ଶିବ ସେନାକୁ ସମର୍ଥନ ଦେବାକୁ ମନାକଲେ ସୋନିଆ

ନୂଆଦିଲ୍ଲୀ: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଇତିମଧ୍ୟରେ ୧୨ ଦିନ ପୁରଣ ହେଲାଣି । କିନ୍ତୁ ସେଠାରେ ସରକାର ଗଠନ ହୋଇପାରୁନାହିଁ । ୫୦:୫୦ ଫର୍ମୁଲା ଆଧାରରେ ସରକାର ଗଠନ ପାଇଁ ଶିବସେନା ଜିଦ୍ ଧରିଥିବାବେଳେ ବିଜେପି ଏହାକୁ ଗ୍ରହଣ କରୁନାହିଁ । ଏହି ପ୍ରସଙ୍ଗର କୌଣସି ସମାଧାନ ସୂତ୍ର ବମ୍ବେରେ ବାହାରି ନପାରିବାରୁ ମହାରାଷ୍ଟ୍ର ରାଜନୀତି ଆଜି ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଆଜି ଦିଲ୍ଲୀରେ ବିଜେପି ସଭାପତି ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଯଥାଶୀଘ୍ର ମହାରାଷ୍ଟ୍ରରେ ସରକାର ଗଠନ ହେବ ବୋଲି ଫଡ଼ନାବିସ ବୈଠକ ପରେ ସାମ୍ବାଦିକମାନଙ୍କୁ କହିଛନ୍ତି ।
ଅନ୍ୟପକ୍ଷରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଆଜି ସନ୍ଧ୍ୟାରେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଭେଟିଛନ୍ତି । ସୋନିଆଙ୍କୁ ଭେଟିବା ପରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ସରକାର ଗଠନ ପାଇଁ ଶିବ ସେନା ତାଙ୍କ ଦଳର ସହାୟତା ମାଗିନାହିଁ । ଆମକୁ ମଧ୍ୟ ବିରୋଧୀ ଆସନରେ ବସିବା ପାଇଁ ଜନମତ ମିଳିଛି । କିନ୍ତୁ ଭବିଷ୍ୟତରେ କ’ଣ ହେବ ତାହା କୁହାଯାଇ ପାରିବ ପାରିବ ନାହିଁ ବୋଲି ପାୱାର କହିଛନ୍ତି । କଂଗ୍ରେସ ଏବଂ ଏନସିପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବା ଆଶା ରଖିଥିବା ଶିବ ସେନାକୁ ଆଜି ଶକ୍ତ ଧକ୍କା ଲାଗିଛି । ଶିବ ସେନାକୁ ସରକାର ଗଠନ ପାଇଁ ସମର୍ଥନ ଦେବାକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଏନସିପି ନେତା ଶରଦ ପାୱାରଙ୍କ ସହିତ ଆଲୋଚନା କରିବା ପରେ ସୋନିଆ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ମହାରାଷ୍ଟ୍ର କଂଗ୍ରେସର କେତେକ ନେତା ଶିବ ସେନାକୁ ସମର୍ଥନ ଦେବା ସପକ୍ଷରେ ଥିବାବେଳେ ସୋନିଆ ଏଥିପାଇଁ ରାଜି ନଥିବା ଆଜି ସ୍ପଷ୍ଟ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ