ଶିବସେନା ସହ ହାତ ମିଳାଇବେ ପାୱାର ! ସମର୍ଥନ ପାଇଁ କଂଗ୍ରେସ ବି ପ୍ରସ୍ତୁତ
ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାରେ ସପ୍ତାହେ ବିତିଗଲାଣି, କିନ୍ତୁ ଦୁଇ ସହଯୋଗୀ ବିଜେପି ଏବଂ ଶିବସେନା ମଧ୍ୟରେ ମତଭେଦ ଯୋଗୁଁ ସରକାର ଗଠନ ପ୍ରକ୍ରିୟା ଆଗେଇ ପାରୁନାହିଁ । କ୍ଷମତା ବଣ୍ଟନକୁ ନେଇ ଦୁଇ ଦଳ ମଧ୍ୟରେ ଛକାପଞ୍ଝା ଚାଲିଥିବାବେଳେ ଆଜି ରାଜ୍ୟ ରାଜନୀତିରେ ନୂଆ ଦୃଶ୍ୟ ଦେଖିବାକୁ ମିଳିଛି । ଶିବସେନାର ବରିଷ୍ଠ ନେତା ସଂଜୟ ରାଉତ ଆଜି ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟି ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ଶରଦ ପାୱାରଙ୍କ ଦଳର ନେତା ଯେଉଁ ବୟାନ ଦେଇଛନ୍ତି ସେଥିରୁ ଜଣାପଡ଼ୁଛି ଯେ ଆବଶ୍ୟକ ପଡ଼ିଲେ ତାଙ୍କ ଦଳ ସରକାର ଗଠନ ପାଇଁ ଅନ୍ୟମାନଙ୍କ ସହିତ ହାତ ମିଳାଇପାରେ । କେବଳ ଏତିକି ନୁହେଁ, କଂଗ୍ରେସ ମଧ୍ୟ ଅନୁରୂପ ସୂଚନା ଦେଇଛି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ସହ ଟଣାଓଟରା ଚାଲିଥିବା ବେଳେ ସଂଜୟ ରାଉତ ଆଜି ହଠାତ ପାୱାରଙ୍କ ଘରେ ପହଞ୍ଚିଥିଲେ । ଦୀର୍ଘ ସମୟ ଧରି ଆଲୋଚନା ପରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଦୀପାବଳି ଶୁଭେଚ୍ଛା ଜଣାଇବା ଲାଗି ସେ ପାୱାରଙ୍କୁ ଭେଟିଥିଲେ । ଏହା ସହିତ ସେ ସ୍ୱୀକାର କରିଥିଲେ ଯେ ସାକ୍ଷାତ ବେଳେ ରାଜ୍ୟ ରାଜନୀତି ସଂପର୍କରେ ମଧ୍ୟ ଆଲୋଚନା ହୋଇଛି । ତେବେ ଅଧିକ କିଛି କହିବାକୁ ସେ ମନା କରିଦେଇଥିଲେ । ଅନ୍ୟପକ୍ଷରେ ଏହି ସାକ୍ଷାତ ଆଲୋଚନା ପରେ ପାୱାରଙ୍କ ଦଳର ମୁଖପାତ୍ର ନୱାବ ମଲ୍ଲିକ କହିଛନ୍ତି ଯେ ସରକାର ଗଠନ କରିବାରେ ବିଜେପି ବିଫଳ ହେଲେ ତାଙ୍କ ପାର୍ଟି କ୍ଷମତା ଦୌଡରେ ସାମିଲ ହେବ । ସର୍ବାଧିକ ଆସନ ହାସଲ କରିଥିବା ବିଜେପିକୁ ସରକାର ଗଠନ ପାଇଁ ସୁଯୋଗ ମିଳିବା ଉଚିତ । ଆସ୍ଥା ଭୋଟରେ ଏହା ପରାଜିତ ହେଲେ ତାଙ୍କ ଦଳ ଏନସିପି ସରକାର ଗଠନ ପାଇଁ ଦାବି ଜଣାଇବ । ଏ ସଂର୍କରେ ଅଧିକ କହିବାକୁ ସେ ମଧ୍ୟ ମନା କରି ଦେଇଛନ୍ତି । ଇତିମଧ୍ୟରେ ସାଂପ୍ରତିକ ପରିସ୍ଥିତି ନେଇ କଂଗ୍ରେସ ମଧ୍ୟ ଉତ୍ସାହିତ ହୋଇଛି । ପାର୍ଟି ପକ୍ଷରୁ କୁହାଯାଇଛି ଯେ ସରକାର ଗଠନ ପ୍ରସଙ୍ଗରେ ଶିବସେନା ପକ୍ଷରୁ କୌଣସି ପ୍ରସ୍ତାବ ଆସିଲେ ଏହା ଉପରେ ବିଚାର କରାଯିବ । ଏଭଳି ପ୍ରସ୍ତାବକୁ ହାଇକମାଣ୍ଡଙ୍କ ନିକଟକୁ ପଠାଯିବ ବୋଲି ଦଳର ବରିଷ୍ଠ ନେତା ପୃଥ୍ୱୀରାଜ ଚୌହାନ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଚଳିତ ନିର୍ବାଚନେର ୨୮୮ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପିକୁ ୧୦୫ ଆସନ ମିଳିଥିବା ବେଳେ ସହଯୋଗୀ ଶିବସେନାକୁ ୫୬ ଆସନ ମିଳିଛି । ପାୱାରଙ୍କ ଏନସିପି ୫୪ ଆସନ ପାଇଥିବାବେଳେ କଂଗ୍ରେସକୁ ୪୪ ଆସନ ମିଳିଛି । ଅନ୍ୟମାନେ ୨୯ଟି ଆସନରେ ବିଜୟୀ ହୋଇଛନ୍ତି ।