ଶିକ୍ଷୟିତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ : ୪ ଅଭିଯୁକ୍ତ ଗିରଫ
ସିଧି : ସତେ ଯେମିତି ଏ ଦେଶରେ ଗଣଦୁଷ୍କର୍ମ ଥମିବାର ନା ଧରୁନି। ଜଣେ ଶିକ୍ଷୟିତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ସେ ସ୍କୁଲରେ ଫେରୁଥିବାବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଘଟଣାଟି ଘଟିଛି ସିଧି ଜିଲ୍ଲାର ରାମପୁର ନୌକିନ ଥାନା ଅଞ୍ଚଳର ପିପରାଓ୍ବ ଚୌକିର ଏକ ଗାଁରେ। ଏକ ଘରୋଇ ସ୍କୁଲର ଶିକ୍ଷୟିତ୍ରୀ ସ୍କୁଲରୁ ଫେରୁଥିବାବେଳେ ରାସ୍ତାରେ ଦୁର୍ବୃତ୍ତମାନେ ତାଙ୍କୁ ଘେରି ଗଣଦୁଷ୍କର୍ମ କରିଛନ୍ତି। ପୋଲିସ୍ ଏହି ମାମଲାର ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଶିକ୍ଷୟିତ୍ରୀ ପ୍ରତିଦିନ ଭଳି ସନ୍ଧ୍ୟା ପାଖାପାଖି ୬ଟାବେଳେ ସ୍କୁଲରୁ ଘରକୁ ଫେରୁଥିଲେ। ରାସ୍ତାରେ କଡ଼ରେ ବସିଥିବା ୪ଜଣ ଦୁର୍ବୃତ୍ତ ତାଙ୍କୁ ରାସ୍ତା ମଝିରେ ଅଟକାଇ ମୁହଁରେ କପଡ଼ା ବାନ୍ଧି କେନାଲ୍ କଡ଼ରେ ଥିବା ପଡ଼ିଆକୁ ଘୋଷାଡ଼ି ନେଇଯାଇଥିଲେ। ଅଭିଯୁକ୍ତମାନେ ଶିକ୍ଷୟିତ୍ରୀଙ୍କ ପାଟିରେ କପଡ଼ା ପୂରାଇ ଗଣ ଦୁଷ୍କର୍ମ କରିଥିଲେ। ଦୁର୍ବୃତ୍ତଙ୍କ କବଳରୁ ଖସିବା ପରେ ପୀଡ଼ିତା ଘରକୁ ପହଞ୍ଚିଥିଲେ ଏବଂ ପରିବାର ଲୋକଙ୍କୁ ସବୁ କଥା କହିଥିଲେ। ଶିକ୍ଷୟିତ୍ରୀଙ୍କ ପରିବାର ଲୋକେ ଥାନାରେ ମାମଲା ରୁଜୁ କରିଥିଲେ। ଏହା ପରେ ପୋଲିସ୍ ଅଭିଯୁକ୍ତ ବଚ୍ଚୁ ଲୋନିୟା,ବୀରୁ ଲୋନିୟା,ନରେନ୍ଦ୍ର ଲୋନିୟା ଏବଂ ଶିବଶଙ୍କର ଲୋନିୟାଙ୍କୁ ସେମାନଙ୍କ ଘରୁ ଗିରଫ କରିଛି।


