ଶିବମନ୍ଦିରରେ ପ୍ରେମର ମିଳନ ; ପରିବାର ଲୋକଙ୍କ ବିରୋଧ ସତ୍ତ୍ୱେ ସାତଜନମ ପାଇଁ ସାଥି ହେଲେ ସୁବ୍ରତ – ସୁମିତ୍ରା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ପ୍ରେମରେ ଥରେ ହୃଦୟ ଦେଇଦେଲେ ସାତ ଜନମ ପାଇଁ ସାଥି ହେବାକୁ ପ୍ରତିଶୃତି ମିଳେ । କିନ୍ତୁ ଏହି ପ୍ରେମରେ ବେଳେବେଳେ ପରିବାର ଓ ସମ୍ପର୍କିୟ ମାନଙ୍କ ବିରୋଧ ଯୋଗୁ ଅନେକ ଅସଫଳ ହୋଇଯାଆନ୍ତି । କିନ୍ତୁ ନିଷ୍ଠା ଓ ଏକାଗ୍ରତା ବଳରେ ପ୍ରେମୀ ଯୁଗଳ ଏକତ୍ରିତ ହେବାର ନଜିର ମଧ୍ୟ ରହିଛି । ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ସରସଦା ଗ୍ରାମର ରମାକାନ୍ତ ଜେନାଙ୍କ ଝିଅ ସୁମିତ୍ରା(୨୬) ବନ୍ତ ବ୍ଲକ ତାରାପୁର ଗ୍ରାମର ସନାତନ ଜେନାଙ୍କ ପୁଅ ସୁବ୍ରତ(୨୮)କୁ ଦୀର୍ଘ ୫ବର୍ଷ ହେବ ଭଲ ପାଇ ଆସୁଥିଲେ । ଦୁହେଁ ଆନ୍ଧ୍ରପ୍ରଦେଶର ଗୁଣଟୁର ଠାରେ ଏକ କମ୍ପାନୀରେ ରହି କାର୍ଯ୍ୟ କରୁଥିଲେ । କରୋନା ଯୋଗୁ କମ୍ପାନୀ ବନ୍ଦ ହୋଇଯିବା କାରଣରୁ ସୁବ୍ରତ ଓ ସୁମିତ୍ରା ଗାଁକୁ ଫେରିଥିଲେ । ଆନ୍ଧ୍ରପ୍ରଦେଶରେ ଥିବାବେଳେ ଦୁହେଁ ସ୍ୱାମୀ ସ୍ତ୍ରୀ ଭାବେ ରହୁଥିବାରୁ ଗାଁରେ ପହଞ୍ଚିବା ପରେ ସୁବ୍ରତ ସୁମିତ୍ରାଙ୍କୁ ତାଙ୍କ ଘରକୁ ନେବା ପାଇଁ ଚାହିଁଥିଲେ । ହେଲେ ପରିବାର ଲୋକ ଏହାକୁ ଘୋର ବିରୋଧ କରିଥିଲେ । ଯେଉଥି ପାଇଁ ସୁମିତ୍ରା ଏନେଇ ବନ୍ତ ଥାନାରେ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା କିଛି ଫଳ ହୋଇନଥିଲା । ଏପଟେ ସୁମିତ୍ରାର ମାଆ ମଧ୍ୟ ଉକ୍ତ ବିବାହକୁ ବିରୋଧ କରୁଥିଲେ । ପରିଶେଷରେ ସୁମିତ୍ରା ଭଣ୍ଡାରିପୋଖରୀ ଥାନାରେ ସମସ୍ତ ଘଟଣା ବାବଦରେ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ସୁବ୍ରତଙ୍କୁ ଡକାଯାଇଥିବାବେଳେ ସେ ସୁମିତ୍ରାକୁ ଦୀର୍ଘ ୫ବର୍ଷ ହେବ ଭଲପାଉଥିବା କଥା ସ୍ୱୀକାର କରିଥିଲେ । ବାହା ହେବାକୁ ଇଚ୍ଛାଥିଲେ ସୁଦ୍ଧା ଘରଲୋକଙ୍କ ବିରୋଧ ଯୋଗୁ ସେ ସୁମିତ୍ରାଙ୍କୁ କୂଳବଧୂର ମାନ୍ୟତା ଦେଇପାରୁନଥିବା କହିଥିଲେ । ତେଣୁ ନିଜ ବ୍ୟବସ୍ଥା ଅନୁଯାୟୀ ତାଙ୍କୁ ଚାରିମାସ ସମୟ ଦେବା ପାଇଁ ସୁବ୍ରତ ପ୍ରସ୍ତାବ ରଖିଥିଲେ । ଏଥିରେ କିନ୍ତୁ ସୁମିତ୍ରା ରାଜି ନହେବାରୁ ସୁବ୍ରତ ତତକ୍ଷଣାତ ବାହା ହେବାକୁ ହଁ ଭରିଥିଲେ । ଘଟଣା ଅନୁସାରେ ଆଜି ଭଣ୍ଡାରିପୋଖରୀ ଥାନା ପରିସର ଶୀତି କଣ୍ଠେଶ୍ୱର ମନ୍ଦିରରେ ସୁବ୍ରତ ଓ ସୁମିତ୍ରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିବାହ ପାଇଁ ଥାନା ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବାବେଳେ ଏଥିରେ ସରସଦା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ରାମଚନ୍ଦ୍ର ସେନାପତି, ସମାଜସେବୀ ବସନ୍ତ ରାଉତ, ଅଭିଲ ଚନ୍ଦ, ତରଣୀସେନ ଜେନା, ପୁରସ୍ତମ ଜେନା, ଉମାକାନ୍ତ ଜେନା, ନିର୍ମଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଦୁଇ ପରିବାରଙ୍କ ବିରୋଧ ସତ୍ତ୍ୱେ ପ୍ରେମୀ ଯୁଗଳଙ୍କ ମିଳନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ