ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମୋଟା ଅଙ୍କର ଟଙ୍କା କାରବାର ଅଭିଯୋଗ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମୋଟା ଅଙ୍କର ଟଙ୍କା କାରବାର ହେଉଥିବା ଅଭିଯୋଗ ହୋଇଛି । ଯେକୌଣସି କାର୍ଯ୍ୟପାଇଁ ଗଲେ ହାତ ଗୁଞ୍ଜା ନଦେଲେ ଫାଇଲ ଅଟୁ ନଥିବା ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଅଭିଯୋଗ କରିଛନ୍ତି । ଏବେ ବ୍ଲକ ଗ୍ରାଣ୍ଟ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପେ ଫିକେସନ କାର୍ଯ୍ୟରେ ଜଣ ପିଛା ହଜାରେ ରୁ ଦୁଇ ହଜାର କରି ଆଦାୟ କରାଯାଇଥିବାବେଳେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଠାରୁ ପେ ଫିକେସନ ନାମରେ ପାଞ୍ଚଶହ ଟଙ୍କା ଲେଖାଏ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ସେହିପରି କିଛି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବଦଳି କରାଇଦେବା ନାମରେ ଅର୍ଥ ଆଦାୟ ହେଉଥିବାବେଳେ ଇନକମଟ୍ୟାକ୍ସ ଛାଡ ପାଇଁ ମୋଟା ଅଙ୍କର ଆଦାୟ ହେଉଥିବା କିଛି ଶିକ୍ଷକ ଅଭିଯୋଗ କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଶିକ୍ଷକ ଶିକ୍ଷୟତ୍ରୀ ମହଲରେ ଦାବି ହେଉଛି ।


