ଶିକ୍ଷା ଆଶାୟୀଙ୍କ ଠାରୁ ୨ ଲକ୍ଷ ୩୯ ହଜାର ଟଙ୍କା ଠକି ନେଲେ ସନ୍ଦିଗ୍ଧ ଯୁବତୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ପ୍ରଥମେ ମୋବାଇଲକୁ ହ୍ବାଟସଅପରେ ବୈଷୟିକ ଅନୁଷ୍ଠାନରେ ନାମ ଲେଖାଇବା ପାଇଁ ଲୋଭନୀୟ ମେସେଜ । ପରେ ଟେଲିଫୋନ ମାଧ୍ୟମରେ ସନ୍ଦିଗ୍ଧ ଯୁବତୀଙ୍କ ମଧୁର ବାର୍ତ୍ତାଳାପ । ଏହି ପରି କିଛି ଦିନ ବିତିବା ପରେ ଯୁବତୀ ଜଣକ କମ୍ ଟଙ୍କାରେ ବି ଟେକ୍ ପାଠ୍ୟକ୍ରମରେ ନାମ ଲେଖାଇ ଦେବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ହିଞ୍ଜିଳିକାଟୁ ଅଞ୍ଚଳର ଜୈନିକ ଛାତ୍ର ଫଶିଯାଇଥିବା ଜଣାପଡିଛି । ପିଡିତ ଛାତ୍ର ଜଣକ ୮ଟି କିସ୍ତିରେ ସମୁଦାୟ ୨ ଲକ୍ଷ ୩୯ ହଜାର ଟଙ୍କା ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ପଠାଇଛନ୍ତି । ପରେ ଯୁବତୀଙ୍କ ମୋବାଇଲ ଫୋନ ସୁଇଚ ଅଫ୍ ହେବା ପରେ ଯୁବକ ଜଣକ ଠକାମିର ଶିକାର ହୋଇଥିବା ଜାଣି ପାରିଛନ୍ତି । ଏ ନେଇ ଯୁବକଙ୍କ ବାପା ବସନ୍ତ ପୋଲାଇ ହିଞ୍ଜିଳି ଥାନା ରେ ଅଭିଯୋଗ କରିଛନ୍ତି । ଠକାମିର ଶିକାର ହୋଇଥିବା ଯୁବକ ଜଣକ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଞ୍ଚବଣିଆ ଚୈତନ୍ୟ ମାର୍ଗ ବାସିନ୍ଦା ପଦ୍ମଲୋଚନ ପୋଲାଇ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ନମ୍ବର ୬୪୭/୨୧ରେ ମାମଲା ରୁଜୁ କରି ପଡ଼ିଥିଲି ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ଗତ ଅଗଷ୍ଟ ମାସରେ ପଦ୍ମଲୋଚନଙ୍କ ମୋବାଇଲ ନମ୍ବର କୁ ଏକ ଅଜଣା ନମ୍ବରରୁ ବ୍ରହ୍ମପୁର ନିଷ୍ଟ କଲେଜରେ ବି ଟେକ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଲଞ୍ଚ ପେଇଡ କ୍ୟାରିଅର ନାମକ ଏକ ସଂସ୍ଥା ତରଫରୁ ମେସେଜ ଆସିଥିଲା । ପରେ ମେସେଜ ଆସିଥିବା ନମ୍ବର ସହିତ ପିଡିତ ଶିକ୍ଷାର୍ଥୀ ଯୋଗାଯୋଗ କରିଥିଲେ । ପଛୁଆ ବର୍ଗ ସକାଶେ କମ୍ ଟଙ୍କାରେ ନାମ ଲେଖାଇବାର ଜଣେ ଯୁବତୀଙ୍କ ଠାରୁ ଲୋଭନୀୟ ପ୍ରତିଶ୍ରୁତି ପାଇଥିଲେ । ଏଥିରେ ପ୍ରଲୋଭିତ ହୋଇ ଯୁବତୀଙ୍କ ଦ୍ବାରା ପଠାଯାଇଥିବା ବ୍ୟାଙ୍କ ଆକାଉଣ୍ଟ ରେ ୮ଟି କିସ୍ତିରେ ସମୁଦାୟ ୨ଲକ୍ଷ ୩୯ ହଜାର ଟଙ୍କା ଜମା କରିଥିଲେ । ପରେ ଯୁବତୀଙ୍କ ସହ ଯୋଗାଯୋଗ କରି ବିଫଳ ହୋଇଥିଲେ । ଶେଷରେ ନିରାଶ ହୋଇ ଠକାମୀ ର ଶିକାର ହୋଇଥିବା ନେଇ ପିଡିତ, ବାପାଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ଘଟଣା ନେଇ ବସନ୍ତ ସୋମବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ଘଟଣାର ତଦନ୍ତ ଚାଲିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।