ଶିକ୍ଷା ବିଭାଗର ୨୮ଲକ୍ଷ ୫୧ହଜାର ୧୭୭ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ଼ ଫଣ୍ଡକୁ ପ୍ରଦାନ
ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନା ମହାମାରୀ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସଚେତନତା କରିବା ସହ ମୁକାବିଲା ନେଇ କାର୍ଯ୍ୟ କରାଯାଉଛି । ଏହାସହ କୋଭିଡ଼-୧୯ ଫଣ୍ଡକୁ ସବୁ ବର୍ଗର ଲୋକମାନେ ସାହାଯ୍ୟ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ଼ ଫଣ୍ଡକୁ ୨୮ ଲକ୍ଷ ୫୧ ହଜାର ୧୭୭ ଟଙ୍କା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଜରିଆରେ ପ୍ରଦାନ କରାଯାଇଛି । ପୂର୍ବରୁ ୧ କୋଟି ୩୯ ଲକ୍ଷ ୮୪ ହଜାର ୧୮୪ ଟଙ୍କା ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମୋଟ ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୧ କୋଟି ୬୮ ଲକ୍ଷ ୩୫ ହଜାର ୩୬୧ ଟଙ୍କା ପ୍ରଦାନ କରାଯାଇଛି । ଏହି ପ୍ରଦାନବେଳେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ଡିପିସି ବିନିତା କୁମାରୀ ସେନାପତି, ଆଇପିଇ ଭାଗିରଥୀ ସ୍ୱାଇଁ, ଛତ୍ରପୁର ବିଇଓ ଅବିନାଶ ଶତପଥୀ, ଗଞ୍ଜାମ ବିଇଓ ସୁବାସ ଚନ୍ଦ୍ର ଘରାଇ,ବେଗୁନିଆପଡ଼ା ବିଇଓ କମଳାକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଶିବକୃଷ୍ଣ ବେହେରା ଓ ଦାମ ସ୍ୱାଇଁ, କସ୍ତୁରବା ଗାନ୍ଧି ଆବାସିକ ବାଳିକା ବିଦ୍ୟାଳୟର ଜିଲ୍ଲା ସଂଯୋଜକ ଜ୍ୟୋତି ରଥ, ଛତ୍ରପୁର ମିଳିତ ଶିକ୍ଷକ ସଂଘର ସଭାପତି ରବିନାରାୟଣ ବେହେରା, ଡ.କୁର୍ମା ରାଓ, ଗଞ୍ଜାମ ଜିଲ୍ଲା ସିଆରସିସି ସଂଘର ସଭାପତି ଟୁଟୁ ପ୍ରଧାନ, ପ୍ରାଥମିକଶିକ୍ଷକ ସଂଘ (ହରିପୁର ରୋଡ଼)ର ସଭାପତି ଶଶାଙ୍କ କୁମାର ପ୍ରଧାନ, ଦାମୋଦର ପଣ୍ଡା, ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ସଭାପତି ଜଗବନ୍ଧୁ ଜେନାଙ୍କ ସମେତ ବହୁ ଶିକ୍ଷକ ଉପସ୍ଥିତ ଥିଲେ ।