ଶିମିଳିପାଳ ରୁ ବିସ୍ଥାପିତ ଜନଜାତି ଲୋକଙ୍କ ପାଇଁ ନା ଅଛି ଜୀବୀକାର ମାଧ୍ୟମ ନା ମିଳୁଛି ମୌଳିକ ସୁବିଧା

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୁରଭଞ୍ଜ ଜିଲ୍ଲାରେ ଅବସ୍ଥିତ ୟୁନେସ୍କୋ ତରଫରୁ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରାପ୍ତ ଶିମିଳିପାଳ ଅଭୟାରଣ୍ୟ ରାଜ୍ୟ ତଥା ଦେଶର ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ ଅଟେ । ଏହି ଅଭୟାରଣ୍ୟ ମଧ୍ୟରେ ଜନଜାତିର ପ୍ରାୟ ୧୧୦ ପରିବାର ବସବାସ କରୁଥିଲେ ଜଙ୍ଗଲ ମଧ୍ୟରୁ ତାଙ୍କୁ ବାହାରକୁ ଆଣି ଥଇଥାନ କରିବାକୁ ପ୍ରଶାସନ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ରେ ବନ ବିଭାଗ ତରଫରୁ ଥଇଥାନ କରାଯାଇଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ କି ଶିମିଳିପାଳ ଜଙ୍ଗଲ ରୁ ଆସି ବସ୍ତିରେ ରହିବାର ୨ ବର୍ଷ ବିତିଯାଇଥିଲେ ମଧ୍ୟ ଜନଜାତି ଲୋକଙ୍କ ପାଇଁ ନା ଅଛି ଜୀବୀକାର ମାଧ୍ୟମ ନା ମିଳୁଛି ମୌଲିକ ସୁବିଧା । ଏଠାକୁ ଆସି ବସବାସ କରୁଥିବା ଜନଜାତି ଲୋକ ନିଜ ଛାତି ତଳେ ଦବି ରହିଥିବା କୋହକୁ ଏପରି ପ୍ରକାଶ କରିଛନ୍ତି ।“ସରକାର କହିଲେ ଭିଟାମାଟି ଛାଡ଼, କିଛି ଅଭାବ ରହିବ ନାହିଁ। ସରକାରକୁ ଭରସା କରି ଭିଟାମାଟି ଛାଡ଼ିଲୁ ।  ଶିମିଳିପାଳରୁ ଆସି ବସ୍ତିରେ ରହିଲୁ। ହେଲେ ଏବେ କେବଳ ଅଭାବରେ ବିତୁଛି ଜୀବନ । ନା ଅଛି ଜୀବୀକାର ମାଧ୍ୟମ ନା ମିଳୁଛି ମୌଲିକ ସୁବିଧା । ନାହିଁ ନାହିଁରେ ବିତି ଗଲାଣି ୨ ବର୍ଷ । ତଥାପି ଶୁଣୁନି ସରକାର । ”  ଏହି ଜନଜାତିର ପ୍ରାୟ ୧୧୦ ପରିବାର ଶିମିଳିପାଳ ଅଭୟାରଣ୍ୟ ଭିତରେ ବସବାସ କରୁଥିଲେ। ମାତ୍ର ସେମାନଙ୍କୁ ବାହାରକୁ ଆଣିବାକୁ ପୁଳାପୁଳା ପ୍ରତିଶ୍ରୁତି ଅଜାଡ଼ି ଦେଲେ ସରକାର। ଜଙ୍ଗଲ ସୁରକ୍ଷା ନାମରେ ଶିମିଳିପାଳ ଅଭୟାରଣ୍ୟ  ଖେଜୁରୀ ଗାଁରୁ ଏମାନଙ୍କୁ ସ୍ଥାନୀୟ ସାଲେଇବେଡାକୁ ସ୍ଥାନାନ୍ତର କରିଥିଲା ବନ ବିଭାଗ ।  ନିରୀହ, ସରଳ ଆଦିବାସୀ ଲୋକ ସରକାରଙ୍କ କଥାକୁ ବିଶ୍ୱାସ କରି ଯାଇଥିଲେ। ଏହାପରେ  ପ୍ରାୟ ୨ ବର୍ଷ ତଳେ ଠାକୁରମୁଣ୍ଡା ବ୍ଲକରେ ଏକ ବସ୍ତି କରି ଏହି ଜନଜାତିର ୧୧୦ ପରିବାରଙ୍କୁ ବିଗତ ୨ ବର୍ଷ ହେବ ଥଇଥାନ କରାଯାଇଛି। ଥଇଥାନ ବେଳେ ଦିଆଯାଇଥିଲା ପୁଳା ପୁଳା ପ୍ରତିଶୃତି  । ହେଲେ  ପ୍ରତିଶ୍ରୁତି ତ ଦୂରର କଥା, ଏବେ ମୌଳିକ ସୁବିଧା ସୁଯୋଗରୁ ବି ବଞ୍ଚିତ ବିସ୍ଥାପିତ ହୋଇଥିବା ପ୍ରାୟ ୧୧୦ଟି ପରିବାର । ଏପରିକି ପାଣି, ବିଜୁଳି ଓ ସଡକ ଭଳି ସୁବିଧା ସୁଯୋଗ ବି ଜୁଟିନାହିଁ  ଏମାନଙ୍କ ଭାଗ୍ୟରେ ।ପ୍ରତିଶ୍ରୁତି ମୁତାବକ ଆବାସ ଯୋଜନାରେ କେବଳ ଘର ଦେଇ ନିଶ୍ଚିତ ହୋଇ ବସିଛି ବନ ବିଭାଗ । ହେଲେ ୨ ବର୍ଷ ମଧ୍ୟରେ କେଉଁଠି ଛାତ ଖସି ପଡିଲାଣି ତ ଆଉ କେଉଠି କାନ୍ଥ ଫାଟି ଆଁ  କଲାଣି । ଅପରପକ୍ଷେ, ନା ଜନଜାତି ଲୋକଙ୍କ ପାଖରେ ଅଛି ଜୀବୀକା ଉପାର୍ଜନର ମାଧ୍ୟମ ନା ମୌଳିକ ସୁବିଧା। ସେମାନେ ବସବାସ କରୁଥିବା ବସ୍ତିକୁ ରାସ୍ତା ନ ଥିବା ବେଳେ ପାନୀୟ ଜଳର ସୁବିଧା ନାହିଁ। ବଣ ଜଙ୍ଗଲ ଘେରା ଅଞ୍ଚଳରେ ବିନା ଲାଇନ୍‌ରେ କଟୁଛି ଜୀବନ । ସନ୍ଧ୍ୟା ହେଲେ ଜୀବଜନ୍ତୁ ଭୟରେ ତାଟି କବାଟ ପକାଇ ଦେଉଛନ୍ତି ଲୋକେ।ଏତିକିରେ ସରିନି ଦୁଃଖ । ପରିବାର କିପରି ଚଳାଇବେ ସେହି ଚିନ୍ତା ବି ଘାରିଛି ଜନଜାତି ଲୋକଙ୍କୁ । ଥଇଥାନ ସମୟରେ ସରକାର ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ରାଶି ଦେଇଥିଲେ। ଏଥିରେ ସୁଧ ବାବଦକୁ ୬ରୁ ୭ ହଜାର ମିଳିଲେ ସେଥିରେ ଆରାମରେ ପରିବାର ଚଳାଇ ପାରିବ ବୋଲି ବୁଝାଇ ବି ଦେଇଥିଲେ। ହେଲେ ଏବେ ସୁଧ ବାବଦକୁ କାହାକୁ ହଜାରେ ତ କାହାକୁ ମିଳୁଛି ୧୨ଶହ। ତେଣୁ ଏହି ଟଙ୍କାରେ କିପରି ମେଣ୍ଟିବ ପରିବାରର ଗୁଜରାଣ ସେହି ଚିନ୍ତାରେ ମୁଣ୍ଡରେ ହାତ ଦେଲେଣି ପରିବାର ଲୋକ । ଯେତିକି ମିଳୁଛି ତାହା ମଧ୍ୟ ପରିବାର ପୋଷଣ ପାଇଁ ଅଣ୍ଟୁନାହିଁ  । ଏଭଳି ଅବସ୍ଥାରେ  ଆଖପାଖ ଗାଁରେ ମୂଲ ମଧ୍ୟ ମିଳୁ ନ ଥିବାରୁ ଘାରିଛି ଜୀବନ ଜୀବିକା ଚିନ୍ତା।ଏନେଇ ଶମ୍ଭୁ ଦେହୁରୀ,  ବୁଧୁ ଦେହୁରୀ ଓ ବୀଣା ଦେହୁରୀ ନାମକ ୨ ବିସ୍ଥାପିତ କହିଛନ୍ତି, ଆମେ ବହୁତ ଖୁସିରେ ଥିଲୁ। ଏଠାରେ ପାଣି, ରାସ୍ତା, ଲାଇନ୍‌ କିଛି ନାହିଁ। ସୁଧ ୬, ୭ ହଜାର ଆସିବ ବୋଲି କହିଲେ। ହେଲେ ଏଠି ହଜାରେ, ୧୨ଶହ ଟଙ୍କା ମିଳୁଛି। କିପରି ଚଳିବୁ। ଏନେଇ ସୁମୀ ଦେହୁରୀ ନାମ୍ନୀ ବୃଦ୍ଧା କହିଛନ୍ତି, ଆମେ ଶିମିଳିପାଳ ଭିତରେ ଭଲରେ ଥିଲୁ। ଯେବେ ସରକାର କହିଲେ, ତୁମର ଅଭାବ ରହିବ ନାହିଁ, ଚାଲ ଯିବ ।  ଏବେ ଏଠାକୁ ଆସି ପଶ୍ଚାତାପ କରୁଛୁ। ସେପଟେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଡି.ଏନ. ସାଇ କିରଣ କହିଛନ୍ତି, ସବୁ ବିଭାଗକୁ ଚିଠି କରାଯାଇଛି । କାମକୁ ତ୍ୱରାନ୍ୱିତ କରାଯାଉଛି। ଖୁବ୍‌ ଶୀଘ୍ର  ସବୁ ସମସ୍ୟାର ସମାଧାନ ହୋଇଯିବ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ