ଶିବଲିଙ୍ଗ ଉପରେ ଢଳାଯାଏନି ଶଙ୍ଖରେ ପାଣି

ଆମେ ଜାଣିଛେ ସାଧାରଣତଃ ପୂଜାକାର୍ଯ୍ୟରେ ଶଙ୍ଖର ବ୍ୟବହାର ମହତ୍ତ୍ୱପୂର୍ଣ୍ଣ । ପ୍ରାୟ ସମସ୍ତ ଦେବାଦେବୀଙ୍କ ଉପରେ ଶଙ୍ଖରେ ପାଣି ଚଢ଼ାଯାଏ । ମାତ୍ର ଶିବଲିଙ୍ଗ ଉପରେ ପାଣି ଢାଳିବାକୁ ବାରଣ ଅଛି । ଏକଥା ଶିବପୁରାଣରେ ବର୍ଣ୍ଣିତ ଅଛି । ଶଙ୍ଖଚୂଡ଼ ନାମକ ଏକ ମହାପରାକ୍ରମୀ ରାକ୍ଷସ ଥିଲା । ଯିଏକି ଦୈତରାମ ଦମ୍ଭଙ୍କ ପୁତ୍ର ଥିଲା । ଦମ୍ଭଙ୍କର ଦୀର୍ଘଦିନ ପର୍ଯ୍ୟନ୍ତ କୌଣସି ସନ୍ତାନସନ୍ତତି ହେଉ ନ ଥିଲେ । ଏଥିପାଇଁ ସେ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କଲେ । ତାଙ୍କ ତପସ୍ୟାରେ ବିଷ୍ଣୁ ପ୍ରସନ୍ନ ହୋଇ ଦମ୍ଭଙ୍କୁ ବର ମାଗିବାକୁ କହିଲେ । ଦମ୍ଭ ବିଷ୍ଣୁଙ୍କୁ ଏକ ମହାପରାକ୍ରମୀ ପୁତ୍ର ମାଗିଥିଲେ । ବିଷ୍ଣୁ ତଥାସ୍ତୁ କହି ଅନ୍ତର୍ଦ୍ଧାନ ହୋଇଗଲେ ।
ଦମ୍ଭଙ୍କ ପୁତ୍ର ଭାବେ ଜନ୍ମନେଲା ଶଙ୍ଖଚୂଡ଼ । ସେ ଯେତେବେଳେ ବଡ଼ ହେଲା ବ୍ରହ୍ମାଙ୍କୁ ବର ମାଗିଥିଲା ଯେ, ଦେବତାମାନେ ତା’କୁ ହରାଇପାରିବେ ନାହିଁ । ବ୍ରହ୍ମା ତଥାସ୍ତୁ କହିବା ସହ ଶଙ୍ଖଚୂଡ଼କୁ ଶ୍ରୀକୃଷ୍ଣକବଚ ଦେଇଥିଲେ । ଏଥିସହିତ ବ୍ରହ୍ମା ଧର୍ମଧ୍ୱଜଙ୍କ କନ୍ୟା ତୁଳସୀଙ୍କ ସହିତ ବିବାହ ପାଇଁ ଶଙ୍ଖଚୂଡ଼କୁ ଆଜ୍ଞା ଦେଇଥିଲେ । ଏହା ପରେ ଶଙ୍ଖଚୂଡ଼ ତୁଳସୀଙ୍କୁ ବିବାହ କରିନେଲା । ବ୍ରହ୍ମା ଏବଂ ବିଷ୍ଣୁଙ୍କ ବର ପାଇ ଶଙ୍ଖଚୂଡ଼ ତିନିପୁରକୁ ଦଖଲ କରିନେଲା ।
ଏଥିରେ ଦେବତାମାନେ ତ୍ରାହି ତ୍ରାହି ଡାକିଲେ । ଶେଷରେ ଏଥିରୁ ରକ୍ଷା ପାଇବା ପାଇଁ ଦେବଗଣ ବିଷ୍ଣୁଙ୍କ ସହାୟତା ମାଗିଲେ । ବିଷ୍ଣୁ ଦମ୍ଭଙ୍କୁ ବର ଦେଇଥିବାରୁ ଶିବଙ୍କୁ ପ୍ରାର୍ଥନା କଲେ । ଶିବ ଦେବତାମାନଙ୍କ ଦୁଃଖ ଦୂର କରିବାକୁ ପ୍ରତିଜ୍ଞା କଲେ । କିନ୍ତୁ ବ୍ରହ୍ମା ଦେଇଥିବା ଶ୍ରୀକୃଷ୍ଣକବଚ ଯୋଗୁ ସେ ଶଙ୍ଖଚୂଡ଼କୁ ବଧ କରିପାରିବେନାହିଁ ବୋଲି କହିଲେ । ବ୍ରାହ୍ମଣ ରୂପ ଧରି ଶଙ୍ଖଚୂଡ଼ଠାରୁ ଶ୍ରୀକୃଷ୍ଣକବଚକୁ ମାଗି ଆଣିବାକୁ ବିଷ୍ଣୁଙ୍କୁ କହିଲେ । ଏହା ପରେ ବିଷ୍ଣୁ ଶଙ୍ଖଚୂଡ଼ଠାରୁ ଶ୍ରୀକୃଷ୍ଣକବଚ ମାଗି ଆଣିଲେ । ପରେ ଶିବ ଶଙ୍ଖଚୂଡ଼ଙ୍କୁ ବଧ କଲେ । ଏହାର ହାଡ଼ରେ ଶଙ୍ଖର ସୃଷ୍ଟି । ଯେହେତୁ ଶଙ୍ଖଚୂଡ଼ ବିଷ୍ଣୁଙ୍କ ଭକ୍ତ ଥିଲା ତେଣୁ ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କ ଶଙ୍ଖ ଅତି ପ୍ରିୟ । କିନ୍ତୁ ଶିବ ଶଙ୍ଖଚୂଡ଼କୁ ବଧ କରିଥିବାରୁ ତାଙ୍କ ଉପରେ ଶଙ୍ଖରେ ଜଳ ଢଳାଯିବାକୁ ବାରଣ ଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ