ଶିକ୍ଷା ବିଭାଗର ଦୁଇ ଛାତ୍ରୀଙ୍କ ସଫଳତା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୦୧୯-୨୨ ଶିକ୍ଷା ବର୍ଷର +୩ ର ପରୀକ୍ଷା ଫଳ ପ୍ରକାଶିତ ହୋଇଛି | ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧିନସ୍ଥ ବେଲେଶ୍ବର ଡିଗ୍ରୀ ମହାବିଦ୍ୟାଳୟ, ଗଣ୍ଡଳା-ବେଲଗାଁ ର ଶିକ୍ଷା ବିଭାଗର ଦୁଇଜଣ ଛାତ୍ରୀ ପ୍ରଶଂସନୀୟ କୃତିତ୍ବ ହାସଲ କରିଛନ୍ତି | ବିଶ୍ବବିଦ୍ୟାଳୟ ସ୍ତରରେ ଶିକ୍ଷା ବିଭାଗରେ ପ୍ରଥମ ଓ ଦ୍ବିତୀୟ ରେଙ୍କରେ ରହି ନିଜ ପରିବାର ଓ ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି | ହିଞ୍ଜିଳିକାଟୁ ବ୍ଲକ୍ ବେଲଗାଁ ଗ୍ରାମନିବାସୀ ସ୍ଵର୍ଣ୍ଣମଞ୍ଜରୀ ପଣ୍ଡାଙ୍କ କନ୍ୟା ଅମିଶା ପାଢୀ ଶିକ୍ଷା ସମ୍ମାନ ବିଭାଗରେ ମୋଟ ୧୪ଶହ ମାର୍କରୁ ୧୩୦୧ ମାର୍କ ରଖି ପ୍ରଥମ ସ୍ଥାନରେ ରହିଥିବା ବେଳେ ଗଣ୍ଡଳା ଗ୍ରାମନିବାସୀ ସିତାରାମ ସାହୁଙ୍କ କନ୍ୟା ଆରତୀ ସାହୁ ମୋଟ ୧୪ଶହ ମାର୍କରୁ ୧୨୯୧ ମାର୍କ ରଖି ଦ୍ବିତୀୟ ରେଙ୍କରେ ରହି ମହାବିଦ୍ୟାଳୟ ଇତିହାସରେ ଏକ ନୂତନ ଫର୍ଦ୍ଦ ଯୋଡିଛନ୍ତି | ମହାବିଦ୍ୟାଳୟର ଅଧ୍ୟକ୍ଷ ରାମକୃଷ୍ଣ ଗୌଡ ଛାତ୍ରୀଦ୍ବୟଙ୍କ ଏହି ସଫଳତା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି | ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀ ଗଣେଶ ସାହୁ ଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଗଣ ମଧ୍ୟ ଛାତ୍ରୀଦ୍ବୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ନିଜ ସଫଳତାର ଶ୍ରେୟ ଛାତ୍ରୀ ଦୁଇଜଣ ନିଜ ଶିକ୍ଷା ବିଭାଗର ମୁଖ୍ୟ ମୁଖ୍ୟ ଶ୍ରୀ ଗଣେଶ ସାହୁଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ବୃନ୍ଦ, ନିଜ ପରିଶ୍ରମ ସହ ନିଜ ପରିବାରକୁ ଦେଇଛନ୍ତି | ଏହି ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି |


