ଶିମିଳିପାଳରେ ଟ୍ରାପ କ୍ୟାମେରା ଧରାଇ ଦେଲା ଶିକାରୀକୁ
ବାରିପଦା,(ମୁରାରୀ ମୋହନ ମହାପାତ୍ର):ଶିମିଳିପାଳ ଅଭୟାରଣ୍ୟର ବନ୍ୟଜନ୍ତୁଙ୍କୁ ଶିକାରୀ ଦାଉରୁ ସୁରକ୍ଷା ନିମନ୍ତେ ଖଞ୍ଜା ଯାଇଥିବା ଟ୍ରାପ କ୍ୟାମେରା ସହାୟତାରେ ଜଣେ ଶିକାରୀ ଧରା ପଡିଥିବାର ସୂଚନା ମିଳିଛି. ବନବିଭାଗ ପକ୍ଷରୁ ସଶସ୍ତ୍ର ଫୋର୍ସ ସହିତ ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ବ୍ୟବହାର କରାଯାଇ ଶିମିଳିପାଳରେ ଶିକାର ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପ୍ରୟାସ କରାଯାଇଛି. ଯାହାକୁ ନେଇ ଅଭୟାରଣ୍ୟର ଆଭ୍ୟନ୍ତରଣ କୋର ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଖଞ୍ଜା ଯାଇଥିବା ଅତ୍ୟାଧୁନିକ ଟ୍ରାପ କ୍ୟାମେରା ମାଧ୍ୟମରେ ପୁଣି ଜଣେ ଶିକାରୀ ଧରା ପଡିଛନ୍ତି. ସୂଚନା ମୁତାବକ ସିମିଳିପାଳ ଅଭୟାରଣ୍ୟରେ ବନ୍ଧୁକ ଧରି ଚଳ ପ୍ରଚଳ କରୁଥିବା ଟ୍ରାପ କ୍ୟାମେରା ଚିତ୍ରକୁ ଆଧାର କରି ବନ ବିଭାଗ ପକ୍ଷରୁ ବରିପଦା ବନଖଣ୍ଡର ବାଙ୍ଗିରିପୋସି ରେଞ୍ଜ ଅନ୍ତର୍ଗତ ଡୁମାସାହି ଜାଲଡିହା ଗ୍ରାମର ଭାଗୀରଥୀ ମାର୍ଣ୍ଡି ପି – ଭୁଦାନ ମାର୍ଣ୍ଡିକୁ ଗିରଫ କରାଯିବା ସହ ଚଢ଼ାଉ ସମୟରେ ତାଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ବନ୍ଧୁକ ସଫା କରିବା ବାଡି, ଗୋଟିଏ ଧନୁ, 2 ଟି ତୀର ଏବଂ ଗୋଟିଏ ଟର୍ଚ୍ଚ ଲାଇଟ ଜବତ କରାଯାଇ ଥିବାର ଜଣାଯାଇଛି. ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ସହ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିର୍ଦ୍ଦେଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି ।