ଶିବସେନାକୁ ବିଭାଜନ ଭୟ ବିଧାୟକଙ୍କୁ ହୋଟେଲରେ ରଖିଲା, ଦୁଇ ଦିନ ପାଇଁ ମୋବାଇଲ୍ ବନ୍ଦ
ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସମୟସୀମା ଶେଷ ହେବାକୁ ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ରାଜନୈତିକ ଛକାପଞ୍ଝା ଚରମ ସୀମାରେ ପହଞ୍ଚିଛି । ବିଭାଜନ ଭୟରେ ଆଜି ଶିବସେନା ନିଜର ବିଧାୟକମାନଙ୍କୁ ଏକ ହୋଟେଲରେ ନେଇ ରଖିଛି । ଶିବସେନା ମୁଖ୍ୟାଳୟରେ ଆଜି ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ସେଠାରୁ ସମସ୍ତ ବିଧାୟକଙ୍କୁ “ରଙ୍ଗ ସାରଦା’ ହୋଟେଲକୁ ସ୍ଥାନାନ୍ତର କରାଯାଇଛି । ବିଧାୟକମାନଙ୍କ କିଣାବିକା ପ୍ରକ୍ରିୟା ଆରମ୍ଭ ହୋଇଯିବା ଆଶଙ୍କା କରି ଶିବସେନା ଏଭଳି ପଦକ୍ଷେପ ନେଇଛି । ଶିବସେନା ନିଜ ମୁଖପତ୍ର ସାମ୍ନାରେ ମଧ୍ୟ ଏଭଳି ଆଶଙ୍କା ବ୍ୟକ୍ତ କରିଛି । ସମସ୍ତ ବିଧାୟକଙ୍କୁ ଆଜି ସେମାନଙ୍କ ମୋବାଇଲ ଫୋନ୍ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଫୋନ୍ ଗୁଡ଼ିକୁ ମଧ୍ୟ ସଂଗ୍ରହ କରି ରଖାଯାଇଥିବା ଜଣାପଡ଼ିଛି । ଆଜି ବୈଠକରେ ସମସ୍ତ ବିଧାୟକ ୫୦-୫୦ ଫର୍ମୁଲା ଆଧାରରେ ରାଜ୍ୟରେ ସରକାର ଗଠନ ପାଇଁ ମତ ରଖିଥିଲେ । ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ଦିଆଯିବାକୁ ବିଧାୟକମାନେ ସର୍ବସମ୍ମତ ଦାବି ଉପସ୍ଥାପନ କରିଥିଲେ । ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ କହିଛନ୍ତି ଯେ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ଆମର କୌଣସି ଆପତ୍ତି ନାହିଁ, କିନ୍ତୁ ନିର୍ବାଚନ ପୂର୍ବରୁ ହୋଇଥିବା ଆଲୋଚନା ମୁତାବକ ଶିବସେନାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅଢ଼େଇ ବର୍ଷ ରହିବା ଜରୁରୀ । ଶିବସେନା ଏହି ଦାବିକୁ ନେଇ କୌଣସି ସାଲିସ୍ କରିବ ନାହିଁ ବୋଲି ସେ କହିଛନ୍ତି । ଦଳର ବରିଷ୍ଠ ନେତା ସଂଜୟ ରାଉତ କହିଛନ୍ତି ଯେ ଧମକ ଓ ବ୍ଲାକମେଲିଂର ରାଜନୀତି ଚଳିବ ନାହିଁ । ସରକାର ଗଠନ ପାଇଁ ତାଙ୍କ ଦଳ ପାଖରେ ମଧ୍ୟ ଆବଶ୍ୟକ ସମର୍ଥନ ରହିଛି । ତେବେ ସେ ଅଧିକ କିଛି କହିନଥିଲେ ।
ଇତିମଧ୍ୟରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟି ସାଂପ୍ରତିକ ରାଜନୈତିକ ପରିସ୍ଥିତି ସଂପର୍କରେ ଅବଗତ କରାଇଛି । ଆସନ୍ତା ୯ ତାରିଖରେ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହା ପୂର୍ବରୁ ସରକାର ଗଠନ ଜରୁରୀ । ନଚେତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯିବ । ତେବେ କାମଚଳା ମୁଖ୍ୟମନ୍ତ୍ରୀ ନିଯୁକ୍ତି ଉପରେ ମଧ୍ୟ ବିଚାର ଚାଲିଛି । ସୂଚନାଯୋଗ୍ୟ ଯେ ଗତମାସ ୨୧ ତାରିଖରେ ବିଧାନସଭା ନିର୍ବାଚନ ହୋଇଥିଲା ଏବଂ ୨୪ ତାରିଖରେ ଫଳାଫଳ ଘୋଷଣା କରାଯାଇଥିଲା । ମେଣ୍ଟ କରି ଲଢ଼ିଥିବା ବିଜେପି-ଶିବସେନା ୧୬୧ ଆସନ ହାସଲ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ଟଣାଓଟରା ଚାଲିଥିବାରୁ ସରକାର ଗଠିତ ହୋଇପାରୁ ନାହିଁ ।