ଶିବ ଜାଗରକୁ ବଳିଗଲା ନୂଆବର୍ଷ ଭିଡ

ଆରଡି, (ଆଲୋକ ଚନ୍ଦ୍ର ନାୟକ): ନୂଆବର୍ଷ ଉପଲକ୍ଷେ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡି ଜନ ସମୁଦ୍ର ପାଲଟିଥିଲା । ଭୋର ୫ଟାରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପହଡ ଖୋଲାଯାଇ ମଙ୍ଗଳ ଆଳତି କରାଯାଇଥିଲା । ପରେ ପ୍ରଭୁଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇଥିଲା । ଭକ୍ତ ମାନେ ସକାଳୁ ସକାଳୁ ପୀଠରେ ଭିଡ ଜମାଇଥିଲେ । ପୂର୍ବାହ୍ଣ ୧୦ ପରେ ଏଠାରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା ା ହଜାର ହଜାର ଭକ୍ତ ପୀଠକୁ ଆଗମନ କରିଥିଲେ । ପୀଠରେ ସ୍ବଳ୍ପ ସଂଖ୍ୟକ ପୋଲିସ ମୃତୟନ ଯୋଗୁଁ ଏଠାରେ ଭିଡ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ରାସ୍ତାରେ ଚକଜାମ ଅଖଜାମ ପରିସ୍ଥିତି ସୃଷ୍ଟି ହୋଇଥିଲା । ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ପରିଲକ୍ଷିତ ହୋଇଥିଲା । ମଠଡିହ ଠାରୁ ପୀଠ ପର୍ଯ୍ୟନ୍ତ ରାସ୍ତାର ପାର୍ଶ୍ବରେ ଶହଶହ ଗାଡି ଅଟକି ରହିଥିଲା । ସେପଟେ ପୀଠରେ ଶ୍ରଦ୍ଧାଳୁଙ୍କୁ ଦିଅଁ ଦର୍ଶନ ପାଇଁ ୧ କି.ମି. ପର୍ଯ୍ୟନ୍ତ ଲାଇନ ଦେବାକୁ ପଡିଥିଲା । ପୀଠରେ ପିଇବାକୁ ମଧ୍ୟ ପାଣି ମିଳି ନଥିଲା । ଶ୍ରଦ୍ଧାଳୁ ମାନେ ୫କି.ମି. ପର୍ଯ୍ୟନ୍ତ ଚାଲିଚାଲି ଯାଇଥିଲେ ବି ଅଧିକ ସଂଖ୍ୟକ ବସ୍ ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗ କରିଥିଲେ । ପୀଠକୁ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରି ନଥିଲା । ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏପରି ପରିସ୍ଥିତି ଉପୁଜିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ