବା ଓ ଗୋଟିଏ ପରିଚାଳନା ବ୍ୟବସ୍ଥା ମଧ୍ୟରେ ରଖାଯିବାକୁ ଗ୍ରାମବାସୀମାନେ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ,ଜିଲ୍ଲାପାଳ ଓ ବିଭାଗୀୟ ମନ୍ତ୍ରୀଙ୍କୁ ବାରମ୍ବାର ନିବେଦନ କରିଆସୁଥିଲେ ମଧ୍ୟ ଅଦ୍ୟାବଧି ତାହା ଫଳପ୍ରଦ ହୋଇନାହିଁ । ଫଳରେ ଉଭୟ ବିଦ୍ୟାଳୟରେ ପାଠପଢା ବ୍ୟାହତ ହେବା ସହ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ବ୍ୟାପକ ଦୁର୍ନିତୀ ହେଉଛି ବୋଲି ଅଭିଯୋଗ ହେଉଛି । ଅଣ୍ଢରା ଓ ବଲୁରିଆ ପଂଚାୟତରେ ମଧ୍ୟ ଏଭଳି ଏକା ସମସ୍ୟା ଲାଗିରହିଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଏହିସବୁ ଜନସ୍ୱାର୍ଥ ସମ୍ବଳିତ ସମସ୍ୟାର ସମାଧାନ ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ପ୍ରଦାନ ନିମନ୍ତେ ପଂଚାୟତବାସୀଙ୍କ ପକ୍ଷରୁ ସରପଂଚ ରମେଶ ଦାସ,ରବିନ୍ଦ୍ର ଧଳ,ନରେନ୍ଦ୍ର କୁମାର ଧଳ,ସୁଶାନ୍ତ କୁମାର ରାଉତ,ଗଦାଧର ମଲ୍ଲିକ,ଅଭୟ ସ୍ୱାଇଁ,ଅମ୍ବିକା ମଲ୍ଲିକ,ଅଶୋକ ମଲ୍ଲିକ,ମନୋରଞ୍ଜନ ନାଥ ପ୍ରମୁଖ ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୈାଧୁରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ଶ୍ରୀ ଚୈାଧୁରୀ ଏସମ୍ପର୍କରେ ଆବଶ୍ୟକ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବେ ବୋଲି ସେମାନଙ୍କୁ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ