ଶିବରାତ୍ରୀ ପୂର୍ବ ରାତ୍ରରେ ମହେନ୍ଦ୍ରଗିରିରେ ଜାଗରଯାତ୍ରା, ଲକ୍ଷାଧିକ ଭକ୍ତ ସମାଗମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଓଡିଶା-ଆନ୍ଧ୍ର ସୀମାନ୍ତମହେନ୍ଦ୍ର ପର୍ବତମାଳାରେ ରହିଛି ଦକ୍ଷିଣ ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି । ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ଥିବା ଏହି ପ୍ରାକୃତିକ ସବୁ ଜିମାଭରା ପୀଠ ଉଭୟ ଓଡିଶା ଓ ଆନ୍ଧ୍ରର ଶ୍ରଦ୍ଧାଳୁଙ୍କୁ ଏଠାକୁ ଆକର୍ଷିତ କରିଥାଏ । ଜାଗର ଯାତ୍ରା ପାଇଁ ମହେନ୍ଦ୍ରଗିରି ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି । ଏଠାକାର ସ୍ୱତନ୍ତ୍ରତା ହେଉଛି,ମହା ଶିବରାତ୍ରିର ଦିନକ ପୂର୍ବରୁ ଏଠାରେ ଜାଗର ଯାତ୍ରା ଅନୁଷ୍ଠିତ ହୁଏ । ତେଣୁ ଗୁରବାର ମହେନ୍ଦ୍ରଗିରିରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ସେମାନେ ରାତି ଉଜାଗର ରହି ଜାଗର ଦୀପ ଜାଳିଛନ୍ତି । ସୁକ୍ରବାର ଭୋରରୁ ଶ୍ରଦ୍ଧାଳୁମାନେ ସୂର୍ଯୋଦୟ ଦର୍ଶନ ସହ ପୂଜାର୍ଚନା ସାରି ଫେରିଛନ୍ତି । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ,ସତ୍ୟଯୁଗରେ ମହାଦେବ ଗୋ ହତ୍ୟା ଦୋଷରୁ ମୁକ୍ତି ପାଇଁ ଏହି ପର୍ବତରେ ତପସ୍ୟା କରିବା ସହ ଗୋକର୍ଣ୍ଣେଶ୍ୱରଙ୍କୁ ପ୍ରତିଷ୍ଠା କରିଥିଲେ । ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବ ଏଠାରେ ଅଜ୍ଞାତ ବନବାସ କରିଥିଲେ । ନିଳମାଧବଙ୍କ ପୁଜା ଓ ଦାରୁବ୍ରହ୍ମର ଆଦ୍ୟସ୍ଥଳି ମହେନ୍ଦ୍ରଗିରି ବୋଲି କଥିତ ଅଛି । ତ୍ରେତୟା ଯୁଗରେ ଏହିସ୍ଥାନ ପ୍ରଭୁ ପର୍ଶୁରାମଙ୍କ ତପସ୍ୟା ସ୍ଥଳୀ ଓ ରାମାୟଣରେ ବର୍ଣ୍ଣିତ ପ୍ରଭୁ ହନୁମାନଙ୍କ ଲଙ୍କାକୁ ଲମ୍ଫପ୍ରଦାନ ସ୍ଥଳି ବୋଲି ମଧ୍ୟ ବିଶ୍ୱାସ କରାଯାଏ । ଏଠାରେ ପଞ୍ଚୁପାଣ୍ଡବ ଅର୍ଥାତ ଯୁଧିଷ୍ଠିର,ଭୀମ,ଅର୍ଯୁନ,ନକୁଳ,ସହଦେବଙ୍କ ମନ୍ଦ୍‌ିର ସମେତ ମାତା କୁନ୍ତି ମନ୍ଦିର ରହିଛି । ଭୀମ ମନ୍ଦିରର ମହାତ୍ମ୍ୟ ସ୍ୱତନ୍ତ୍ର । ୧୦୦ରୁ ୧୫୦ କ୍ୱିଣ୍ଟାଲ ଓଜନର ବିରାଟକାୟ ୧୯ଟି ପଥରରେ ନିର୍ମିତ ଏହି ମନ୍ଦିର ବୌଦ୍ଧ ସ୍ତୁପ ଆକୃତିର । ଭୀମ ବହୁ ବଳବାନ ହୋଇଥିବାରୁ ବଡ ବଡ ପଥରମାନ ଆଣି ରଖିଥିବା କୁହାଯାଏ । ଲୋକକଥା ଅନୁଯାୟୀ,ଗୋଟିଏ ରାତିରେ ପଞ୍ଚୁପାଣ୍ଡବ ଏକାଠି ହୋଇ ମନ୍ଦିର ନିର୍ମାଣ କରୁଥିଲେ । ତେବେ ସୁର୍ଯ୍ୟୋଦୟ ହୋଇଯିବାରୁ କାର୍ଯ୍ୟ ଅସମ୍ପୁର୍ଣ୍ଣ ରହିଗଲା । ମନ୍ଦିରର ସୁଖ୍ମ ରାସ୍ତାରେ ଶ୍ରଦ୍ଧାଳୁମାନେ ପୂର୍ବ ପଟେ ପ୍ରବେଶ କରି ପଶ୍ଚିମ ପଟେ ବାହାରିଥାନ୍ତି । ଗୁମ୍ଫା ବେଶ ସଂକିର୍ଣ୍ଣ ଥିବା ସତ୍ତ୍ୱେ ମୋଟା ଲୋକେ ମଧ୍ୟ ସହଜରେ ଏହାକୁ ଅତିକ୍ରମ କରିବା ଆଶ୍ଚର୍ଯ୍ୟଜନକ ମନେହୁଏ । ଜାଗର ଯାତ୍ରା ଅବସରରେ ଶ୍ରଦ୍ଧାଳୁମାନେ ଏଠାରେ ଥିବା ମହେନ୍ଦ୍ରଶ୍ୱର,ଭୀମେଶ୍ୱର,ଚନ୍ଦ୍ରେଶ୍ୱର,ଧର୍ମରାଜେଶ୍ୱର,ଅର୍ଜୁନେଶ୍ୱର,ନକୁଳେଶ୍ୱର,ମହଦେବଶ୍ୱର,କୁବେରଶ୍ୱର,ବ୍ରହ୍ମେଶ୍ୱର ଆଦି ମନ୍ଦିର,ଗୁମ୍ଫା ଆଦି ବୁଲିବା ସହ ପ୍ରାକୃତିକ ସୋଭାରାଜି ଉପଭୋଗ କରିଥାନ୍ତି । ସେହିପରି ଆସିବାବେଲେ ବୁରଖତ ଛକରେ ପ୍ରଭୁ ହନୁମାନ ଓ ପର୍ଶୁରାମଙ୍କ ଦର୍ଶନ କରିବାର ସୁଯୋଗ ମଧ୍ୟ ପାଇଥାନ୍ତି । ଏଠାରେ ଦୋକାନ ବଜାର ବସୁଥିବାରୁ କିଣାବିକାର ଆସର ଜମେ । ଏହି ପୀଠକୁ ପାହାଡିଆ ରାସ୍ତାଦେଇ ୫କିମି ଚାଲିଚାଲି ମହେନ୍ଦ୍ରଗିରି ଯିବାକୁ ପଡେ । ପୀଠର ବିକାଶ ପ୍ରତି ପର୍ଯ୍ୟଟନ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି । ଚଳିତ ବର୍ଷ ଆନ୍ଧ୍ର ଏବଂ ସମଗ୍ର ଓଡିଶାର ଲକ୍ଷାଧିକ ଭକ୍ତ ଏଠାରେ ସମାଗମ ହୋଇ ଜାଗର ଦିପ ଜାଳି ଜାଗର ପାଳନ କରିଥିଲେ । ଶୁକ୍ରବାର ସକାଳୁ ଭକ୍ତମାନେ ମହେନ୍ଦ୍ରଗିରିରେ ସୂର୍ଯଦୋୟ ଦର୍ଶନ କରି ଫେରିଥିଲେ । ଗଜପତି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଏଠାରେ ଭକ୍ତଙ୍କ ସୁବିଧା ସୁଯୋଗ ପାଇଁ ବ୍ୟାପକ ପଦକ୍ଷେପ ଓ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ