ଶିବସେନାର ଚିନ୍ତାରେ, କଂଗ୍ରେସ-ଏନ୍‌ସିପି ବୈଠକ ଟଳିଲା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଆସିବାର ପ୍ରାୟ ଗୋଟିଏ ମାସ ବିତିଯାଇଥିଲେ ମଧ୍ୟ ସରକାର ଗଠନକୁ ନେଇ ଅନିଶ୍ଚିତତା ଜାରି ରହିଛି । ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଶିବସେନା ଏବେ ଏନସିପି-କଂଗ୍ରେସ ସହିତ ମିଶି ସରକାର ଗଠନ ପାଇଁ ଆଶା ରଖିଛି । କିନ୍ତୁ ବିଗତ ୨୪ ଘଣ୍ଟା ମଧ୍ୟରେ ଏନସିପି ସୁପ୍ରିମୋ ଶରଦ ପାୱାର ସରକାର ଗଠନକୁ ନେଇ ଦେଇଥିବା ବୟାନ ଶିବସେନାର ଚିନ୍ତା ବଢ଼ାଇ ଦେଇଛି । ସରକାର ଗଠନକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଚର୍ଚ୍ଚା ହୋଇନାହିଁ ଏବଂ କଂଗ୍ରେସ ସହିତ ଏ ବାବଦରେ ସେ ଆଦୌ ଆଲୋଚନା କରିନାହାନ୍ତି ବୋଲି ପାୱାର ଗତକାଲି କହିଥିଲେ ।  ସଂସଦ ଭବନ ପରିସରରେ ସାମ୍ବାଦିକମାନେ ସରକାର ଗଠନ ନେଇ ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ ଯେଉଁମାନେ ସରକାର ଗଠନ କରିବାର ଅଛି ସେମାନଙ୍କୁ ଏହି ପ୍ରଶ୍ନ କରାଯିବା ଆବଶ୍ୟକ । ରାଜ୍ୟରେ ଏବେ ବି ବିଜେପି-ଶିବସେନା ସରକାର ଗଠନ ନେଇ ସମ୍ଭାବନା ଥିବା ପାୱାର ପରୋକ୍ଷରେ ସୂଚନା ଦେଇଥିବାରୁ ଏହାକୁ ନେଇ ସରଗରମ ଆଲୋଚନା ଆରମ୍ଭ ହୋଇଯାଇଛି । ଅନ୍ୟପକ୍ଷରେ କଂଗ୍ରେସ-ଏନସିପି ସହିତ ମେଣ୍ଟ ସରକାର ଗଠନ ପାଇଁ ତତ୍ପରତା ଦେଖାଉଥିବା ଶିବସେନା ପାଇଁ ଏହା ଝଟକା ହୋଇଛି । ଶିବସେନା ସରକାର ଗଠନ ପାଇଁ ପ୍ଲାନ୍ “ବି’ ସଂପର୍କରେ ମଧ୍ୟ ଚିନ୍ତା କରୁଛି ବୋଲି ପାୱାର ପରୋକ୍ଷରେ କହିଥିବାରୁ ଏହାକୁ ନେଇ କଂଗ୍ରେସରେ ମନ୍ଥନ ଜାରି ରହିଛି । ପାୱାରଙ୍କ ବୟାନ ପରେ ଏବେ ଶିବସେନା ନେତାମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । ବିଜେପି ସହିତ ମେଣ୍ଟ କରି ସରକାର ଗଠନ ନିମନ୍ତେ ମଧ୍ୟ ଶିବସେନାରେ ସ୍ୱର ଉଠିଲାଣି । ବିଜେପି ସହିତ ପୁଣି ଥରେ ଆଲୋଚନା ଆରମ୍ଭ କରିବାକୁ ଦଳର କେତେକ ନେତା ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି । ସଂସଦ ଭବନ ପରିସରରେ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ପାୱାର ଦେଇଥିବା ବୟାନ ସଂପର୍କରେ ଶିବସେନା ନେତା ସଂଜୟ ରାଉତଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ ଯେ ଶରଦ ପାୱାରଙ୍କୁ ବୁଝିବା ପାଇଁ ୧୦୦ ଜନ୍ମ ଲାଗିଯିବ । ପାୱାରଙ୍କ ସହିତ ସେ ଏକ ପ୍ରତିନିଧି ଦଳରେ ଯାଇ ରାଜ୍ୟର କୃଷକଙ୍କ ସମସ୍ୟା ବାବଦରେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି । ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ରାଜ୍ୟରେ ସରକାର ଗଠନ ହେବ ଏବଂ କୌଣସି ଦଳ ରାଷ୍ଟ୍ରପତି ଶାସନ ଲାଗୁ ହେବା ଚାହୁନାହାନ୍ତି ବୋଲି ରାଉତ କହିଛନ୍ତି । ସରକାର ଗଠନକୁ ନେଇ କଂଗ୍ରେସ ଓ ଏନସିପି ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକକୁ ସ୍ଥଗିତ ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ