ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା) : କଳାହାଣ୍ଡି ଜିଲା ଶିକ୍ଷୟିତ୍ରୀ ହତ୍ୟା ମାମଲାରେ ଉଚ୍ଚ ସ୍ତରୀୟ ତଦନ୍ତ ଓ ଏଥିରେ ସମ୍ପୃକ୍ତ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବାଲେଶ୍ୱର ଜିଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏସପିଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ବିଜେପି ଯୁବମୋର୍ଚ୍ଚା ଜିଲା ସଭାପତି ରାଜେଶ ମହାପାତ୍ରଙ୍କ ନେତୃତ୍ୱରେ ଯୁବକର୍ମୀଙ୍କ ସମେତ ଜିଲା ବିଜେପିର କର୍ମକର୍ତ୍ତା ଓ ସଦସ୍ୟମାନେ ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶିକ୍ଷୟିତ୍ରୀ ମମିତାଙ୍କ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ ସହ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଯୁବ ନେତାମାନେ ଦାବି କରିଥିଲେ । ବିଶେଷ କରି ମାମଲାକୁ ଚପାଇ ଦେବା ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଚାଲିଥିବା ଉଦ୍ୟମ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଥିଲେ । ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିବରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ । ପରେ ସ୍ମାରକପତ୍ର ପ୍ରଦାନ ପାଇଁ ଶତାଧିକ ବିଜେପି କର୍ମୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟକାଳୟକୁ ଧସେଇ ପଶିଥିଲେ । ଖବର ପାଇ ପୁଲିସ ଟିମ ପହଞ୍ଚି ବିକ୍ଷୋଭକାରୀ ୫୦ରୁ ଊର୍ଦ୍ଧ୍ୱ ବିଜେପି କର୍ମୀଙ୍କୁ ଗିରଫ କରି ସହଦେବଖୁଣ୍ଟା ଥାନାକୁ ନେଇ ଆସିଥିଲେ । ସେମାନଙ୍କୁ ମୁକୁଳାଇବା ଦାବିରେ ବିଜେପି କର୍ମୀମାନେ ଥାନା ଘେରାଉ ସହ ରାସ୍ତା ଅବରୋଧ କରିଥିଲେ । ରାତି ପ୍ରାୟ ୮ ପର୍ଯ୍ୟନ୍ତ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଚାଲିଥିଲା । ପରେ ଜିଲା ପୁଲିସର ପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତଙ୍କୁ ବ୍ୟକ୍ତିଗତ ମୁଚାଳିକାରେ ଛାଡ଼ି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ