“ଶିକ୍ଷା ସମ୍ବଳ”କାର୍ଯ୍ୟକ୍ରମ ଦ୍ୱାରା ମାଟ୍ରିକ ପରୀକ୍ଷାରେ ସଫଳତା ହାର ୭୬% ହୋଇପାରିଛି

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ)- ବେଦାନ୍ତ ଲାଞ୍ଜିଗଡ଼ର ଫ୍ଲାଗ୍ସିପ୍ ଶିକ୍ଷା କାର୍ଯ୍ୟକ୍ରମ “ଶିକ୍ଷା ସମ୍ବଳ” ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସମଗ୍ର କଳାହାଣ୍ଡି ଜିଲ୍ଲାର ସମସ୍ତ ରେକଡ଼ ଭାଙ୍ଗି ସଫଳତାର ଶ୍ରେୟ ନେଇପାରିଛି । ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୬% ଭାଗ କୃତିତ୍ୱର ସହ ଉତୀର୍ଣ୍ଣ ହୋଇଛନ୍ତି । ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ମାଟ୍ରିକର ସମସ୍ତ ପୂର୍ବ ପ୍ରସ୍ତୁତି ଦ୍ୱାରା ଏହି ସଫଳତାକୁ ଉପସ୍ଥାପିତ କରିପାରିଛନ୍ତି । କଳାହାଣ୍ଡି ଜିଲ୍ଲାରେ କୃତିତ୍ୱର ହାର ୫୯.୭୬% ଥିବା ବେଳେ ରାୟଗଡ଼ାରେ କେବଳ ୬୦.୮୯% ଦେଖିବାକୁ ମିଳିଛି । ସମଗ୍ର ରାଜ୍ୟର ପାଶ୍ ହାରକୁ ତୁଳନା କଲେ ଏହା ୭୦.୭୮% ହୋଇପାରିଛି । ୨୦୧୫ ମସିହାରେ ସରକାରୀ ବିଦ୍ୟାଳୟରେ ଏହାକୁ ଏକ “ପାଇଲଟ୍” ପ୍ରୋଜେକ୍ଟ ଭାବେ ନିଆଯାଇଥିବା ବେଳେ ଲାଞ୍ଜିଗଡ଼ ତଥା ସରକାରୀ ଏସଏସ୍ଡ଼ି ହାଇସ୍କୁଲ, ଆଶ୍ରମପଡ଼, ଲାଞ୍ଜିଗଡ଼ରେ ଗତ ତିନିବର୍ଷ ମଧ୍ୟରେ ଏହି ପ୍ରୋଜେକ୍ଟ ଏକ ବିରାଟ ସଫଳତା ସହିତ ଜିଲ୍ଲାରେ ଡ୍ରପ ଆଉଟ୍ ହାର ବହୁ ମାତ୍ରାରେ ହ୍ରାସ କରି ସଫଳତାର ଶ୍ରେୟ ସୁନିଶ୍ଚିତ କରିପାରିଛି । ଶ୍ରୀ ରାକେଶ ମୋହନ, ମୁଖ୍ୟ ପରିଚାଳନା ଅଧିକାରୀ, ଲାଞ୍ଜିଗଡ଼ ରିଫାଇନାରୀ, ଏହି ଅବସରରେ ନିଜର ମତବ୍ୟକ୍ତ କରି କହିଲେ-“ଗତ ବର୍ଷମାନଙ୍କ ତୁଳନାରେ ଏହି ବର୍ଷର ସଫଳତାର ହାର ୨୮.୫୩% ବୃଦ୍ଧି ପାଇବାର ମୂଳରେ ରହିଛି, ଛାତ୍ରଛାତ୍ରୀମାନେ ବେଦାନ୍ତ ଦ୍ୱାରା ପରିଚାଳିତ ଶିକ୍ଷା ସମ୍ବଳ ଯୋଜନାକୁ ହୃଦୟଙ୍ଗମ କରି ଏଥିରେ ସମ୍ପୂର୍ଣ୍ଣ ଭାବରେ ସାମିଲ ହୋଇ ନିଜକୁ ସଠିକ୍ ଭାବରେ ପ୍ରତିପାଦନ କରିପାରିଛନ୍ତି । ଏହି ସଫଳତାରେ ଆମେ ବିଶ୍ୱାସ କରିଥିବା ଦିଗଟି ହେଉଛି, ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସମସ୍ତ ବାଧାବିଘ୍ନ ଅତିକ୍ରମ କରି ସେମାନଙ୍କର ଦକ୍ଷତା ଏବଂ ବିଶ୍ୱାସକୁ ମଜବୁତ କରି ସରକାରୀ ବିଦ୍ୟାଳୟରେ ଅଧିକ ଯୋଗଦେଇପାରିଲେ ଆମର ଏହି ପରିଯୋଜନା ସମ୍ପୂର୍ଣ୍ଣ ସଫଳ ହୋଇପାରିବ । ଏହି କାର୍ଯ୍ୟକ୍ରମର ଅନୁକୂଳିତ ବାତାବରଣକୁ ଭଲଭାବରେ ଗ୍ରହଣ କରିଥିବାରୁ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ଆମେ ଅଭିନନ୍ଦନ ତଥା ଧନ୍ୟବାଦ ଜଣାଉଛୁ” ।
ଏହି କାର୍ଯ୍ୟକ୍ରମର ଅନ୍ୟ ଏକ ସଫଳତା ମଧ୍ୟରେ ରହିଛି କୃତିତ୍ୱଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୨୩ଜଣ ଏ୨ ତଥା ବି୨ ଗ୍ରେଡ଼ ଲାଭ କରିଛନ୍ତି ।
ବେଦାନ୍ତ ଲାଞ୍ଜିଗଡ଼ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି “ଶିକ୍ଷା ସମ୍ବଳ” କାର୍ଯ୍ୟକ୍ରମକୁ ଅଷ୍ଟମରୁ – ଦଶମ ଶ୍ରେଣୀ ପର୍ଯ୍ୟନ୍ତ ତଥା ମାଟ୍ରିକର ପୂର୍ବ ପ୍ରସ୍ତୁତି ପର୍ଯ୍ୟନ୍ତ ପ୍ରାୟ ୧୦୦୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ କାରଖାନା ପାରିପାଶ୍ୱର୍ିକ ମଧ୍ୟରେ ସମସ୍ତ ପ୍ରକାର ଟ୍ୟୁସନ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ସହଯୋଗର ହାତ ବଢ଼଼ାଇ ପାରିଛି ।
ଲାଞ୍ଜିଗଡ଼ ଗ୍ରାମ ଏସ୍ଏସ୍ଡ଼ି ହାଇସ୍କୁଲର ଛାତ୍ର ସଲ୍ମାନ ନାୟକଙ୍କ ବାପା ଶ୍ରୀଯୁକ୍ତ କ୍ଷୀରସିନ୍ଧୁ ନାୟକ ନିଜର ମତବ୍ୟକ୍ତ କରି କହିଲେ, “ଗରିବ ପରିବାର ତଥା ଅଳ୍ପ ରୋଜଗାର ହୋଇଥିବାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢ଼ି ବି୨ ଗ୍ରେଡ଼ରେ ସଫଳତା ଲାଭ କରିବା ଆମ ପାଇଁ ବିଶ୍ୱାସଯୋଗ୍ୟ ନୁହେଁ କିନ୍ତୁ ବେଦାନ୍ତର ଏହି ଅନନ୍ୟ କାର୍ଯ୍ୟକ୍ରମ ଏଭଳି ସଫଳତା ଆଣିଦେଇଥିବାରୁ ମୁଁ ତଥା ମୋ ପରିବାର ଆମ ପିଲାର ଉତମ ଭବିଷ୍ୟତର ସ୍ୱପ୍ନ ଦେଖୁଛୁ” ।
ଗ୍ରାମାଂଚଳରେ ରହିଥିବା ସରକାରୀ ଶିକ୍ଷା ଅନୁଷ୍ଠାନର ଭିତିଭୂମିକୁ ସଜାଡ଼ି, ସଠିକ୍ ଦାୟିତ୍ୱ ସମ୍ପର୍ଣ୍ଣ ଅଣସରକାରୀ ପ୍ରତିଷ୍ଠାନ (ଏନଜିଓ)ମାନଙ୍କୁ ଦାୟିତ୍ୱ ପ୍ରଦାନ କରି ଏକ ସମନ୍ୱିତ ବିକଶିତ ପରିବେଶ ସୃଷ୍ଟି କରିବା “ଶିକ୍ଷା ସମ୍ବଳ” କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ